Home Health ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଉପୁଯାଉଛି ତମାଖୁ

ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଉପୁଯାଉଛି ତମାଖୁ

ଭୁବନେଶ୍ୱର : ତମାଖୁ ସେବନ ହେଉଛି ୧୪ ପ୍ରକାରର କର୍କଟ ଏବଂ ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ଜନିତ ସମସ୍ଯାର ଏକ ପ୍ରମୁଖ କାରଣ। ପ୍ରତିବର୍ଷ ବିଶ୍ୱରେ 8 ନିୟୁତ ଲୋକଙ୍କର ତମାଖୁ ସେବନ ଯୋଗୁଁ ମୃତ୍ୟୁ ଘଟିଥାଏ। ପିଲା ଓ ଯୁବକ ମାନେ ବିଶେଷ ଭାବରେ ସାଙ୍ଗସାଥୀଙ୍କ ଦ୍ଵାରା ପ୍ରଭାବିତ ହୋଇ ତମାଖୁ ସେବନ କରିଥାନ୍ତି ।  

ପିପୁଲ୍ସ  କଲଚରାଲ ସେଣ୍ଟର    (ପିକକ୍) ଦ୍ଵାରା ଆୟୋଜିତ “ପିଲାମାନଙ୍କୁ ତମାଖୁ ଜନିତ ସ୍ୱାସ୍ଥ୍ୟହାନିରୁ ରକ୍ଷା କରିବା” ଶୀର୍ଷକ ଏକ ୱେବିନାରରେ ବିଶେଷଜ୍ଞମାନେ ତମାଖୁ ସେବନକୁ ମୁକାବିଲା କରିବା ପାଇଁ ମିଳିତ ପ୍ରୟାସର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ସଙ୍ଗଠନ, ଯୁବ ପ୍ରତିନିଧି ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏକତ୍ରିତ ହୋଇ ତମାଖୁ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ଯାକୁ ହ୍ରାସ କରିବାର ବିଭିନ୍ନ ଉପାୟ ଉପରେ ଆଲୋଚନା କରିଥିଲେ।

ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ଏହି ୱେବିନାରରେ ସ୍ୱାଗତ ଭାଷଣ ଦେଇ କହିଛନ୍ତି ଯେ ଏହି ୱେବିନିନାର ଉଦ୍ଦେଶ୍ୟ ହେଉଛି ଶିଶୁ ଏବଂ ଯୁବକମାନଙ୍କୁ ତମାଖୁ ସେବନରୁ ରକ୍ଷା କରିବା ପାଇଁ ବିଭିନ୍ନ ଉପାୟ ଉପରେ ଆଲୋକପାତ କରିବା। କଟକସ୍ଥିତ ପଣ୍ଡା କ୍ଲିନିକ୍ ର ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡକ୍ଟର ରଞ୍ଜିତ କର କହିଲେ ଯେ ତମାଖୁରେ ୬୦୦୦୦ ଉପାଦାନ ରହିଛି, ଯାହା କର୍କଟ, ଫୁସଫୁସ ସଂକ୍ରମଣ, ଶିଶୁମାନଙ୍କଠାରେ କମ୍ ଓଜନ, ଗ୍ୟାଙ୍ଗ୍ରେନ୍ ଏବଂ ଚର୍ମ ସମସ୍ୟା ସୃଷ୍ଟି କରିବାରେ ସକ୍ଷମ। ସେ କହିଛନ୍ତି ଯେ ତମାଖୁ କିମ୍ବା ତମାଖୁ ଜନିତ ଦ୍ରବ୍ୟ ବ୍ୟବହାର କରୁଥିବା ଯୁବକମାନଙ୍କୁ କର୍କଟ ବିଶେଷ ଭାବରେ ପ୍ରଭାବିତ କରିଥାଏ। ତମାଖୁ ସେବନକୁ ନିଷେଧ କରିବାକୁ ଡକ୍ଟର କର ଆହ୍ଵାନ ଦେଇଥିଲେ ଏବଂ ଶିଶୁ ତଥା ଯୁବକମାନଙ୍କୁ ଏହାର ସ୍ୱାସ୍ଥ୍ୟ ପ୍ରତି ବିପଦ ବିଷୟରେ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ତମାଖୁ ଦ୍ରବ୍ୟର ବହୁଳ ପ୍ରଚାର ଓ ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇବ ଉଚିତ ବୋଲି ସେ ନିଜର ମତ ରଖିଥିଲେ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧକ୍ଷା ଶ୍ରୀମତୀ ମନ୍ଦାକିନି କର ଏହି ୱେବିନିନାରରେ ଅଂଶଗ୍ରହଣ କରି ତମାଖୁ ବିକ୍ରୟସ୍ଥଳରେ ତମାଖୁ ବିଜ୍ଞାପନ ଉପରେ ନିଷେଧାଦେଶ ସହିତ ବିଦ୍ୟାଳୟ, କଲେଜ ଏବଂ ଲୋକମାନକ ମଧ୍ୟରେ ସଚେତନତା ଅଭିଯାନ, ତମାଖୁ ସେବନ ତଥା ଏହାର ସ୍ୱାସ୍ଥ୍ୟପ୍ରତି ଥିବା  ବିପଦକୁ ଦୂର କରିବାରେ ନିତ୍ୟାନ୍ତ ଆବଶ୍ୟକ ହେବ ବୋଲି ସେ କହିଥିଲେ। ତମାଖୁ ସେବନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ଇକୋସେଭର୍ସ ୟୁଥ ନେଟୱର୍କର ସଭାପତି ସ୍ତୁତି ରଞ୍ଜନ ପ୍ରଧାନ ଗୁରୁତ୍ୱ ଆରୋପ କରିବା ସହ ଏହାର ସ୍ୱାସ୍ଥ୍ୟ ପ୍ରତି ବିପଦକୁ ରୋକିବା ପାଇଁ ମିଳିତ ଉଦ୍ୟମ କରିବା ଉଚିତ ବୋଲି ସେ ମତ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପିକକ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ଅଧ୍ୟକ୍ଷା ଡଃ ମୀନାକ୍ଷୀ ପଣ୍ଡା ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ। କର୍କଟରୋଗରୁ ରକ୍ଷା ପାଇଥିବା ସଚ୍ଚିକାନ୍ତ ଦାସ ତମାଖୁ ସେବନର ଭୟାଭୟ ପରିଣାମକୁ ଦର୍ଶାଇ ତମାଖୁରୁ ଦୂରେଇ ରହିବାକୁ ବିଶେଷ କରି ଯୁବଗୋଷ୍ଟିଙ୍କୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡିଶାର ବିଭିନ୍ନ ଜିଲ୍ଲାର ସ୍ଵେଚ୍ଛାସେବୀ ସଙ୍ଗଠନର ପ୍ରତିନିଧି ପ୍ରଦିପ କୁମାର ବେହେରା, ଆଦର୍ଶ, କବିତା ମହାନ୍ତି, ମହିମାସ, ସୋଫିଆ ଶେଖ, ଏସଡ଼ବଲଇଉସି, ଶୈଳବାଳା ନାୟକ, ହେଲ୍ପ  ତଥା ଯୁବ ପ୍ରତିନିଧି ନାରାୟଣ, ଶ୍ରଦ୍ଧାଞ୍ଜଳି, ଅନ୍ନପୂର୍ଣ୍ଣା, ଗୀତାଞ୍ଜଳି ପ୍ରମୁଖ ମଧ୍ୟ ନିଜର ମତ ରଖିଥିଲେ । ଏହି ୱେବିନାରରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୧୦୦ ରୁ ଅଧିକ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ। ପିକକ୍ ର ପୂଜା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।