Home News in Odia ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା

ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା

ଭୁବନେଶ୍ୱର: ଏପ୍ରିଲ ୫ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୩.୫ ଡିଗ୍ରି ଉପରେ ରହିଥିବା ବେଳେ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ଥିତି ର ବିସ୍ତୃତ ସମୀକ୍ଷା କରିଛନ୍ତି।

ତେଣୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ କରାଇବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏସଆରସିଙ୍କ ପରାମର୍ଶ କ୍ରମେ ଆଜି କ୍ରୀଡ଼ା ବିଭାଗକୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆଉଟଡୋର କ୍ରୀଡ଼ା କାର୍ଯ୍ୟକଳାପ ଉପରେ କଟକଣା ଲଗାଇବାକୁ କୁହାଯାଇଛି। ନେଇ ଅତିରିକ୍ତ ସ୍ବତନ୍ତ୍ର ରିଲିଫ୍ କମିଶନର କ୍ରୀଡ଼ା ଯୁବସେବା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି।

ଅତିରିକ୍ତ ଏସଆରସି କହିଛନ୍ତି ଯେ ରାଜ୍ୟର ଅନେକ ଅଞ୍ଚଳରେ ଗ୍ରୀଷ୍ମ ଋତୁରେ କ୍ରିକେଟ, ଫୁଟବଲ, ହକି ଇତ୍ୟାଦି ଆଉଟଡୋର ଖେଳ କାର୍ଯ୍ୟକଳାପ ଚାଲୁଥିବା ସରକାର ଲକ୍ଷ୍ୟ କରିଛନ୍ତି।

ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ଭୁବନେଶ୍ୱର, ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ଆର୍ଦ୍ରତା ଏବଂ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଲୋକଙ୍କୁ ବାହାରକୁ ଯିବା ସମୟରେ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ୩୯ରୁ ୪୧ ଡିଗ୍ରୀ ସେଲସିୟସ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ୩୬ରୁ ୩୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବାର ସମ୍ଭାବନା ରହିଛି ଉପକୂଳ ଓଡ଼ିଶାରେ ଆପେକ୍ଷିକ ଆର୍ଦ୍ରତା ୪୦%ରୁ ୬୦% ଏବଂ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ୨୦%ରୁ ୪୦% ମଧ୍ୟରେ ରହିଛି।

ପାଣିପାଗକୁ ଦୃଷ୍ଟିରେ ରଖି ଅତିରିକ୍ତ ଏସଆରସି କ୍ରୀଡ଼ା ନିର୍ଦ୍ଦେଶକଙ୍କୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ଗ୍ରୀଷ୍ମ ଋତୁରେ କ୍ରିକେଟ, ଫୁଟବଲ, ହକି ଆଦି ସମସ୍ତ ଆଉଟଡୋର ଖେଳ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଛନ୍ତି।

ଉପରୋକ୍ତ ସମସ୍ତ ଆଉଟଡୋର କ୍ରୀଡ଼ା କାର୍ଯ୍ୟକଳାପ ଉପରେ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ସେ କହିଛନ୍ତି।

ସେପଟେ ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି

ବଙ୍ଗୋପସାଗରର ମଧ୍ୟମ ଉପର ଟ୍ରୋପୋସ୍ଫରିକ୍ ପଶ୍ଚିମ ଦିଗରେ ସୃଷ୍ଟି ହୋଇଥିବା ଲଘୁଚାପ ଏବଂ ଗରମ ଆର୍ଦ୍ର ପବନ ଯୋଗୁଁ ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା/ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।

ଏପ୍ରିଲ ତାରିଖରେ ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, କଟକ, ଖୋର୍ଦ୍ଧା, ବୌଦ୍ଧ, ମୟୂରଭଞ୍ଜ, ଦେବଗଡ଼ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଆସନ୍ତାକାଲି ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ଏବଂ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ବଜ୍ରପାତ ହେବ।

ତାରିଖରେ କନ୍ଧମାଳ, ଗଞ୍ଜାମ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଆସନ୍ତାକାଲି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ମାଲକାନଗିରି ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ।

ଏହାବ୍ୟତୀତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଏବଂ ଉତ୍ତର ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।