Home Transport ଗ୍ରାମାଞ୍ଚଳରେ ଦୁର୍ଘଟଣା ହ୍ରାସକୁ ଗୁରୁତ୍ୱ

ଗ୍ରାମାଞ୍ଚଳରେ ଦୁର୍ଘଟଣା ହ୍ରାସକୁ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟରେ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁସଂଖ୍ୟା ହ୍ରାସକୁ ପ୍ରାଧାନ୍ୟ ଦେବା ସହିତ ଗ୍ରାମାଞ୍ଚଳ ଓ ଅଧିକ ଦୁର୍ଘଟଣାପ୍ରବଣ ଜିଲ୍ଲା ଉପରେ ବିଶେଷ ଧ୍ୟାନ ଦିଆଯିବ । ଏ ସଂକ୍ରାନ୍ତରେ ଆଗକୁ ପଦକ୍ଷେପ ନେବା ଲକ୍ଷ୍ୟରେ ଆଇଆଇଟି ମାଡ୍ରାସର ପ୍ରତିନିଧିଙ୍କ ସହ ଖାରବେଳ ଭବନରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଓ ପରିବହନ କମିସନର ଅମିତାଭ ଠାକୁର ଆଲୋଚନା କରିଛନ୍ତି । ଆଇଆଇଟି ମାଡ୍ରାସ ପକ୍ଷରୁ ସେଣ୍ଟର ଅଫ ଏକସିଲେନ୍ସ ଫର ରୋଡ଼୍‌ ସେଫଟିର ମୁଖ୍ୟ ଡ. ଭେଙ୍କଟେଶ ବାଲାସୁବ୍ରମଣ୍ୟମ ବିସ୍ତୃତ ଭାବେ ତାଙ୍କର ମତାମତ ଉପସ୍ଥାପିତ କରିଥିଲେ ।

ଆଧୁନିକ ଜ୍ଞାନକୌଶଳ ଓ ସୁବ୍ୟବସ୍ଥିତ ଢଙ୍ଗରେ ସଡ଼କ ସୁରକ୍ଷା କାର୍ଯ୍ୟକୁ କିଭଳି ପରିଚାଳନା କରାଯିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଦୁର୍ଘଟଣା କାହିଁକି ଘଟୁଛି, କିପରି ଏହାକୁ କମ କରାଯାଇପାରିବ, ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ କିଭଳି ରକ୍ଷା କରାଯାଇପାରିବ ସେ ଦିଗରେ ଆଲୋଚନା ହୋଇଥିଲା । ସଡ଼କ ବ୍ୟବହାରକାରୀଙ୍କୁ ସଚେତନ କରିବା ଉପରେ ଓଡ଼ିଶା ଗୁରୁତ୍ୱ ଦେଉଛି । ଏ ଦିଗରେ ନିଆଯିବାକୁ ଥିବା ସମସ୍ତ ପଦକ୍ଷପର ପ୍ରଭାବ ଓ ସମୟସୀମା ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ ।

ଦୁର୍ଘଟଣା ତଥ୍ୟରୁ ସମାଧାନର ସୂତ୍ର ବାହାର କରାଯିବ । ପୂର୍ବରୁ ରାଜ୍ୟ ସଫଳତାର ସହ ଏ ଦିଗରେ କାର୍ଯ୍ୟ କରୁଛି । ତେବେ ଏଥିରେ ଅଧିକ ସଫଳତା ହାସଲ ଦିଗରେ ଜାତୀୟ ଅନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞ ଓ ସଂସ୍ଥାମାନଙ୍କ ସହଯୋଗ ନିଆଯିବ ।

ଆଇଆଇଟି ମାଡ୍ରାସ ଏ କ୍ଷେତ୍ରରେ ଜାତୀୟ ସ୍ତରରେ ହେଉ କିମ୍ବା ବିଭିନ୍ନ ରାଜ୍ୟ ସହ ସହଭାଗୀ ହୋଇ କାର୍ଯ୍ୟ କରୁଛି । ତଥ୍ୟ ସଂଗ୍ରହ ପାଇଁ ଆଧୁନିକ ପଦ୍ଧତି ବ୍ୟବହାର, ଏହାର ବିଶ୍ଳେଷଣ ଓ ସମାଧାନ କ୍ଷେତ୍ରରେ ସୁନାମ ରହିଛି । କେମିତି ସଡ଼କ ସୁରକ୍ଷାକୁ ନେଇ ଓଡିଶାର ଗ୍ରାମାଞ୍ଚଳରେ ସଫଳତାର ସହ କାର୍ଯ୍ୟ କରିହେବ ସେ ଦିଗରେ ସେମାନେ ଯୋଜନା ପ୍ରସ୍ତୁତ କରିବେ । ଖଣି ଅଞ୍ଚଳ ମୁଖ୍ୟ ଫୋକସରେ ରହିବ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପରିବହନ କମିସନର ଲାଲମୋହନ ସେଠୀ, ଯୁଗ୍ମ ପରିବହନ କମିସନର ପ୍ରଦୀପ କୁମାର ମହାନ୍ତି ଓ ବିକାଶ ଚୌଧୁରୀ, ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତପନ କୁମାର ମିଶ୍ର, ସ୍ୱତନ୍ତ୍ର ଅଧିକାରୀ ଭ୍ରମରବର ମହାପାତ୍ର ଓ ସେଣ୍ଟର ଅଫ ଏକସିଲେନ୍ସ ଫର ରୋଡ଼୍‌ ସେଫଟିର ପ୍ରତିନିଧି ଅତୁଲ ସିଂହ ପ୍ରମୁଖ ଆଲୋଚନାରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।