ଭୁବନେଶ୍ୱର : ଅମାନିଆ ଓ ମଦୁଆ ଗାଡି ଚାଳକଙ୍କୁ ଧରି ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ ହେଉଥିବାବେଳେ ତାହାକୁ ଆଉ ଅଧିକାଂଶ ଖାତିର କରୁନାହାନ୍ତି । ପୁଲିସ୍ ହେପାଜତରୁ କିଛି ଅର୍ଥ ଦେଇ ଏହାକୁ ସହଜରେ ମୁକୁଳାଇ ନେଉଥିବାବେଳେ ପରିବହନ ବିଭାଗ ଏହାର ଟେର ପାଉନାହିଁ । ଖୋଦ୍ ରାଜଧାନୀରେ ଜବତ ଲାଇସେନ୍ସକୁ ଦେବାପାଇଁ ୨ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପୁଲିସ୍ କର୍ମଚାରୀ ଧରାପଡିବାପରେ ଏହି ଘଟଣା ପଦାକୁ ଆସିଛି ।
ଯେବେଠାରୁ ପୁଲିସ୍ ହାତରେ ଗାଡିମୋଟର ଯାଞ୍ଚ ଓ ଜୋରିମାନା ଆଦାୟ ଦିଆଗଲାଣି ସେବେଠାରୁ ଏଭଳି କାରବାର ଚାଲିଛି ବୋଲି ପରିବହନ ବିଭାଗ କିଛି ଅଧିକାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି । ସେମାନଙ୍କର କହିବାକଥା ଯେ ପୁଲିସ୍ ବାବୁମାନେ ଏବେ ଗାଡିମୋଟର ଯାଞ୍ଚ ପାଇଁ ଅଧିକ ଆଗ୍ରହ ଦେଖାଉଛନ୍ତି । ଅମାନିଆ ଓ ମଦୁଆ ଗାଡିଚାଳକମାନଙ୍କୁ ଧରି ସେମାନଙ୍କ ଠାରୁ ଜୋରିମାନା ଆଦାୟ ସହିତ ଡ୍ରାଇଭିଂ ଲାଇସେନ୍ସ ସିଜ୍ କରୁଛନ୍ତି । ତେବେ ଏ ସଂକ୍ରାନ୍ତରେ ପରିବହନ ବିଭାଗକୁ ଅବଗତ କରାଯାଉ ନାହିଁ । ଫଳରେ ଚାଳକମାନଙ୍କର ଲାଇସେନ୍ସ ସିଜ୍ ହୋଇଛି କି ନାହିଁ ପରିବହନ ବିଭାଗ ତାହାର ଟେର୍ ପାଉନାହିଁ ।
ପରବର୍ତ୍ତୀ ସମୟରେ ଚାଳକ ଜଣଙ୍କ ପୁଲିସ୍କୁ ଧରାଧରି ଲାଇସେନ୍ସ ନେଇ ଆସିବାପରେ ତାହାକୁ ସହଜରେ ନବୀକରଣ କରାଇ ନେଉଛନ୍ତି । କାରଣ ସିଜ୍ ହେଉଥିବା ଲାଇସେନ୍ସ ସଂକ୍ରାନ୍ତରେ ପରିବହନ ପୋର୍ଟାଲରେ ଉଲ୍ଲେଖ କରିବାପାଇଁ ପୁଲିସ୍ ନିକଟରେ ସାଧନ ନାହିଁ ।
ସେହିଭଳି ପୁଲିସ୍ କର୍ମଚାରୀ ଓ ଅଧିକାରୀମାନେ ନିୟମିତ ଯାନବାହାନ ଯାଞ୍ଚ କରୁଥିଲେ ମଧ୍ୟ ନଗଦ ଅର୍ଥ ଆଦାୟ କରୁଥିବାରୁ ଏହାର ସିଂହଭାଗ ବାଟମାରଣା ହୋଇ ଯାଉଥିବା ପରିବହନ ବିଭାଗର ଅଧିକାରୀମାନେ ଆଶଙ୍କା କରୁଛନ୍ତି । ସେମାନଙ୍କର ମତ ହେଉଛି ଯେ ଗାଡିମୋଟର ଯାଞ୍ଚ ସମୟରେ ଅମାନିଆଙ୍କ ଠାରୁ ଜୋରିମାନାକୁ ଡିଜିଟାଲ ପଦ୍ଧତିରେ ଗ୍ରହଣ କରିବାପାଇଁ ବିଭିନ୍ନ ବ୍ୟାଙ୍କ୍ର ପୋର୍ସ ମେସିନ୍ ଯୋଗାଇ ଦିଆଯାଇଛି । ଏଥିରେ ଗାଡିଚାଳକ ଚାହିଁଲେ କାର୍ଡ କିମ୍ବା ୟୁପିଆଇ ମାଧ୍ୟରେ ଅର୍ଥ ପଇଠ କରିପାରିବେ । ହେଲେ ପୁଲିସ୍ କିମ୍ବା ଟ୍ରାଫିକ ପୁଲିସ୍ ତାହା କରୁନାହାନ୍ତି । ପୋର୍ସ ମେନିନ୍ ଖତ ହେବାରେ ଲାଗିଛି । ଥାନା ବାବୁମାନେ ନଗଦ ଆଦାୟ ଉପରେ ଜୋର ଦେଉଛନ୍ତି ।
ଏହାଦ୍ୱାରା କେବଳ ଲୋକେ ହଇରାଣ ହରକତ ହେଉନାହାନ୍ତି ଗାଡିମୋଟରରୁ ଆଦାୟ ଜୋରିମାନା ଅର୍ଥ ପରିବହନ ବିଭାଗ ଖାତାକୁ ଆସୁନାହିଁ । ଆଦାୟ ଅର୍ଥକୁ ପୁଲିସ୍ ତାହାର ରାଜସ୍ୱ ଆୟରେ ଦର୍ଶାଉଛି ।
ଉଲ୍ଲେଖନୀୟ ଯେ ୧୯୬୫ ମସିହା ପର୍ଯ୍ୟନ୍ତ ପରିହବନ ବ୍ୟବସ୍ଥା ପୁଲିସ୍ ହାତରେ ଥିବାବେଳେ ମାସାନି କମିଶନଙ୍କ ରିପୋର୍ଟ ପରିପ୍ରେକ୍ଷୀରେ ଏହା ପୃଥକ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଗାଡିମୋଟର ଯାଞ୍ଚ ସହିତ ଜୋରିଆଦାୟ କ୍ଷମତା ପୁଲିସ୍ ହାତରେ ଦିଆଯାଇଛି । ତେବେ ଜବତ ଡ୍ରାଇଭିଂ ଲାଇସେନ୍ସକୁ ଛାଡିଦେବାପାଇଁ ୨ହଜାର ଟଙ୍କା ଲାଞ୍ଚନେବାବେଳେ ରାଜଧାନୀର ଜଣେ ପୁଲିସ୍ ବାବୁ ଧରାପଡିବା ପରେ ଗାଡିମୋଟର ଯାଞ୍ଚ କ୍ଷମତା ପାଇଥିବା ପୁଲିସ୍ର ଗୁମର ଖୋଲିବାରେ ଲାଗିଛି । (ତଥ୍ୟ)