Home Health ଗୌରବ ଆଣିଦେଲା ଏମସ୍‍

ଗୌରବ ଆଣିଦେଲା ଏମସ୍‍

ଭୁବନେଶ୍ୱର: ୨୦୨୪ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ମାନ୍ୟତାରେ ୧୫ତମ ସ୍ଥାନ ହାସଲ କରି ଭୁବନେଶ୍ୱର ଏମସ୍‍ ଭୁବନେଶ୍ୱର ପୁଣି ଥରେ ଓଡ଼ିଶା ରାଜ୍ୟ ଓ ଭାରତର ପୂର୍ବାଞ୍ଚଳ ପାଇଁ ଗୌରବ ଆଣିଛି। ଏହି ସଫଳତା ୨୦୨୨ରେ ୨୬ତମ ସ୍ଥାନରେ ଥିବା ବେଳେ ଗତବର୍ଷ ୧୭ତମ ସ୍ଥାନରେ ରହି ଅନୁଷ୍ଠାନର ଉଲ୍ଲେଖନୀୟ ଅଗ୍ରଗତିକୁ ଦର୍ଶାଉଛି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପ୍ରକାଶିତ ଏନଆଇଆରଏଫ ରାଙ୍କିଙ୍ଗରେ ଏମ୍ସ ଭୁବନେଶ୍ୱରକୁ ଓଡ଼ିଶାର ଶ୍ରେଷ୍ଠ ମେଡିକାଲ କଲେଜ ଭାବେ ମାନ୍ୟତା ମିଳିଛି । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ୱାସଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଏମ୍ସ ଭୁବନେଶ୍ବର ଭିତ୍ତିଭୂମି ବିକାଶ, ଶିକ୍ଷା, ଚିକିତ୍ସା ଓ ଗବେଷଣା ସମେତ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଚମତ୍କାର ମାନ୍ୟତା ହାସଲ କରିଛି।

ଆଶୁତୋଷ ବିଶ୍ୱାସ ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ନିଷ୍ଠା ଓ କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ହାସଲ କରିଥିବାରୁ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ରୋଗୀ ସେବା, ଗବେଷଣା ଏବଂ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ କ୍ଷେତ୍ରରେ ଏହି ଅନୁଷ୍ଠାନ ନିରନ୍ତର ପ୍ରୟାସ ଜାରି ରଖିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଏନଆଇଆରଏଫ ମାନ୍ୟତା ପାଞ୍ଚଟି ପ୍ରମୁଖ ମାନଦଣ୍ଡ ଉପରେ ଆଧାରିତ: ଶିକ୍ଷାଦାନ, ଶିକ୍ଷଣ ଏବଂ ସମ୍ବଳ (ଟିଏଲଆର), ଗବେଷଣା ଏବଂ ବୃତ୍ତିଗତ ଅଭ୍ୟାସ (ଆରପି), ଗ୍ରାଜୁଏସନ୍ ଆଉଟକମସ୍ (ଜିଓ), ଆଉଟ୍ରିଚ୍ ଏବଂ ଅନ୍ତର୍ଭୁକ୍ତୀକରଣ (ଓଆଇ), ଏବଂ ପିୟର ପରସେପ୍ସନ୍ (ପିପି)। ଚଳିତ ବର୍ଷ ଏମ୍ସ ଭୁବନେଶ୍ବର ୧୦୦ରୁ ୬୨.୯୭ ମାର୍କ ରଖିଛି, ଯାହା ଶିକ୍ଷାଗତ ଓ ବୃତ୍ତିଗତ ଉତ୍କର୍ଷତା ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଏମସ୍‍ ଭୁବନେଶ୍ୱର ଏହାର ୧୧ତମ ବାର୍ଷିକୀ ପାଳନ କରୁଥିବା ବେଳେ ଏହି ଅନୁଷ୍ଠାନ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱପ୍ନକୁ ପୂରଣ କରୁଛି, ଯିଏ କି ତ୍ରୀସ୍ତରୀୟ ସ୍ୱାସ୍ଥ୍ୟସେବାରେ ଆଞ୍ଚଳିକ ଅସନ୍ତୁଳନ ଦୂର କରିବା ପାଇଁ ଏହି ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ।