ଭୁବନେଶ୍ୱର : ଆନ୍ଧ୍ରରୁ ଗାଈ ନେଇ ଓଡ଼ିଶା ଫେରୁଥିବା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଦୁଧିଆଳୀ ଗାଈ ଆଣୁଥିବା ଦୁଗ୍ଧଚାଷୀମାନଙ୍କୁ ଆକ୍ରମଣ କରିଥିବା ଗୋ ମାଫିଆଙ୍କୁ ଗିରଫ ଦାବିରେ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ଏକ ୫ଜଣିଆ ପ୍ରତିନିଧି ଦଳ ଆଜି ଏହାର ଅଧ୍ୟକ୍ଷ ରବି ବେହେରାଙ୍କ ନେତୃତ୍ୱରେ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏକ ୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ।
ଦୁଗ୍ଧଚାଷୀମାନଙ୍କୁ ସୁରକ୍ଷା ଏହି ଦାବିପତ୍ରର ମୂଳ ଉଦ୍ଦେଶ୍ୟ ହୋଇଥିଲେ ହେଁ ଘଟଣା ଘଟିବାର ୨ ମାସ ହୋଇଯାଇଥିବା ବେଳେ ଆକ୍ରମଣକାରୀ ଗୋ-ମାଫିଆ ମାନଙ୍କୁ ପୋଲିସ୍ ଗିରଫ ନ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଦୁଗ୍ଧଚାଷୀ ମହାସଂଘ ଅଭିଯୋଗ କରିଛି । ଶ୍ରୀଯୁକ୍ତ ସାହୁ, ସ୍ମାରକପତ୍ରଟିକୁ ଗ୍ରହଣ କରି ତୁରନ୍ତ ଭୁବନେଶ୍ୱର-କଟକ ପୋଲିସ୍ କମିଶନରଙ୍କୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶଦେବା ସଂଗେସଂଗେ ଦୁଗ୍ଧଚାଷୀ ମହାସଂଘକୁ ଚାଷୀଙ୍କ ସୁରକ୍ଷା ପାଇଁ ଦୃଢ ପ୍ରତିଶ୍ରୁତି ଦେଇଥିଲେ ।
ଏଠାରେ ଉଲ୍ଲେଖଥାଉକି, ଗୋସୁରକ୍ଷା ନାମରେ ଗୋ ମାଫିଆମାନଙ୍କର ଆତଙ୍କରାଜ ଓ ରାହାଜାନି ଯୋଗୁଁ ସାଧାରଣ ଦୁଗ୍ଧଚାଷୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବାହାର ରାଜ୍ୟରୁ ଗାଈ ଆଣିବାକୁ ଦୁଗ୍ଧଚାଷୀମାନେ ଭୟ କରୁଛନ୍ତି । ଏଭଳିକି କଟକ-ଭୁବନେଶ୍ୱରରେ ବେପାର କରୁଥିବା ଦୁଗ୍ଧଚାଷୀମାନେ ଗାଁ ଗହଳିରୁ ଦୁଧିଆଳୀ ଗାଈ, ବାଛୁରୀ ଓ ଷଣ୍ଢ ନେଇ ସହରକୁ ଆସୁଥିଲା ବେଳେ ଗୋ-ମାଫିଆମାନଙ୍କର ଆକ୍ରୋଶ ଓ ଆକ୍ରମଣର ଶିକାର ହେବା ଘଟଣା କାହାକୁ ଅଛପା ନୁହେଁ । ସମସ୍ତଙ୍କୁ ପୋଲିସ୍ ସୁରକ୍ଷା ଦେବାପାଇଁ ସରକାର ପଦକ୍ଷେପ ନେବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଦୃଢ ଦାବି ଉପସ୍ଥାପନ କରିଛନ୍ତି ।
ଗୋ-ମାଫିଆଙ୍କ ଆକ୍ରମଣରେ ମୃତାହତ ହୋଇଥିବା ଦୁଗ୍ଧଚାଷୀ ଓ ମୃତ ଗାଈ ଓ ବାଛୁରୀଙ୍କ ପାଇଁ ସରକାର କ୍ଷତିପୂରଣ ଦେବାକୁ ଏହି ସ୍ମାରକପତ୍ରରେ ଦାବି କରାଯାଇଛି । ଏହି ପ୍ରତିନିଧି ଦଳରେ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ଅଧ୍ୟକ୍ଷ ଶ୍ରୀ ବେହେରାଙ୍କ ସମେତ ସମ୍ପାଦକ ନାରାୟଣ ଡାଳୁଆ, ଦୁଗ୍ଧଚାଷୀ ପିତାମ୍ବର ବେହେରା, ବୁଧନ ବେହେରା ଓ ନାରାୟଣ ବେହେରା ପ୍ରମୁଖ ଘରୋଇ ବିଭାଗ ସଚିବଙ୍କୁ ସ୍ମାରକପତ୍ର ଦେବାସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

