ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସମେତ ଓଡିଶାର ବିଭିନ୍ନ ଅଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଭବିଷ୍ୟତରେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିପାରେ ବୋଲି ପରିବେଶବିଜ୍ଞାନୀମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।
ଭୁବନେଶ୍ୱରର ଯେଉଁ ସ୍ଥାନରେ ୨୦ବର୍ଷ ତଳେ ୨୦୦ ଫୁଟ ଖୋଳି ପାଣି ବାହାର କରାଯାଉଥିଲା ଏବେ ସେଠାରେ ୩୦୦ ଫୁଟରୁ ଅଧିକ ଖୋଳିବାକୁ ପଡୁଛି । ବିଶେଷକରି ଜନସଂଖ୍ୟା ବୃଦ୍ଧି ସହ ଜମିର ବ୍ୟବହାର ଓ ଭୂପଷ୍ଠ ଆବରଣରେ ପରିବର୍ତ୍ତନ, ସହରାଞ୍ଚଳରେ କଂକ୍ରିଟ ଜଙ୍ଗଲ ସୃଷ୍ଟି, ଶିଳ୍ପର ବିକାଶ, ପରିବେଶ ପ୍ରଦୂଷଣ, ନଦୀଗୁଡିକର ଜଳଧାରଣ ଶକ୍ତି ହ୍ରାସ, ବୃଷ୍ଟିପାତରେ ଅନିୟମିତତା, ତାପମାତ୍ରା ବୃଦ୍ଧି ଆଦି ବିଭିନ୍ନ କାରଣ ଯୋଗୁଁ ଭୂତଳ ଜଳସ୍ତର ପ୍ରଭାବିତ ହେଉଛି । ବିଶେଷକରି ଭୁବନେଶ୍ୱର ସମେତ ଅନ୍ୟ ସହରାଞ୍ଚଳଗୁଡିକରେ ଆଖିବୁଜା ଆପାର୍ଟମେଣ୍ଟ ନିର୍ମାଣ ସଂଗେ ସଂଗେ ଜଳ ଉତ୍ସଗୁଡିକୁ ନଷ୍ଟକରି ଦିଆଯିବା, ରାସ୍ତାକଡର ମାଟି ଜାଗାରେ କଂକ୍ରିଟ ଓ ପେଭରବ୍ଲକ ବିଛାଯିବା ଆଦି କାରଣରୁ ଭୂତଳ ଜଳସ୍ତର ହ୍ରାସ ପାଉଥିବା ଭୂବିଜ୍ଞାନୀମାନେ କହୁଛନ୍ତି ।
କେନ୍ଦ୍ରୀୟ ଭୂତଳ ଜଳବୋର୍ଡର ବିବରଣୀ ମୁତାବକ ୨୦୨୩ ମସିହାରେ ଓଡିଶାର ଭୁବନେଶ୍ୱର, ଖୋର୍ଦ୍ଧା, ବୋଲଗଡ, ନୟାଗଡ, ନୂଆପଡା, ଝାରସୁଗୁଡା, ତାଳଚେର, ବାଲିଆପାଳ ଓ କୋରେଇ ଭଳି ଅଞ୍ଚଳର ଭୂତଳ ଜଳ ସ୍ଥିତି ଅର୍ଦ୍ଧ ଗୁରୁତର ଅବସ୍ଥାକୁ ଚାଲି ଆସୁଛି । ଏହା ଗୁରୁତର ଅବସ୍ଥାକୁ ଚାଲିଗଲେ ଲୋକେ ପିଇବାପାଣି ପାଇଁ ଡହଳ ବିକଳ ହେବାର ସମ୍ଭାବନା ରହିଛି ।
ଓଡିଶାରେ ବର୍ଷକୁ ପ୍ରାୟ ୧୭ ବିଲିୟନ କ୍ୟୁବିକ ମିଟର ଭୂତଳ ଜଳ ରିଚାର୍ଜ ହେଉଛି । ବର୍ଷକୁ ପ୍ରାକୃତିକ ଜଳ ନିଷ୍କାସନ ଭୂତଳରେ ପ୍ରାୟ ଦେଢ ବିଲିୟନ କ୍ୟୁବିକ ମିଟର ହେଉଥିବାରୁ ଓଡିଶାର ଭୂତଳ ଜଳ ସମ୍ପଦ ମାତ୍ର ୧୫.୫ ବିଲିୟନ କ୍ୟୁବିକ ମିଟର ହୋଇପାରେ । ଓଡିଶାରେ ବାର୍ଷିକ ଯେତେ ଭୂତଳ ଜଳ ରିଚାର୍ଜ ହେଉଛି ତାହାର ପାଖାପାଖି ୫୯ ପ୍ରତିଶତ ମୌସୁମୀ ବର୍ଷାରୁ ଆସିଥାଏ ।
ଦୁବ ଠାରୁ ବରଗଛ ପର୍ଯ୍ୟନ୍ତ ସବୁଜିମାକୁ ସହରୀକରଣ, ଆଧୁନିକୀକରଣ, ଶିଳ୍ପାୟନ ଆଦି ନାମରେ ନଷ୍ଟ କରାଯାଉଥିବାରୁ ବର୍ଷାଜଳ ଜନିତ ଭୂତଳ ଜଳ ରିଚାର୍ଜ ପ୍ରକ୍ରିୟା ବ୍ୟାହତ ହେଉଛି । ଜଳ ସଂରକ୍ଷଣ ପାଇଁ ନଦୀ ନାଳ, ପୋଖରୀ, ବନ୍ଧ ଆଦି ବିଶେଷ ଯୋଗଦାନ ଦେଇଥାନ୍ତି । ଏବେ ମହାନଦୀ ସମେତ ଓଡିଶାରେ ପ୍ରବାହିତ ଅଧିକାଂଶ ନଦୀର ଶଯ୍ୟା ପୋତିହୋଇ ପଡିଥିବାବେଳେ ଶୀତଦିନରୁ ବର୍ଷାଦିନ ପର୍ଯ୍ୟନ୍ତ ପ୍ରାୟ ସବୁ ନଦୀଶଯ୍ୟା ଏକ ପ୍ରକାର ଶୁଖିଲା ଅବସ୍ଥାକୁ ଚାଲିଆସିଛି । ଯେଉଁ ଅଳ୍ପକିଛି ନଦୀରେ ସ୍ୱଳ୍ପ ଜଳଧାରା ରହିଛି ତାହା ମଧ୍ୟ ସମୁଦ୍ରକୁ ଶଙ୍ଖେ ଭଳି ।
ଅନ୍ୟ ପକ୍ଷରେ ତାପମାତ୍ରା ବୃଦ୍ଧି ଯୋଗୁଁ ଜଳର ବାଷ୍ପିକରଣ ପ୍ରକ୍ରିୟା ଦ୍ରୁତତର ହେଉଥିବା ଏବଂ ଗଛରୁ ପତ୍ର ଶୁଖି ଯାଉଥିବା ଫଳରେ ଭୂତଳ ଜଳ ସଂରକ୍ଷଣ ପାଇଁ ବଡ ଆହ୍ୱାନ ସୃଷ୍ଟି ହେଉଛି । ଉଭୟ ପରିବେଶବିତ୍ ଓ ଭୂବିଜ୍ଞାନୀମାନେ ଏହି ସମସ୍ୟା ଘେନି ଆଶଙ୍କାବ୍ୟକ୍ତ କରିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଜନସାଧାରଣ ଏହି ସମସ୍ୟାକୁ ଏବେ ଠାରୁ ଗୁରୁତ୍ୱର ସହ ନନେଲେ ଭବିଷ୍ୟତରେ ପଶୁପକ୍ଷୀ, ବୃକ୍ଷଲତା ତ ଦୂରରକଥା, ଏଠି ମଣିଷ ବଞ୍ଚିବା ଉପରେ ବି ପ୍ରଶ୍ନବାଚୀ ସୃଷ୍ଟି ହେବାର ଆଶଙ୍କା ଅଧିକ ରହିଛି । ବସୁଧା ଯୋଜନାରେ ରାଜ୍ୟ ସରକାର ଗାଁ ଗଣ୍ଡାରେ ପାଇପ୍ ଯୋଗେ ପାନୀୟଜଳ ଯୋଗାଇବାପାଇଁ ଅନେକଗୁଡିଏ ପ୍ରକଳ୍ପ ନିର୍ମାଣ କରିଥିଲେ ମଧ୍ୟ ଏବେ ଖରାଦିନେ ଏହି ପ୍ରକଳ୍ପ ମାଧ୍ୟମରେ ଲୋକଙ୍କୁ ଅନେକ ସ୍ଥାନରେ ପାନୀୟଜଳ ଯୋଗାଯିବା ଅସମ୍ଭବପର ହେଉଥିବାରୁ ସମସ୍ୟା ଉପୁଜୁଛି । ତେଣୁ ପ୍ରଚୁର ପରିମାଣର ଭୂତଳ ଜଳ ସଂରକ୍ଷଣ ସହିତ ଜଳ ବ୍ୟବହାର କ୍ଷେତ୍ରରେ ମିତବ୍ୟୟିତା ଅବଲମ୍ବନ ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । (ତଥ୍ୟ)