ଭୁବନେଶ୍ୱର : ବେଦାନ୍ତ ଠାରୁ ଫେରସ୍ତ ହୋଇଥିବା ଜମି ଏହାର ମୂଳ ମାଲିକଙ୍କୁ ଫେରସ୍ତ ଦେବା ନେଇ ବିଧାନସଭାରେ ପଚରାଯାଇଥିବା ଗୋଟିଏ ପ୍ରଶ୍ନର ଉତ୍ତରକୁ ଆଜି ଉଭୟ ପୂର୍ତ୍ତ ଓ ରାଜସ୍ୱ ମନ୍ତ୍ରୀ ଦେଇଥିଲେ ।
ଆଜି ପ୍ରଶ୍ନକାଳରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପୁରୀ ଜିଲ୍ଲାରେ ବେଦାନ୍ତ ଠାରୁ ଫେରିଥିବା ଜଗନ୍ନାଥଙ୍କ ଜମି ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ଆସିବା ନେଇ ପ୍ରଶ୍ନ କରିଥିଲେ । ଉତ୍ତରରେ ପୂର୍ତ୍ତମନ୍ତ୍ରୀ କହିଥିଲେ ଯେ ଅଦାଲତଙ୍କ ନିର୍ଦ୍ଦେଶ ପରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ନିକଟରୁ ଜମିସବୁ ଫେରିଛି । ଶ୍ରୀମନ୍ଦିର ପ୍ରଶାସନ ହାତକୁ ଫେରାଇ ଆଣିବା ଲାଗି ପଦକ୍ଷେପ ନିଆଯାଉଛି ।
ତେବେ ଏହି ପ୍ରଶ୍ନଟି ରାଜସ୍ୱ ବିଭାଗ ସହିତ ଜଡିତ ଥିବାରୁ ରାଜସ୍ୱ ମନ୍ତ୍ରୀ ଏହା ଉପରେ ଉତ୍ତର ରଖିବା ଆବଶ୍ୟକ ବୋଲି ଶ୍ରୀ ସ୍ୱାଇଁ ମତ ଦେଇଥିବାବେଳେ ଗୃହରେ ଉପସ୍ଥିତ ଥିବା ରାଜସ୍ୱ ମନ୍ତ୍ରୀ ଏହି ଏହି ପ୍ରଶ୍ନ ଉପରେ କହିବାକୁ ଚାହିଁଥିଲେ । ବାଚସ୍ପତି ସୁରମା ପାଢୀ ରାଜସ୍ୱମନ୍ତ୍ରୀଙ୍କୁ ଉତ୍ତର ଦେବାପାଇଁ ଡାକିଥିଲେ ।
ରାଜସ୍ୱମନ୍ତ୍ରୀ କହିଥିଲେ ଯେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବେଦାନ୍ତକୁ ୬୦୦୦ ଏକର ଜମି ଦିଆଯାଇଥିଲା । ସର୍ତ୍ତଥିଲା ବେଦାନ୍ତ ଏହି କାର୍ଯ କରିବ । ହେଲେ ଏଥିରେ ଦୁଇ ଦୁଇ ଥର ପରିବର୍ତ୍ତନ ହୋଇ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ଏହି କାର୍ଯ୍ୟ କରିବାକୁ ସ୍ଥିର ହୋଇଥିଲା ।
ହେଲେ ଜମି ନେବାର ୧୦ ପରେ ବି ବିଶ୍ୱବିଦ୍ୟାଳୟର ଚିହ୍ନବର୍ଣ୍ଣ ମିଳିଲାନି । ଏଥିପାଇଁ ଉଭୟ ସରକାର ଓ ଘରୋଇ ଜମି ଅଧିଗ୍ରହଣ ହୋଇଥିଲା । ଜମି ଦେଇଥିବା ଲୋକେ କ୍ଷତିପୂରଣ ରାଶି ପାଇଥିଲେ । କିନ୍ତୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନହେବାରୁ ଏହାକୁ ନେଇ ଅଦାଲତରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା ।
ମାମଲାର ବିଚାର କରି ଓଡିଶା ହାଇକୋର୍ଟ କହିଥିଲେ ଯେ ବିଶ୍ୱର କୌଣସି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟକୁ ଏତେ ପରିମାଣର ଜମି ପ୍ରଦାନ କରାଯାଇ ନାହିଁ । ବିଶ୍ୱବିଦ୍ୟାଳୟ ପାଇଁ ଏତେ ପରିମାଣ ଜମି ଦରକାର ନାହିଁ । ଏଥି ସହିତ ଜମି ଅଧିଗ୍ରହଣକୁ ଅଦାଲତ ନାକଚ କରିଦେଇଥିଲେ ।
ଏହି ରାୟ ବିରୁଦ୍ଧରେ ବେଦାନ୍ତ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟ ଯାଇଥିଲେ । ତେବେ ସୁପ୍ରିମ୍କୋର୍ଟ ମାମଲାକୁ ଖାରଜ କରିବା ସହିତ ବେଦାନ୍ତ ଉପରେ ୫ଲକ୍ଷ ଟଙ୍କାର ଜୋରିମାନା ଲଗାଇଥିଲେ । ଅଦାଲତ ହିତାଧିକାରୀଙ୍କୁ ସମସ୍ତ ଜମି ଫେରସ୍ତ ପାଇଁ କହିବା ସହିତ କ୍ଷତିପୂରଣ ବାବଦରେ ଲୋକେ ପାଇଥିବା ରାଶି ଫେରସ୍ତ ଦେବାକୁ ସର୍ତ୍ତ ରଖିଛନ୍ତି ।
ଅର୍ଥ ଫେରସ୍ତକୁ ନେଇ କିଛି ସମସ୍ୟା ଥିବାରୁ ରାଜସ୍ୱ ଆଇନ୍ରେ ସଂଶୋଧନ ଆବଶ୍ୟକ ଏବଂ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ଏହା ସରିବ ବୋଲି ରାଜସ୍ୱମନ୍ତ୍ରୀ କହିଥିଲେ ।
ତେବେ ରାଜସ୍ୱମନ୍ତ୍ରୀ ତାଙ୍କ ଉତ୍ତର ରଖୁଥିବାବେଳେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ଗୋଟିଏ ପ୍ରଶ୍ନର ଉତ୍ତର ଦୁଇ ମନ୍ତ୍ରୀ ଦେବା ଗୃହରେ ଖରାପ ପରମ୍ପରା ସୃଷ୍ଟି କରୁଛି ବୋଲି ମତ ଦେବା ସହିତ ପଏଣ୍ଟ ଅଫ୍ ଅର୍ଡରରେ କିଛି କହିବାକୁ ଚାହିଁଥିଲେ । ତେବେ ବାଚସ୍ପତି ଶ୍ରୀ ବେହେରାଙ୍କୁ କହିବାକୁ ସୁଯୋଗ ଦେଇନଥିଲେ ଏବଂ ରାଜସ୍ୱମନ୍ତ୍ରୀ ତାଙ୍କର ସମ୍ପୂର୍ଣ୍ଣ ଉତ୍ତର ରଖିଥିଲେ ।