Home Culture  ଗୁହାରି ୨୦୨୪ ଉଦ୍‍ଘାଟିତ

 ଗୁହାରି ୨୦୨୪ ଉଦ୍‍ଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୪’ର ଉଦ୍‍ଘାଟନୀ ଉତ୍ସବ ଆରମ୍ଭ ହୋଇଛି । ଏହି ତିନି ଦିନିଆ ସଙ୍ଗୀତ କାର୍ଯ୍ୟକ୍ରମରେ ରାଜ୍ୟର ବିଶିଷ୍ଟ କଣ୍ଠଶିଳ୍ପୀମାନେ ଯୋଗଦାନ କରୁଅଛନ୍ତି । ପବିତ୍ର ରଥଯାତ୍ରା ସମୟରେ ଏହି ଉତ୍ସବ ଆୟୋଜନ କରିବାର ମୂଳ ଉଦ୍ଦେଶ୍ୟ ଶ୍ରୀଜଗନ୍ନାଥଙ୍କ ଭକ୍ତି ସଙ୍ଗୀତକୁ ଲୋକ ଲୋଚନକୁ ଆଣି ତାର ପ୍ରଚାର ଓ ପ୍ରସାର କରିବା ।

ଉଦ୍‌ଘାଟନୀ ଉତ୍ସବର ଅତିଥିମାନେ ଥିଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ; ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପ୍ରାକ୍ତନ ନିର୍ଦ୍ଦେଶକ ଡ଼କ୍ଟର ଶାନ୍ତନୁ ରଥ; ବିଶିଷ୍ଟ ଗବେଷକ (ଭାଷା ଓ ସଙ୍ଗୀତ) ଡ଼କ୍ଟର କୀର୍ତ୍ତନ ନାରାୟଣ ପାଢୀ ଓ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶିକତା ଦାସ ।

ପ୍ରଥମେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରକାଶିତ ଗବେଷଣାତ୍ମକ ଇଂରାଜୀ ପୁସ୍ତକ “ଇଭୋଲ୍ୟୁସନ ଅଫ୍‍ ଓଡ଼ିଶୀ ମ୍ୟୁଜିକ୍‍” ସନ୍ଧ୍ୟାର ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ସଂଧ୍ୟାରେ ପ୍ରଥମେ ଓଡ଼ିଶୀ ଗବେଷଣା କେନ୍ଦ୍ରର ଶିଳ୍ପୀମାନେ ବୃନ୍ଦ ଗାୟନ ପରିବେଷଣ କରିଥିଲେ । ପରେ ପରେ ବିଶିଷ୍ଟ ଗାୟିକା ଗୀତା ଦାସ ପରିବେଷଣ କରିଥିଲେ ସାଲବେଗଙ୍କ ରଚନାରୁ ଉଦ୍ଧୃତ କାଳିଆ ତୋ କଳା ବୋଳା ଚିକ୍କଣ ମୁହଁ ଓ କାଳିଆ ଧନ ତୋ ଲାଗି ଯାଉ ଏ ଜୀବନ । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ସୁନାମଧନ୍ୟ ଗାୟକ ଶ୍ରୀଚରଣ ମହାନ୍ତିଙ୍କ ଦ୍ୱାରା ପୁରାତନ ରଚନାରେ ବନ୍ଦଇ ଶ୍ରୀ ବଳଦେବପ ରୋହିଣୀ ନନ୍ଦନ ଓ କିଏଗୋ ମିତ କେଡ଼େ ସୁନ୍ଦର ଗୋପିନାଥ ।

ତା ପରେ ଅନିନ୍ଦିତା ଦାଶ ପରିବେଷଣ କରିଥିଲେ ଜଗନ୍ନାଥ ଭଜନ । ପରେ ପରେ ବରିଷ୍ଟ ଗାୟକ ଶରତ କୁମାର ନାୟକ ପରିବେଷଣ କରିଥିଲେ ଚନ୍ଦନ ଲାଗି ସମୟେ ଓ ମନ ଥୟ କରି ଦେଖ ଏଥର । ତାଙ୍କ ପରେ ସୋହିନୀ ମିଶ୍ର ବୀର କିଶେରଙ୍କ ଦ୍ୱାରା ରଚିତ ପତିତପାବନ ବାନା ଓ ପୁରାତନ ରଚନାରେ ବାଧିଲା ଜାଣି କ୍ଷମା ଗାୟନ କରିଥିଲେ । ଶେଷରେ ସଞ୍ଜୟ ଦାଶ ପରିବେଷଣ କରିଥିଲେ ଦିନକୃଷ୍ଣଙ୍କ ଦ୍ୱାରା ରଚିତ ଜଗବନ୍ଧୁ ପରି ଜଣେ ସାମନ୍ତ ଓ ପୁରାତନ ରଚନାରୁ କେଣେ ଘେନି ଯାଉଚ  ଜଗନ୍ନାଥଙ୍କୁ ।

ସେମାନଙ୍କୁ ଯତ୍ରାଂଶରେ ସହଯୋଗ କରିଥିଲେ ତବଲାରେ ଯୋଗେନ୍ଦ୍ର ନାଥ ସ୍ୱାଇଁ, ଢୋଲକରେ ଏନ୍‍ ବାବୁଲି, ବଂଶୀରେ ସୌମ୍ୟ ରଞ୍ଜନ ଯୋଶୀ, ଅକ୍‍ଟୋପ୍ୟାଡ଼ରେ କୃଷ୍ଣ ଚନ୍ଦ୍ର ଦାସ, କିବୋର୍ଡ଼ରେ ରଞ୍ଜନ କୁମାର ମିଶ୍ର ଏବଂ ହାରାମୋନିୟମ୍‍ରେ ପ୍ରଫୁଲ୍ଲ ଚନ୍ଦ୍ର ବେହେରା । ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ଶିଳ୍ପୀମାନଙ୍କର ଭକ୍ତିପୁତ ସଙ୍ଗୀତ ପରିବେଷଣ ବେଶ୍‍ ଶ୍ରୃତିମଧୁର ଥିଲା ଯାହାକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ବେଶ୍‍ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡ଼କ୍ଟର ମୃତ୍ୟୁଞ୍ଜୟ ରଥ ଏବଂ ପରିଚାଳନାରେ ସହଯୋଗ କରିଥିଲେ  କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଡ଼କ୍ଟର ଅନୁଜା ତାରିଣୀ ମିଶ୍ର । ଜଗନ୍ନାଥଙ୍କ ଉପରେ ଏହି ପବିତ୍ର ରଥଯାତ୍ର ସମୟରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଏହି ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି’ ଅତ୍ୟନ୍ତ ଉଚ୍ଚାଭିଳାଷ ପଦକ୍ଷେପ ।