ଭୁବନେଶ୍ୱର : ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଏହାର ଇତିହାସରେ ପ୍ରଥମ ଥର ପାଇଁ ଏକ ‘ମକ୍ ଇଣ୍ଟରଭ୍ୟୁ ସେଲ୍’ ସ୍ଥାପନ କରିଛି । ଏହି ସେଲ୍ ଲୋକସେବା(ସିଭିଲ୍ ସର୍ଭିସ୍) ଆଶାୟୀମାନଙ୍କୁ ସାକ୍ଷାତକାର ପାଇଁ ପ୍ରସ୍ତୁତିରେ ସାହାଯ୍ୟ କରୁଛି ।
ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀ ରାଜ କୁମାର ଶର୍ମାଙ୍କ ତତ୍ୱାବାଧାନରେ ଏହି ସେଲ୍ ପ୍ରତିଷ୍ଠା କରାଯାଇଛି ଏବଂ ଏହା ୦୯.୦୧.୨୦୨୩ ରୁ କାର୍ଯ୍ୟକରୁଛି । ଗତ କେନ୍ଦ୍ରୀୟ ଲୋକସେବା ଆୟୋଗ ପରୀକ୍ଷା-୨୦୨୨ରେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାକ୍ଷାତକାର ପାଇଁ ପ୍ରସ୍ତୁତି କରୁଥିବା ୩ ଜଣ ମହିଳାଙ୍କ ସମେତ ୯ ଜଣ ପ୍ରାର୍ଥୀ ଗୋପବନ୍ଧୁ ଏକାଡେମୀରେ ମକ୍ ଇଣ୍ଟରଭ୍ୟୁର ବିଭିନ୍ନ ଅଧିବେଶନ ସହ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ଇତ୍ୟାଦିରେ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଅଧିକାରୀ (ଅବସରପ୍ରାପ୍ତ ଓ ଚାକିରିରେ ଥିବା) ଙ୍କ ସମେତ ବିଶେଷଜ୍ଞ ଓ ଅଭିଜ୍ଞ ବିଷୟ ବିଶେଷଜ୍ଞମାନେ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଚଳିତ ୨୩.୦୫.୨୦୨୩ରେ ୟୁପିଏସସିର ନିକଟରେ ଘୋଷିତ ଫଳାଫଳ ଅନୁଯାୟୀ ସିଭିଲ ସର୍ଭିସରେ ନିଯୁକ୍ତି ପାଇବା ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ମକ୍ ଇଣ୍ଟରଭ୍ୟୁରେ ଅଂଶଗ୍ରହଣ କରିଥିବା ୯ ଜଣ ୟୁପିଏସସି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ ଜଣ ସଫଳତାର ସହ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଦୁର୍ଗା ପ୍ରସାଦ ଅଧିକାରୀ –୧୬୨ ତମ ସ୍ଥାନ , ସତ୍ୟ ପ୍ରକାଶ ମିଶ୍ର–୨୬୧ ତମ ସ୍ଥାନ, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ – ୨୪୮ତମ ସ୍ଥାନ ଏବଂ ଶୁଭସ୍ନିଗ୍ଧା ସେଠୀ – ୬୮୦ ତମ ସ୍ଥାନ ।
ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀ ଅରବିନ୍ଦ ବେହେରା ଓ ଅଖିଳ ବିହାରୀ ଓତା, ପ୍ରଶାସନିକ ଅଧିକାରୀ ଶାଶ୍ୱତ ମିଶ୍ର,ଆଇଏଏସ୍ ,ଶ୍ରୀ ନିଖିଲ ପବନ କଲ୍ୟାଣ, ଆଇଏଏସ୍ , ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ,ଆଇଏଏସ୍(୨୦୨୧ ବ୍ୟାଚ୍), ପ୍ରଫେସର କେଭିଡି ପ୍ରକାଶଙ୍କ ଭଳି ବିଷୟ ବିଶେଷଜ୍ଞମାନେ ହାଇବ୍ରିଡ୍ ମୋଡରେ ଏହି ସବୁ ମକ୍ ଇଣ୍ଟରଭ୍ୟୁ ଅଧିବେଶନ ଗୁଡିକରେ ଯୋଗ ଦେଇଥିଲେ ।
ବିଭିନ୍ନ ବିଶିଷ୍ଟ ପ୍ରଶାସନିକ ଅଧିକାରୀ ଓ ଶିକ୍ଷାବିତଙ୍କ ଅଧ୍ୟକ୍ଷତାରେ ଏଭଳି ୪ଟି ମକ୍ ଇଣ୍ଟରଭ୍ୟୁ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ଓଡ଼ିଶାର ସାମ୍ପ୍ରତିକ ଘଟଣା, ଇତିହାସ ଓ ସଂସ୍କୃତି ଉପରେ ମଧ୍ୟ ବିଶେଷଜ୍ଞମାନଙ୍କ ଦ୍ୱାରା ଏକାଧିକ ଅଧିବେଶନର ଆୟୋଜନ କରାଯାଇଥିଲା ।
ଆଶାୟୀମାନେ କେବଳ ସେମାନଙ୍କ ସନ୍ଦେହ ଦୂର କରିନାହାନ୍ତି, ବରଂ ଏଭଳି ସାକ୍ଷାତକାରରେ କିପରି ଅଂଶଗ୍ରହଣ କରିବେ ଓ ସମ୍ଭାବ୍ୟ ପ୍ରଶ୍ନଗୁଡ଼ିକର କିପରି ଉତ୍ତର ଦେବେ ସେ ବିଷୟରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ସୂତ୍ର ପ୍ରଦାନ କରିଥିଲେ । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଏହି ଅଭିନବ ଓ ଉପଯୋଗୀ ପଦକ୍ଷେପରୁ ଉପକୃତ ହୋଇଥିବାରୁ ସେମାନେ ଖୁସି ବ୍ୟକ୍ତ କରିଛନ୍ତି ।
ଯୁଗ୍ମ ନିର୍ଦେଶିକା ଡ. ମମତାରାଣୀ ନାୟକ,ମକ୍ ଇଣ୍ଟରଭ୍ୟୁ ସେଲ୍ ର ନେତୃତ୍ୱ ନେଉଥିଲେ । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ କମିଶନର ତଥା କୋର୍ସ ଡାଇରେକ୍ଟର ଡଃ. ହିମାଂଶୁ ଭୂଷଣ ପଣ୍ଡା ଏଥିରେ ଆନୁଷଙ୍ଗିକ ସହଯୋଗ କରିଆସୁଛନ୍ତି । ଓଡ଼ିଆ ପରୀକ୍ଷାର୍ଥୀଙ୍କୁ ବ୍ୟକ୍ତିତ୍ୱ ପରୀକ୍ଷା ଓ ସାକ୍ଷାତକାର ପାଇଁ ପ୍ରସ୍ତୁତ କରାଯିବା ପରିପ୍ରେକ୍ଷୀରେ ଆଗାମୀ ଦିନରେ ଏହି ମକ୍ ଇଣ୍ଟରଭ୍ୟୁ ସେଲ୍ ନିୟମିତ ଭାବେ ଜାରି ରହିବ ବୋଲି ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ।