Home General ଗ୍ରାମଦ୍ୟୋଗ ଭବନ ନିର୍ମାଣ କେବେ ?

ଗ୍ରାମଦ୍ୟୋଗ ଭବନ ନିର୍ମାଣ କେବେ ?

ଭୁବନେଶ୍ୱର : ଗ୍ରାମୋଦ୍ୟୋଗ ଭବନ ନିର୍ମାଣ ପାଇଁ ରାଜଧାନୀର ଖାରବେଳନଗର ଅଞ୍ଚଳରେ ଥିବା ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପରିସରରେ ପ୍ରାୟ ୨୦ବର୍ଷ ତଳେ ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ସେହି ପ୍ରକଳ୍ପ ଲାଗି ଏଯାବତ୍‍ ଇଟା ଖଣ୍ଡେ ଯୋଡେଇ ହୋଇନାହିଁ । ଏହି ପ୍ରକଳ୍ପ କାମ କେବେ ଆରମ୍ଭ ହେବ ଓ କେବେ ସରିବ ସେ ପ୍ରସଙ୍ଗରେ କାହା ପାଖରେ କିଛି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ ।

ଖଦିବୋର୍ଡ ସହ ଜଡିତ ପୁରୁଖା ବ୍ୟକ୍ତିମାନେ କହୁଛନ୍ତି ଯେ ୨୦୦୩ ମଇ ମାସରେ ତରବରିଆ ଭାବେ ଖଦିବୋର୍ଡ ବୈଠକରେ ଏହି ଗ୍ରାମୋଦ୍ୟୋଗ ଭବନ ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇ ସେହିବର୍ଷ ଅକ୍ଟୋବର ୩୦ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ତେବେ ଏଠାରେ ବୋର୍ଡ ଅଧିନରେ ଥିବା ୩ ଏକର ୩୧୮ ଡେସିମିଲ ଜାଗା ଭିତରୁ ୮୧୩ ଡେସିମିଲ ଜମି ବୋର୍ଡ ନାମରେ ରେକର୍ଡଭୁକ୍ତ ହୋଇପାରିନଥିବା କାରଣରୁ ଏଠାରେ ନିର୍ମାଣ କାମ ଲାଗି ପ୍ରାଥମିକ ପ୍ରସ୍ତୁତି ହୋଇପାରିନଥିଲା । ଯେଉଁ ଗ୍ରାମୋଦ୍ୟୋଗ ଭବନ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ସେଥିଲାଗି କୌଣସି ଯୋଜନାର ମଞ୍ଜୁରି ନଥିଲା କିମ୍ବା ଅର୍ଥ ବରାଦ ମଧ୍ୟ ହୋଇନଥିଲା ।

ପରବର୍ତ୍ତୀ ସମୟରେ ଖଦିବୋର୍ଡ ପରିସରରେ ଏକ ୨୩ ମହଲା ବିଶିଷ୍ଟ ଖଦି ଭବନ ଇଡ୍‍କୋ ସହଭାଗିତାରେ ନିର୍ମାଣ କରିବା ପାଇ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ନିଷ୍ପତ୍ତି ନେଇଥିଲେ । ଏହି ସୌଧକୁ ବିଜୁ ଖଦି ଗ୍ରାମୋଦ୍ୟୋଗ ଭବନ ଭାବେ ନାମକରଣ ଲାଗି ପଦକ୍ଷେପ ନିଆଯାଉଥିଲା । ତେବେ ପ୍ରାୟ ୧୨ ବର୍ଷ ଧରି ଏହି ୨୩ ମହଲା ପ୍ରକଳ୍ପ ଏଯାବତ୍‍ ୩ ପାହୁଣ୍ଡ ବି ଆଗେଇ ପାରିଲା ନାହିଁ ।

ଏହାପରେ ଏହି ପରିସରରେ ପୁଣି ୪ମହଲା ବିଶିଷ୍ଟ ଖଦି ଓ ଗ୍ରାମୋଦ୍ୟୋଗ ଭବନ ନିର୍ମାଣ ଲାଗି ଗଣମାଧ୍ୟମରେ ଘୋଷଣା କରାଯାଇଥିଲେ ବି ଏ ସଂକ୍ରାନ୍ତରେ କିଛି କାର୍ଯ୍ୟକ୍ରମ ହୋଇନାହିଁ । ଖଦିବୋର୍ଡର ଏହି ଜାଗାରେ ନିର୍ମାଣ କାର୍ଯ୍ୟ କରିବା ପାଇଁ ୨୦୧୫ରେ ଏକ ସଂସ୍ଥା ଦ୍ୱାରା ୨୦କୋଟି ୭୦ଲକ୍ଷ ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଥିଲା । ଦିଲ୍ଲୀ ହାଟ ଢାଞ୍ଚାରେ ଏଥିରେ ୪୦ଟି ସ୍ଥାୟୀ ପ୍ରଦର୍ଶନୀ ମଣ୍ଡପ ଓ ଗାନ୍ଧୀ ସଂଗ୍ରହାଳୟ ନିର୍ମାଣ ପାଇଁ ଅଟକଳ କରାଯାଇଥିଲେ ମଧ୍ୟ ପଇସାଟିଏ ହେଲେ ସେ ବାବଦରେ ବରାଦ କରାଯାଇ ନାହିଁ । ପରବର୍ତ୍ତୀ ସମୟରେ ଏହି ଭବନ ନିର୍ମାଣ ଲାଗି ଇନ୍‍ଟାକ୍‍ ସହାୟତାରେ ୩୭କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଥିଲେ ବି ସେ ଦିଗରେ ମଧ୍ୟ ଅଗ୍ରଗତି ପରିଲକ୍ଷିତ ହେଉନାହିଁ । ଏସବୁ ସତ୍ତ୍ୱେ ଖଦିବୋର୍ଡ ପରିସରରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ୨୦୦୩ ମସିହାରେ ଶିଳାନ୍ୟାସ କରାଯାଇଥିବା ଫଳକଟି କେବଳ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ପଡିରହିଛି ।

ଖଦି ବୋର୍ଡର ଜଣେ ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି ଯେ, ସ୍ମାର୍ଟସିଟି ଯୋଜନାରେ ଥିବା ସତ୍ୟନଗର ଇନ୍‍ଷ୍ଟିଚ୍ୟୁସନାଲ୍‍ କୋର୍‍ ବା ସ୍ନିକ୍‍ ଅଞ୍ଚଳର ଖଦିବୋର୍ଡ ରହିଛି । ଏଠାରେ ସ୍ମାର୍ଟସିଟି ପାଇଁ ହୋଟେଲ୍‍ ଓ ହବ୍‍ଲାଗି ଶ୍ରୀୟା ଟିକିଜ୍‍ ଛକଠାରୁ କନ୍‍ଭେଣ୍ଟ ଛକ ପର୍ଯ୍ୟନ୍ତ ରାସ୍ତାର ଡାହାଣ ପାଶ୍ୱର୍ରେ ଥିବା ଖଦିବୋର୍ଡ, ସରକାରୀ ପାଠ୍ୟପୁସ୍ତକ ମୁଦ୍ରଣାଳୟ, ସରକାରୀ କ୍ୱାର୍ଟର୍ସ, ପ୍ରାଥମିକ ବିଦ୍ୟାଳୟ, ପଣ୍ୟାଗାର ନିଗମ ଆଦି କେତେକ ସଂସ୍ଥାକୁ ବିସ୍ଥାପନ କରିବା ପାଇଁ ପୂର୍ବରୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ଏଥିଯୋଗୁ ଖଦିବୋର୍ଡ ଜମିରେ ଗ୍ରାମୋଦ୍ୟୋଗ ଭବନ ନିର୍ମିତ ହୋଇପାରୁନାହିଁ । ଏହି କାରଣରୁ ଉକ୍ତ ଅଞ୍ଚଳରେ ନିର୍ମିତ ହେବାକୁ ଥିବା ଓଡ଼ିଆ ଭାଷା ପ୍ରତିଷ୍ଠାନର ଭାଷା ଭବନ ଲାଗି ଜମି, ଅର୍ଥ ଓ ପ୍ରକଳ୍ପ ଅନୁମୋଦନ ଥିଲେ ବି ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଦୃଷ୍ଟିରୁ ଭାଷା ଭବନ ନିର୍ମାଣ ବନ୍ଦ ରଖାଯାଇଛି ।

ଇତି ମଧ୍ୟରେ ଖଦିବୋର୍ଡ ପକ୍ଷରୁ ପୁଣି ଗ୍ରାମୋଦ୍ୟୋଗ ଭବନ ନିର୍ମାଣ କଥା ୨୦୧୯ ପରଠାରୁ ପୁଣି ଉଠୁଥିଲେ ମଧ୍ୟ ଏହି କାର୍ଯ୍ୟ ଆଗେଇ ପାରୁନାହିଁ । ଏମିତିକି ବୋର୍ଡ ପରିସରରେ ଥିବା କୋଠାବାଡି ଗୁଡିକର ଉନ୍ନତିକରଣ ମଧ୍ୟ ହେଉନାହିଁ । ବିଶେଷ କରି ଖଦିବୋର୍ଡ ପରିସରରେ ସୁଦୃଶ୍ୟ ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀର ବିକ୍ରି କେନ୍ଦ୍ର ରହିଲେ ଉତ୍ପାଦିତ ସାମଗ୍ରୀ ଗୁଡିକର ବିକ୍ରିବଟା ସହଜରେ ହୋଇପାରନ୍ତା ବୋଲି କୁହାଯାଉଛି । ତେବେ ବର୍ତ୍ତମାନର ବୋର୍ଡ କର୍ତ୍ତୃପକ୍ଷ ଏ ଦିଗରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସହ ଯୋଗସୂତ୍ରରେ ରହିଥିବା ଜଣାପଡିଛି । (ତଥ୍ୟ)