ଭୁବନେଶ୍ୱର : ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ଏବେ ବିଜୁଳି ବ୍ୟବସ୍ଥାର ପାରିବାପଣିଆ ଉପରୁ ପରଦା ଉଠାଇବାରେ ଲାଗିଛି । ସହର ଠାରୁ ଗାଁ ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ଏବେ ଖରା ଓ ଗୁଳୁଗୁଳିରେ ଲୋକଙ୍କୁ ଅତିଷ୍ଠ କରିବାରେ ଲାଗିଛି ।
ବିଜୁଳି ବ୍ୟବସ୍ଥାରେ ସୁଧାର ଆଣିବାପାଇଁ ବର୍ଷ ସାରା ମରାମତି ନାଁରେ ଘଣ୍ଟା ଘଣ୍ଟା ବିଜୁଳି କାଟ୍ ହେଉଥିବାବେଳେ ଗତକାଲିର କାଳବୈଶାଖୀ ଜନିତ ପବନ ଓ ବର୍ଷା ଖୋଦ ରାଜଧାନୀରେ ବିଜୁଳି ବ୍ୟବସ୍ଥାର ବାସ୍ତବ ସ୍ଥିତିକୁ ପଦାରେ ପକାଇଛି । ଦଲକାଏ ପବନରେ ବିଭିନ୍ନ ସ୍ଥାନରେ ତାର ଛିଡିବା ସହିତ ବିଜୁଳି ବିଭ୍ରାଟ ଦେଖା ଦେଇଥିଲା । ଲାଇନ୍ କଟିବାମାତ୍ରେ ଟାଟା ପାୱାର ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ହେଉଥିବା ନେଇ ଗ୍ରାହକମାନଙ୍କୁ ସୂଚନା ଦିଆଯାଇଥିଲା । ହେଲେ ବିଭିନ୍ନ ସ୍ଥାନରେ ରାତି ଅଧଯାଏ ଲୋକେ ବିଜୁଳି ସେବାରୁ ବଞ୍ଚିତ ହୋଇଥିଲେ । ଏ ନେଇ ହିତାଧିକାରୀମାନେ ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ କରିଥିଲେ ମଧ୍ୟ କେଉଁ କାରଣ ପାଇଁ କେଉଁଠାରେ କେତେ ସମୟ ବିଜୁଳି କାଟ୍ ହୋଇଥିଲା ତାହାର ସୂଚନା ରାଜଧାନୀବାସୀ ଜାଣିପାରିନଥିଲେ ।
ଗାଁ ଗହଳରେ କିନ୍ତୁ ଅବସ୍ଥା ଆହୁରି ସାଂଘାତିକ । ପବନ ଓ ବର୍ଷା ଆସିଲାମାତ୍ରେ ଲାଇନ୍ ପଳାଉଛି । କିନ୍ତୁ ବର୍ଷା ପବନ ଯିବାପରେ ବି ସହଜରେ ଲାଇନ୍ ଆସୁନାହିଁ । ଦିନ ରାତି ସବୁବେଳେ ତୁହାକୁ ତୁହା ବିଜୁଳି କାଟ୍ରେ ଗାଁ ଗହଳର ଲୋକେ ବି ଅତିଷ୍ଠ ହେଲେଣି । ଖରା ଓ ଗୁଳୁଗୁଳିରେ ଲୋକେ ସନ୍ତୁଳି ହେଉଛନ୍ତି । ବିଦ୍ୟୁତ୍ ବିଭାଗକୁ ଯୋଗାଯୋଗ କଲେ ଗୋଟିଏ ଉତ୍ତର ମିଳୁଛି ପବନ ପାଇଁ ବିଦ୍ୟୁତ୍ ଯାଇଛି, ଅପେକ୍ଷା କର ଆସିବ ।
ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତି ସହିତ ହିତାଧିକାରୀଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ କାପେକ୍ସ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ ନୂତନ ଖୁଣ୍ଟ, ତାର ସହିତ ଭୂତଳ କେବୁଲ ବିଛାଉଥିବା ଦର୍ଶାଉଛନ୍ତି । ହେଲେ ସାମାନ୍ୟ ବର୍ଷା ପବନରେ ଘନ ଘନ ବିଦ୍ୟୁତ୍ କାଟ୍ ଏବେ କାପେକ୍ସ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି କଲାଣି ।
ଗାଁ ଗହଳରେ ବିଦ୍ୟୁତ୍ ଖୁଣ୍ଟ ଠାରୁ ଆରମ୍ଭ କରି ତାର ପର୍ଯ୍ୟନ୍ତ ଦୀର୍ଘଦିନ ଧରି ବଦଳାଯାଉନଥିବାରୁ ସାମାନ୍ୟ ବର୍ଷା ପବନ ହେଲେ ବିଦ୍ୟୁତ୍ ସରବରାହ ପ୍ରଭାବିତ ହେଉଛି । ସେହିଭଳି ସହରାଞ୍ଚଳରେ ବିଦ୍ୟୁତ୍ ବ୍ୟବସ୍ଥାର ରକ୍ଷଣା ବେକ୍ଷଣ ପାଇଁ ଯେଭଳି ସଂଖ୍ୟାଧିକ କର୍ମଚାରୀ ମୁତୟନ ହେଉଛନ୍ତି ସେହି ତୁଳନାରେ ଗାଁ ଗହଳରେ କର୍ମଚାରୀ ନାହାନ୍ତି । ଠିକା କର୍ମଚାରୀଙ୍କ ହାତରେ ଗାଁ ଗହଳରେ ବିତରଣ କମ୍ପାନୀମାନେ କାମ ଚଳାଇ ନେଉଥିବାରୁ ଥରେ ବିଦ୍ୟୁତ୍ ବ୍ୟବସ୍ଥା ପ୍ରଭାବିତ ହେଲେ ଦିନ ଦିନ ଧରି ଲାଇନ୍ ଆସିବା ସମ୍ଭବପର ହେଉନାହିଁ ।
ବିଦ୍ୟୁତ୍ ଗ୍ରାହକମାନେ ଠିକଣା ସମୟରେ ଯେଭଳି ବିଲ୍ ପଇଠ ନକଲେ ସେମାନଙ୍କୁ ନୋଟିସ୍ ପଠାଇବା ସହିତ ଲାଇନ୍ କାଟିଦେବାର ନାଲିଆଖି ଦେଖାଯାଉଛି ଅନୁରୂପ ଭାବେ ବିଦ୍ୟୁତ୍ ଯୋଗାଣ କରିବାପାଇଁ ସାଧାରଣରେ ମତପ୍ରକାଶ ପାଉଛି । ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ଏ ଦିଗ ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ବିଦ୍ୟୁତ୍ ଉପଭୋକ୍ତାମାନେ ମତ ଦେଉଛନ୍ତି । (ତଥ୍ୟ)