Home General ଗ୍ରାମାଞ୍ଚଳରେ ମୁଣ୍ଡପିଛା ବ୍ୟୟ୧୮୮% ବୃଦ୍ଧି

ଗ୍ରାମାଞ୍ଚଳରେ ମୁଣ୍ଡପିଛା ବ୍ୟୟ୧୮୮% ବୃଦ୍ଧି

ନୂଆଦିଲ୍ଲୀ : ଗତ ଏକ ଦଶନ୍ଧି ମଧ୍ୟରେ ଦେଶରେ ମାସିକ ମୁଣ୍ଡପିଛା ଉପଯୋଗ ବ୍ୟୟ (ଏମପିସିଇ) ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ୨୦୧୧ ତୁଳନାରେ ୨୦୨୩-୨୪ରେ ଭାରତର ଗ୍ରାମାଞ୍ଚଳରେ ୧୮୮% ଏବଂ ୧୬୬% ବୃଦ୍ଧି ପାଇଥିବା ପାରିବାରିକ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ (ଏଚସିଇଏସ୍) ୨୦୨୩-୨୪ରୁ ସୂଚନା ମିଳିଛି। ବର୍ତ୍ତମାନ ଭାରତର ଗ୍ରାମାଞ୍ଚଳରେ ଏମପିସିଇ ହାର ୪,୧୨୨ ଟଙ୍କା ଥିବା ବେଳେ ସହରାଞ୍ଚଳରେ ୬,୯୯୬ ଟଙ୍କା ରହିଛି । ଗତ ଏକ ଦଶନ୍ଧି ଉପଯୋଗ ବ୍ୟୟରେ ସୁଧାରକୁ ନେଇ ସକାରାତ୍ମକ ଧାରା ଦେଖିବାକୁ ମିଳିଥିବା ସର୍ବେକ୍ଷଣରେ ଆଲୋକପାତ କରାଯାଇଛି ।

ପାରିବାରିକ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ (ଏଚସିଇଏସ୍) ପରିବାରଗୁଡ଼ିକ ଦ୍ୱାରା ଦ୍ରବ୍ୟ ଏବଂ ସେବାର ମୁଣ୍ଡପିଛା ଉପଯୋଗ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ପ୍ରସ୍ତୁତ କରାଯାଇଥାଏ। ଏଚସିଇଏସରେ ସଂଗୃହୀତ ସୂଚନା ପରିବାରର ଉପଯୋଗ ଏବଂ ବ୍ୟୟ ଢାଞ୍ଚା, ଜୀବନଧାରଣର ମାନ ଓ କଲ୍ୟାଣ ବୁଝିବାରେ ସହାୟକ ହୋଇଥାଏ।

ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଆର୍ଥିକ ପରିଦୃଶ୍ୟରେ ଦ୍ରବ୍ୟ ଓ ସେବାର ଉପଯୋଗ କ୍ଷେତ୍ରରେ ରୂପାନ୍ତରଣକାରୀ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୦୧୧-୧୨ ତୁଳନାରେ ୨୦୨୩-୨୪ ଏଚସିଇଏସରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବର୍ତ୍ତମାନର ଦରଦାମରେ ଦ୍ରବ୍ୟ ଓ ସେବା ଉପଯୋଗ ବାବଦ ବ୍ୟୟ ତିନିଗୁଣ ବୃଦ୍ଧି ପାଇଛି। ଏହି ଉଲ୍ଲେଖନୀୟ ବୃଦ୍ଧି ଆର୍ଥିକ ସଶକ୍ତିକରଣ ଏବଂ ସାରା ଦେଶରେ ଭାରତୀୟ ଉପଭୋକ୍ତାଙ୍କର କ୍ରୟ ଶକ୍ତି ସୁଦୃଢ଼ ହେବାକୁ ଦର୍ଶାଉଛି ।

କେବଳ ସେତିକି ନୁହେଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହିଥିବା ଏମପିସିଇ ବ୍ୟବଧାନ ୨୦୧୧-୧୨ରେ ୮୪% ଥିବା ବେଳେ ୨୦୨୩-୨୪ରେ ଏହା ୭୦%କୁ ହ୍ରାସ ପାଇଛି । ଏଥିରେ ୧୬% ହ୍ରାସ ଦେଖିବାକୁ ମିଳିଛି । ୨୦୨୨-୨୩ରେ ସହରାଞ୍ଚଳ-ଗ୍ରାମାଞ୍ଚଳ ଏମପିସିଇ ବ୍ୟବଧାନ ୭୧% ଥିଲା। ଏହା ଗ୍ରାମାଞ୍ଚଳରେ ଉପଭୋକ୍ତା ଅଭିବୃଦ୍ଧିର ନିରନ୍ତର ପ୍ରଗତିକୁ ପ୍ରତିଫଳିତ କରେ ।