Home Infrastructure ଗ୍ରାମୀଣ କର୍ମ ନିଯୁକ୍ତି ଉପରେ ଗୁରୁତ୍ୱ

ଗ୍ରାମୀଣ କର୍ମ ନିଯୁକ୍ତି ଉପରେ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟ ନିଶ୍ଚିତ କର୍ମ ନିଯୁକ୍ତି ପରିଷଦର ସପ୍ତମ ବୈଠକ ଆଜି ଲୋକ ସେବା ଭବନରେ ପଞ୍ଚାୟତି ରାଜ ଓ ପାନୀୟ ଜଳ, ଆଇନ ,ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଶ୍ରୀ ଜେନା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ଫୋକସ୍ କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟକାରୀତା କ୍ଷେତ୍ରରେ ସ୍ୱଚ୍ଛତା ଓ ଉତର ଦାୟିତ୍ୱ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

ପ୍ରାରମ୍ଭରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମିନା ପରିଷଦର ଅଧ୍ୟକ୍ଷ ଓ ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କୁ ସ୍ଵାଗତ ଜଣାଇ ରାଜ୍ୟ ନିଶ୍ଚିତ କର୍ମନିଯୁକ୍ତି ପରିଷଦର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।

 ବୈଠକ ବିବରଣୀରୁ ପ୍ରକାଶ ଯେ ୨୦୨୧-୨୨ ଆର୍ଥିକ ବର୍ଷର ସଫଳତା ଗତ ୨୦୨୦-୨୧ ବର୍ଷ ତୁଳନାରେ ଯଥେଷ୍ଟ ଉର୍ଦ୍ଧ୍ଵରେ ଅଛି । ତାହାଛଡା ଚଳିତ ବର୍ଷ ରାଜ୍ୟର ସଫଳତା ପ୍ରକାଶ ଦେଶର ୧୦ ଶୀର୍ଷ  ପ୍ରଦର୍ଶନକାରୀ ରାଜ୍ୟ ମାନଙ୍କ ମଧ୍ୟରେ ସ୍ଥାନ ବଜାୟ ରଖିଅଛି ।  ୧୪.୬ କୋଟି ଶ୍ରମ ଦିବସ ସୃଷ୍ଟି ସହିତ ସପ୍ତମ ସ୍ଥାନ,୧୦୦ ଦିନରୁ ଉର୍ଦ୍ଧ୍ଵ କାର୍ଯ୍ୟ କରିଥିବା ପରିବାରରେ ଦିତୀୟ ସ୍ଥାନ, ପ୍ରତି ପରିବାର ପିଛା ହାରାହାରି କାର୍ଯ୍ୟ ଦିବସ ରେ ଦ୍ଵିତୀୟ ସ୍ଥାନ, ଉଚିତ ସମୟରେ ଶ୍ରମିକ ମାନଙ୍କୁ ଦେୟ ପ୍ରଦାନରେ ଅଷ୍ଟମ ସ୍ଥାନ, ଜିଓ-ମନରେଗା ରେ ସପ୍ତମ ସ୍ଥାନ ଓ ଗ୍ରାମ ପଞ୍ଚାୟତ ଜିଆଇଏସ ପ୍ଳାନ ରେ ଶୀର୍ଷ ସ୍ଥାନ ବଜାୟ ରଖିଅଛି ।

ରାଜ୍ୟର ୨୦ ଦାଦନ ପ୍ରବଣ ବ୍ଲକ ଗୁଡିକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ  ଜବକାର୍ଡଧାରୀ ମାନଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବିଜ୍ଞାପିତ ମଜୁରି ଦର ଉପରେ ଅତିରିକ୍ତ ମଜୁରି ପ୍ରଦାନ କରି ଏହାକୁ ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଜ୍ଞାପିତ ସର୍ବନିମ୍ନ ମଜୁରି ହାରରେ ପ୍ରଦାନ କରାଯାଉଅଛି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଅଧିନିୟମ ରେ ଧାର୍ଯ୍ୟ ହୋଇଥିବା ୧୦୦ ଦିନର ନିଶ୍ଚିତ କର୍ମନିଯୁକ୍ତି ବ୍ୟତିରେକ ଅତିରିକ୍ତ ୨୦୦ ଦିନର କର୍ମ ନିଯୁକ୍ତି ପ୍ରଦାନ କରାଯାଉଅଛି । ଉକ୍ତ ୨୦୦ ଦିନ ନିମନ୍ତେ ଜବକାର୍ଡଧାରୀ ମାନଙ୍କୁ ତାଙ୍କର ଦୈନିକ ମଜୁରି ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଜ୍ଞାପିତ ସର୍ବନିମ୍ନ ମଜୁରି ହାରରେ ପ୍ରଦାନ କରାଯାଉଛି ।

ସେହିପରିଫୋକସ କ୍ରିୟାକଳାପ ମଧ୍ୟରେ ଲାଇନ ବିଭାଗ ଗୁଡିକ ସହ ପ୍ରଭାବୀ ଏକାଭିମୁଖିକରଣ ମାଧ୍ୟମରେ ଚଳିତ ବର୍ଷ ୩୬୫୬ କୋଟି  ଟଙ୍କାର କାର୍ଯ୍ୟ ଯୋଜନା ଅନୁମୋଦନ କରାଯାଇଅଛି । ଉକ୍ତ ପଦକ୍ଷେପ ଯୋଗୁଁ ୭୪୭.୮୮ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୨.୮୯ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଅଛି । ଉଦ୍ୟାନ କୃଷି ୨୧୧୧୫ ହେକ୍ଟର , ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା ୨୫୧୫୫ ହେକ୍ଟର ବନୀକରଣ ଓ ୬୦୬୬୩ ଫାର୍ମ ପୋଖରୀ କରାଯିବା ନିମନ୍ତେ ପଦକ୍ଷେପ ହାତକୁ ନିଆଯାଇ ଗରିବ ପରିବାରଙ୍କର ଜୀବିକା ସୁରକ୍ଷାକୁ ସୁଦୃଢ କରାଯାଇଅଛି ।

ରାଜ୍ୟରେ ପକାଘର ନଥିବା ଅଙ୍ଗନବାଡି କେନ୍ଦ୍ରଗୁଡିକ ପାଇଁ ପକାଘର ନିର୍ମାଣ କାର୍ଯ୍ୟ ଅଗ୍ରାଧିକାର ଭିତିରେ ଗ୍ରହଣ କରାଯିବ ।   ରାଜ୍ୟ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳ ରୂପାୟନ ନିମନ୍ତେ  ସ୍ଵଚ୍ଛତା ଓ ଉତ୍ତରଦାୟିତ୍ଵ ଉପରେ ପ୍ରାଧାନ୍ୟ ଦେଇଛନ୍ତି ।ସ୍ୱଚ୍ଛତା ଓ ଉତ୍ତରଦାୟିତ୍ଵ ବଜାୟ ରଖିବା ପାଇଁ ଏରିଆ ଅଫିସର ଆପ୍, ନ୍ୟାସନାଲ୍ ମୋବାଇଲ୍ ମନିଟରିଂ ସିଷ୍ଟମ୍, ଜିଆଇଏସ ଆଧାରିତ ଯୋଜନା, ସମ୍ପତ୍ତିର ଜିଓ ଟ୍ୟାଗିଂ, ଆଧାର ସିଡିଙ୍ଗ, ଆଧାର ଆଧାରିତ ପେମେଣ୍ଟ ବ୍ୟବସ୍ଥା (ଏବିପିଏସ୍)ର ଉପଯୋଗ ସହ ସାମାଜିକ ସମୀକ୍ଷା ଏବଂ ଅମ୍ବୁଡ୍ସପର୍ସନଙ୍କ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଉଛି ।

 ଉକ୍ତ ବୈଠକରେ ଉନ୍ନୟନ କମିଶନର ପ୍ରଦିପ୍ ଜେନାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ , ଶାସନ ସଚିବ , ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଏବଂ ସଦସ୍ୟ ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ , ପଂଚାୟତସିତି ଚେୟାରମ୍ୟାନ , ସରପଂଚ ଉପସ୍ଥିତ ଥିଲେ ।  ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ୍ ଡାକୁଆ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ବିଭିନ୍ନ ସଫଳତାର ଏକ ତୁଳନାତ୍ମକ ବିବରଣୀ ଉପସ୍ଥାପନ କରିଥିଲେ ।