Home Forest ଗ୍ରିନ୍‍ ମହାନଦୀ ମିଶନରେ କୋଟିଏ ବୃକ୍ଷରୋପଣ

ଗ୍ରିନ୍‍ ମହାନଦୀ ମିଶନରେ କୋଟିଏ ବୃକ୍ଷରୋପଣ

ଭୁବନେଶ୍ୱର : ଗ୍ରିନ୍‍ ମହାନଦୀ ମିଶନରେ ଗତ ୬ବର୍ଷ ମଧ୍ୟରେ ରାଜ୍ୟର ୨୨ଟି ଜିଲ୍ଲାରେ ପାଖାପାଖି ୧କୋଟି ୨୦ଲକ୍ଷ ବୃକ୍ଷ ରୋପଣ ହୋଇଥିବାବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ସାଧାରଣ ଲୋକ ଓ ବିଭନ୍ନ ଅନୁଷ୍ଠାନକୁ ୨କୋଟିରୁ ଅଧିକ ଚାରା ବଣ୍ଟନ କରାଯାଇଛି ।

ଗ୍ରିନ୍‍ ମହାନଦୀ ମିଶନରେ ବୃକ୍ଷ ରୋପଣ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧ ତ୍ରିପାଠୀ ପଚାରିଥିବା ପ୍ରଶ୍ନରେ ଏଭଳି ଉତ୍ତର ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଯେ ୨୦୧୮-୧୯ ବର୍ଷ ଠାରୁ ରାଜ୍ୟରେ ଗ୍ରିନ୍‍ ମହାନଦୀ ମିଶନ କାର୍ଯ୍ୟକାରୀ ହଉଛି । ଏହି ମିଶନ ଜରିଆରେ ମହାନଦୀ ଓ ତାହାର ଶାଖାନଦୀ ଯଥା କାଠଯୋଡି, ବିରୂପା, ବିଲୁଆଖାଇ, କୁଆଖାଇ, କୁଶଭଦ୍ରା, ଦୟା, ଭାର୍ଗବୀ, ଦେବୀ, କନ୍ଦଳ, ଲୁଣା ଚିତ୍ରୋତ୍ପଳା ନଦୀର ତଟବର୍ତ୍ତୀ ଅଞ୍ଚଳରେ ଉଭୟ ପାଶ୍ୱର୍ରେ ଏକ କିଲୋମିଟର ଓସାରର ବନୀକରଣ କରାଯାଉଛି ।

ଏହା ସହ ୨୦୧୯-୨୦ ଆର୍ଥିକ ବର୍ଷଠାରୁ ଋଷିକୂଲ୍ୟା, ବ୍ରାହ୍ମଣୀ, ବୈତରଣୀ, ବଂଶଧାରା ଏବଂ ଏହାର ଶାଖାନଦୀର ଉଭୟ ପାଶ୍ୱର୍ରେ ଏକ କିଲୋମିଟରର ଓସାରର ବନୀକରଣ କରାଯାଉଛି । ଏଥି ସହିତ ଗ୍ରିନ୍‍ ମହାନଦୀ ମିଶନ ଦ୍ୱାରା ନଦୀ ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ମଧ୍ୟ ନିଜ ନିଜ ଜମି ଓ ଘରବାଡିରେ ଗଛ ଲଗାଇବାପାଇଁ ମାଗଣାରେ ଚାରା ଯୋଗାଇ ଦିଆଯାଉଛି ।

ଏହି ଯୋଜନା ଦ୍ୱାରା ନଦୀଗୁଡିକର ଶକ୍ତି ବୃଦ୍ଧି ସହିତ ମୃତ୍ତିକାକ୍ଷୟକୁ ରୋକାଯାଇ ପାରୁଛି । ବର୍ତ୍ତମାନସୁଦ୍ଧା ଏହି ଯୋଜନାରେ ପ୍ରାୟ ୨୯୭ କୋଟି ଟଙ୍କା ବ୍ୟୟ ସରିଲାଣି । ଏହି ଅର୍ଥରେ ୬ବର୍ଷ ମଧ୍ୟରେ ୨୨ଟି ଜିଲ୍ଲାରେ ପ୍ରାୟ ଏକ କୋଟି ୩୦ଲକ୍ଷ ଚାରା ରୋପଣ ହୋଇଥିବାବେଳେ ସାଧାରଣ ଲୋକଙ୍କୁ ୨କୋଟି ୫ଲକ୍ଷରୁ ଅଧିକ ଚାରା ବଣ୍ଟାଯାଇଛି । ତେବେ ଲଗାଯାଇଥିବା ଗଛଗୁଡିକ ମଧ୍ୟରୁ ଶତକଡା ୭୦ ରୁ ୯୦ ଭାଗ ବଞ୍ଚିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ।

ସେହିଭଳି ଚଳିତ ଆର୍ଥିକ ବର୍ଷ ପାଇଁ ୨୧ ଜିଲ୍ଲାରେ ବୃକ୍ଷରୋପଣ ପାଇଁ ୧୭ଲକ୍ଷ ଚାରା ଏବଂ ମାଗଣା ବଣ୍ଟନ ପାଇଁ ୬୦.୬୧ଲକ୍ଷ ଗଛ ଚାରା ଯୋଗାଇ ଦିଆଯିବାର ପ୍ରସ୍ତାବ ରହିଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଗ୍ରିନ୍‍ ମହାନଦୀ ମିଶନରେ ଅନୁଗୁଳ ଡିଭିଜନରେ ପାଖପାଖି ୪ଲକ୍ଷ ଗଛ ଲାଗିଥିବାବେଳେ ୧୧.୬୩ ଲକ୍ଷ ବୃକ୍ଷଚାରା ମାଗଣାରେ ବଣ୍ଟନ ହୋଇଛି । ସେହିଭଳି କଟକ ଡିଭିଜନରେ ୭ଲକ୍ଷ ଗଛ ଲାଗିଥିବାବେଳେ ପ୍ରାୟ ୩୨ଲକ୍ଷ ଗଛ ଚାରା ବଣ୍ଟନ ହୋଇଛି । ଗଞ୍ଜାମ ଡିଭିଜନରେ ଯଥାକ୍ରମେ ୪.୧୬ ଲକ୍ଷ ଓ ୧୩.୯୩ ଲକ୍ଷ ରହିଥିବାବେଳେ କଳାହାଣ୍ଡିରେ ୨୦.୫୫ ଲକ୍ଷ ଓ ୧୪.୧ ଲକ୍ଷ, କେନ୍ଦୁଝରରେ ୫.୩୩ଲକ୍ଷ ଏବଂ ୩.୮ଲକ୍ଷ, ଖୋରଧାରେ ୭.୫୬ଲକ୍ଷ ଏବଂ ୨୦.୧୫ଲକ୍ଷ, ନୟାଗଡରେ ୬.୨୬ ଏବଂ ୧୯.୧୪ଲକ୍ଷ ରହିଛି । ଏଥି ସହିତ ପୁରୀ, ରାୟଗଡା ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ ଡିଭିଜନରେ ମଧ୍ୟ ବୃକ୍ଷରୋପଣ ସହିତ ବୃକ୍ଷଚାରା ବଣ୍ଟନ ହୋଇଛି । (ତଥ୍ୟ)