Home Education ଗୋଟିଏ ପ୍ରସଂଗରେ ଅନେକ ତଦନ୍ତ

ଗୋଟିଏ ପ୍ରସଂଗରେ ଅନେକ ତଦନ୍ତ

ଭୁବନେଶ୍ୱର : ବାଲେଶ୍ୱର ଛାତ୍ରୀ ଆତ୍ମାହୂତି ଗୋଟିଏ ପ୍ରସଂଗ ହୋଇଥିବା ବେଳେ ତଦନ୍ତ କିନ୍ତୁ ଅନେକ । କେଉଁ ତଦନ୍ତର ଦିଗ କୁଆଡ଼େ ଯିବ ଏବଂ ବିଭିନ୍ନ ତଦନ୍ତ ରିପୋର୍ଟରେ ବିରୋଧାତ୍ମକ ତଥ୍ୟ ଆସିଲେ ଅଭିଯୁକ୍ତଙ୍କୁ ତାହା ସୁହାଇବ କି ନାହିଁ ସେଥିଘେନି ସାଧାରଣ ଲୋକଙ୍କ ଠାରୁ ଆଇନ୍‍ ବିଶାରଦମାନେ ପ୍ରଶ୍ନ ଉଠାଉଛନ୍ତି ।

ବାଲେଶ୍ୱର ଦୁର୍ଘଟଣାରେ କୁହାଯାଉଛି, ପ୍ରସଂଗ ଏକ- ତଦନ୍ତ ଅନେକ । ଏହି ଅପରାଧିକ ଘଟଣା ସଂପର୍କରେ ଆତ୍ମାହୂତି ଦେବା ପୂର୍ବରୁ ଫକୀର ମୋହନ ସ୍ୱୟଂଶାସିତ କଲେଜ୍‍ର ଛାତ୍ରୀ ସୌମ୍ୟାଶ୍ରୀ ପୋଲିସ ନିକଟରେ ଗୁହାରି କରିଥିଲେ । ପୋଲିସ ସେ ସମୟରେ କ’ଣ ତଦନ୍ତ କରିଥିଲା କି ନାହିଁ ତାହା ଏକ ପ୍ରଶ୍ନବାଚୀ । ପୋଲିସ କାର୍ଯ୍ୟାନୁଷ୍ଠାନ ଦାବି କରି ଉଚ୍ଚ ପଦାଧିକାରୀଙ୍କ ନିକଟରେ ମଧ୍ୟ ବିକ୍ଷୋଭ କରାଯାଇଥିଲା । ଏହାର କ’ଣ ଫଳାଫଳ ହେଲା ଜଣାନାହିଁ । ଏବେ ଛାତ୍ରୀଙ୍କ ମୃତ୍ୟୁ ପରେ ମାମଲାର ତଦନ୍ତ ଭାର କ୍ରାଇମ୍‍ବ୍ରାଞ୍ଚକୁ ଦିଆଯାଇଛି ଏବଂ କ୍ରାଇମ୍‍ବ୍ରାଞ୍ଚର ଅଭିଜ୍ଞ ଅଧିକାରୀମାନେ ମଧ୍ୟ ତଦନ୍ତକୁ ଜୋରଦାର କରୁଛନ୍ତି । ତେବେ ଏହି ସମ୍ବେଦନଶୀଳ ଆତ୍ମାହୂତି ଘଟଣାରେ ତଦନ୍ତ ଭାର ସିବିଆଇକୁ ଦେବା ଏବଂ ଆଇନ୍‍ ଅଦାଲତ ଏହାର ତଦାରଖ କରିବା ପାଇଁ ଦାବି ହେଉଥିବା ବେଳେ ଏହି ପ୍ରସଂଗର ବିଚାର ବିଭାଗୀୟ ତଦନ୍ତ ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତିଙ୍କ ଦ୍ୱାରା କରାଇବା ଲାଗି ମଧ୍ୟ ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି ।

ଏହି ଘଟଣା ସଂପର୍କରେ କଲେଜ୍‍ର ଅଧ୍ୟକ୍ଷ, ସ୍ଥାନୀୟ ବିଧାୟକ ଓ ସାଂସଦ, ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆଦିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ କିଏ ଏ ପ୍ରସଂଗରେ କି ପଦକ୍ଷେପ ନେଇଛନ୍ତି ତାହା ଜଣାପଡୁନଥିବାରୁ ଏସବୁକୁ ବି ତଦନ୍ତ ପରିସରଭୁକ୍ତ କରିବା ଲାଗି ଦାବି ହେଉଛି । ଓଡ଼ିଶାରେ ମହିଳା କମିଶନ ଅଚଳ ହୋଇ ପଡିଥିବାବେଳେ ଜାତୀୟ ମହିଳା କମିଶନ ଏହି ବ୍ୟାପାରରେ ଓଡ଼ିଶା ସରକାରଙ୍କୁ ନୋଟିସ କରିଛନ୍ତି । ଜାତୀୟ ମହିଳା କମିଶନଙ୍କ ରିପୋର୍ଟ ଉପରେ ବି ଲୋକଙ୍କ ନଜର ରହିଛି ।

ବିଳମ୍ବରେ ହେଲେ ମଧ୍ୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଢ଼ାଯାଇ କଲେଜ୍‍ କର୍ତ୍ତୃପକ୍ଷ ଯେଉଁ ତଦନ୍ତ କରିଥିଲେ ତାହାର ରିପୋର୍ଟକୁ ସାଂସଦ ‘ସୀମର ଚାଳିଶା’ କହି ତାତ୍ସଲ୍ୟ କରିଛନ୍ତି । ଏହି କମିଟି ଅଭିଯୁକ୍ତ ଅଧ୍ୟାପକଙ୍କୁ ବିଭାଗୀୟ ମୁଖ୍ୟ ଦାୟିତ୍ୱରୁ ହଟାଇବା ପାଇଁ ବିଳମ୍ବରେ ସୁପାରିସ କରିଥିବାବେଳେ ତାହା କାହିଁକି କାର୍ଯ୍ୟକାରୀ କରାନଗଲା ଏବଂ ଉପସ୍ଥାନ କମ୍‍ ଥିବା କାରଣରୁ ୯ଜଣ ଛାତ୍ରଛାତ୍ରୀଙ୍କ ନାମ ନୋଟିସ ବୋର୍ଡରେ ପ୍ରକାଶ ପାଇଥିବାବେଳେ ୮ଜଣଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯାଇ କାହିଁକି ସୌମ୍ୟାଶ୍ରୀଙ୍କ ପ୍ରତି ପାତରଅନ୍ତର ହେଲା ସେ ସଂକ୍ରାନ୍ତରେ ତଦନ୍ତ ରିପୋର୍ଟ କହିବ ।

ଆତ୍ମାହୂତି ଘଟଣା ପରେ ଓଡ଼ିଶା ସରକାର ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି । ଯେଉଁଥିରେ ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ବିଜେବି କଲେଜର ଅଧ୍ୟକ୍ଷା ସଦସ୍ୟା ଅଛନ୍ତି । ଏହି କମିଟିର ରିପୋର୍ଟ ଆସିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ବିଶ୍ୱବିଦ୍ୟାଳୟ ଆନୁଦାନ ଆୟୋଗ ଅନ୍ୟ ଏକ କମିଟି ଗଠନ କରିଛି ଏବଂ ଉକ୍ତ କମିଟି ମଧ୍ୟ ବାଲେଶ୍ୱରରେ ପହଞ୍ôଚ ସରଜମିନ ତଦନ୍ତ କରୁଛି । ୟୁଜିସି ଓ ରାଜ୍ୟ ସରକାର ଦୁଇଟି ସମାନ୍ତରାଳ କମିଟି ଗଢ଼ିଥିବାବେଳେ କିଏ କ’ଣ ରିପୋର୍ଟ ଦେଉଛି ତାହା ଉପରେ ବି ନଜର ଅଛି । ଏହାଛଡ଼ା ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି । ଏହି ଉଭୟ ଘଟଣାରେ କାହାର ତଦନ୍ତ କେଉଁ ଦିଗକୁ ଯିବ ତାହା ମଧ୍ୟ ଏବେଠାରୁ କହିବା ମୁସ୍‍କିଲ୍‍ । ପ୍ରସଂଗ ଏକ ଓ ତଦନ୍ତ ଅନେକ ହୋଇଥିବାରୁ ବିଭିନ୍ନ ରିପୋର୍ଟ ମଧ୍ୟରେ ତାଳମେଳ ନରହିଲେ ତାହା ଅଭିଯୁକ୍ତଙ୍କୁ ସୁହାଇପାରେ ବୋଲି ଆଇନ୍‍ ବିଶେଷଜ୍ଞ ଓ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କହୁଛନ୍ତି ।(ତଥ୍ୟ)