ଭୁବନେଶ୍ୱର : ଗୋଖାଦ୍ୟ ପାଇଁ ଓଡିଶା ବି ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଭଳି ରାଜ୍ୟର ନିର୍ଭରଶୀଳତା ଯୋଗୁଁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଓଡିଶାରୁ ଏ ବାବଦରେ କୋଟି କୋଟି ଟଙ୍କାର ମୁନାଫା ଉଠାଉଛନ୍ତି ।
ରାଜ୍ୟରେ ଗୋପାଳନକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏହା ଜରିଆରେ ଆତ୍ମନିଯୁକ୍ତି ବୃଦ୍ଧି ପାଉଛି । ରାଜ୍ୟ ସରକାର ମଧ୍ୟ ଗୋପାଳନ ପାଇଁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି । ବର୍ତ୍ତମାନ ରାଜ୍ୟରୁ କେବଳ ଓମଫେଡ୍ ୫ଲକ୍ଷ ୪୦ହଜାର କିଲୋରୁ ଅଧିକ ଦୁଗ୍ଧ ସଂଗ୍ରହ କରୁଥିବାବେଳେ ଅନ୍ୟାନ୍ୟ ଘରୋଇ ଦୁଗ୍ଧ ସଂଗ୍ରହକାରୀମାନେ ମଧ୍ୟ ରହିଛନ୍ତି ।
ତେବେ ଗୋପାଳନକୁ ରୋଜଗାର ଭାବେ ଆପଣେଇ ନେଇଥିବା ଗାଁ ଗହଳର ଲୋକଙ୍କୁ ଏବେ ଗୋଖାଦ୍ୟର ଦର ବାଧୁଛି । ଓମଫେଡ୍ର ଯେଉଁ ଦୁଇଟି ଗୋଖାଦ୍ୟ ଉତ୍ପାଦନ ପ୍ଲାଣ୍ଟ ରହିଛି ତାହା ସମୁଦ୍ରକୁ ଶଙ୍ଖେଭଳି । ଗୋଖାଦ୍ୟ ଆକାରରେ ମୁଖ୍ୟତଃ ଆବଶ୍ୟକ ହେଉଥିବା କୁଣ୍ଡା, ଚୋକଡ, ଚୁନି ଆଦି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ରାୟପୁର ଓ କୋଲକତାରୁ ଓଡିଶାକୁ ଦୈନିକ ଟ୍ରକ ଟ୍ରକ କୁଣ୍ଡା ଆସୁଥିବାବେଳେ ଉତ୍ତରପ୍ରଦେଶ, ରାୟପୁର ଓ କୋଲକତାରୁ ଚୋକଡ ଓ ଚୁନି ଆଦି ଆସୁଛି ।
ବାହାର ରାଜ୍ୟରୁ ଗୋଖାଦ୍ୟ ଆସୁଥିବାରୁ ଓଡିଶାର ଦୁଗ୍ଧଚାଷୀମାନେ ପରିବହନ ଖର୍ଚ୍ଚ ବାବଦରେ କୋଟି କୋଟି ଟଙ୍କା ଗଣୁଛନ୍ତି । ଗାଁ ଗହଳରେ ଏବେ ଗୋଟିଏ କିଲୋ କୁଣ୍ଡାର ଦର ୧୦ ଟଙ୍କା ହୋଇଥିବାବେଳେ ଚୋକଡ କିଲୋ ୨୦ ଟଙ୍କା ଛୁଇଁଲାଣି । ଅନ୍ୟାନ୍ୟ ଗୋଖାଦ୍ୟର ଦର ବି ଆକାଶଛୁଆଁ । ଗୋଟିଏ ପଟେ ସରକାରୀ ସ୍ତରରେ ଦୁଗ୍ଧ ଦର ବୃଦ୍ଧି ପାଉନଥିବାବେଳେ ଅନ୍ୟପଟେ ବ୍ୟବସାୟୀମାନେ ଗୋଖାଦ୍ୟର ଦର ବଢାଇ ଚାଲିଥିବାରୁ ଦୁଗ୍ଧଚାଷୀମାନଙ୍କ ଆୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ।
ଓଡିଶାରେ ବହୁ ସଂଖ୍ୟାରେ ଚାଉଳ ମିଲ୍ ଥିଲେ ମଧ୍ୟ ସେଠାରୁ ବାହାରୁଥିବା କୁଣ୍ଡା ଅନ୍ୟ ରାଜ୍ୟ ସମେତ କଳକାରଖାନାକୁ ଚାଲାଣ ହୋଇ ଯାଉଛି । ଓଡିଶାର ଚାଉଳ ମିଲ୍ରୁ ବାହାରୁଥିବା କୁଣ୍ଡା ଅନ୍ୟ ରାଜ୍ୟକୁ ଯାଇ ସେଠାରୁ ପ୍ରକ୍ରିୟାକରଣ ହୋଇ ଓଡିଶାକୁ ଆସି ବିକ୍ରି ହେଉଛି । ସେହିଭଳି ଚାଉଳକଳଗୁଡିକରୁ ବାହାରୁଥିବା ଚଷୁ ଓ କୁଣ୍ଡାକୁ ଚଢା ଦରରେ କଳକାରଖାନାକୁ ବିକ୍ରିକରି ଦେଉଛନ୍ତି । ଓଡିଶାରେ ସେଭଳି ସଂଖ୍ୟାରେ ବୃହତ୍ ଅଟାକଳ ନଥିବାରୁ ଗୋଖାଦ୍ୟର ମୁଖ୍ୟ ଉପାଦାନ ଚୋକଡ ଅନ୍ୟ ରାଜ୍ୟରୁ ଆସୁଛି ।
କେବଳ ଗୋଖାଦ୍ୟ ନୁହେଁ, କୁକୁଡା ଓ ମାଛଙ୍କ ଖାଦ୍ୟ ପାଇଁ ମଧ୍ୟ ଓଡିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । କୁକୁଡାଖାଦ୍ୟ ପ୍ରସ୍ତୁତି ପାଇଁ ମୁଖ୍ୟ ଉପାଦାନ ମକା ପଶ୍ଚିମଓଡିଶାରେ ପର୍ଯ୍ୟାପ୍ତ ପରିମାଣରେ ଉତ୍ପାଦନ ହେଉଥିଲେ ମଧ୍ୟ ଏହାକୁ ଅଳ୍ପ ଦରରେ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ କିଣିନେଇ ସେଥିରେ କୁକୁଡାଖାଦ୍ୟ ପ୍ରସ୍ତୁତ କରି ଓଡିଶାକୁ ବିକୁଛନ୍ତି । ସେହିଭଳି ଚିଙ୍ଗୁଡି ଓ ଅନ୍ୟ ମାଛଙ୍କ ପାଇଁ ଆବଶ୍ୟକ ହେଉଥିବା ଦାନା ମଧ୍ୟ ଅନ୍ୟ ରାଜ୍ୟରୁ ଆସିବାରେ ଲାଗିଛି ।
ମୋଟାମୋଟି ଭାବେ ଦୁଗ୍ଧ ଉତ୍ପାଦନ, କୁକୁଡା ଓ ମାଛ ଚାଷ ଦ୍ୱାରା ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ ସହିତ ବ୍ୟାପକ ସବସିଡ୍ ପ୍ରଦାନ କରୁଥିବାବେଳେ ଏହି ଚାଷ ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟ ପ୍ରସ୍ତୁତି ଶିଳ୍ପ ନଥିବାରୁ ଲାଭର ସିଂହଭାଗ ଅନ୍ୟ ରାଜ୍ୟର ବ୍ୟବସାୟୀମାନଙ୍କ ନିକଟକୁ ଚାଲିଯାଉଛି । (ତଥ୍ୟ)