Home Culture ଗୁଣ୍ଡିଚା ମନ୍ଦିରରେ ତିନି ରଥ

ଗୁଣ୍ଡିଚା ମନ୍ଦିରରେ ତିନି ରଥ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କ ଭାଇଭଉଣୀ ଭଗବାନ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ନିର୍ଦ୍ଧାରିତ ସମୟ ଅନୁଯାୟୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ଶରଧାବାଲିରେ ପହଞ୍ଚିଛି। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ତିନି ପବିତ୍ର ରଥ ପୁରୀ ଶରଧାବାଲିରେ ପହଞ୍ଚିଥିଲା।

ହରିବୋଲ ଓ ଜୟ ଜଗନ୍ନାଥଙ୍କ ଧ୍ବନି ମଧ୍ୟରେ ଭଗବାନ ବଳଭଦ୍ରଙ୍କ ରଥ ତାଳଧ୍ୱଜ ପ୍ରଥମେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନରେ ବିଜେ କରିଥିଲେ। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲା।

ଜୁଲାଇ ୯ ତାରିଖ ସକାଳେ ତ୍ରିମୂର୍ତ୍ତିଙ୍କୁ ପହଣ୍ଡି କରି ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପକୁ ନିଆଯିବ।

ଗତକାଲି ଓ ଆଜି ଦୁଇ ଦିନ ଧରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟାଣିଥିଲେ। ରଥ ଉପରେ ତିନି ଠାକୁରଙ୍କ ଦର୍ଶନ ପାଇଁ ରବିବାର ଓ ସୋମବାର ଦିନ ଏହି ତୀର୍ଥନଗରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

ତିନୋଟି ରଙ୍ଗାରଙ୍ଗ ରଥ ଓ ଫୁଲ ସଜେଇଥିବା ମନ୍ଦିରର ପୃଷ୍ଠଭୂମିରେ ବଡଦାଣ୍ଡର ସମଗ୍ର ଅଞ୍ଚଳ ଜନ ସମୁଦ୍ରରେ ପରିଣତ ହୋଇଥିଲା।

ଚଳିତ ବର୍ଷର ରଥଯାତ୍ରା ଅନନ୍ୟ ଓ ବିରଳ ଥିଲା । କାରଣ ଗୋଟିଏ ଦିନରେ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ ସମେତ ଏକାଧିକ ରୀତିନୀତି ଅନୁଷ୍ଠିତ ହୋଇଥିଲା।

୧୮୦ ପ୍ଲାଟୁନ୍ ଫୋର୍ସ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପର୍ବ ସ୍ଥଳ ବଡ଼ଦାଣ୍ଡ ଓ ତୀର୍ଥନଗରୀର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭିତ୍ତିକ ସିସିଟିଭି କ୍ୟାମେରା ଲଗାଯାଇଛି।

ବ୍ୟାପକ ପୁଲିସ ଫୋର୍ସ ମୁତୟନ ସତ୍ତ୍ୱେ ଗତକାଲି ରଥ ଟାଣିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ତେବେ ଆଜି କୌଣସି ଅଘଟଣ ଘଟିନାହିଁ।

ଗତକାଲି ସନ୍ଧ୍ୟାରେ ପୁରୀରେ ରଥ ଟାଣିବା ସମୟରେ ପ୍ରବଳ ଭିଡ଼ ଯୋଗୁଁ ବଲାଙ୍ଗୀର ଜିଲ୍ଲା ସଇଁତଳା ଅଞ୍ଚଳର ଭକ୍ତ ଲଳିତ ବଗର୍ତ୍ତୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଶ୍ରୀ ମାଝୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଆହତ ଶ୍ରଦ୍ଧାଳୁଙ୍କୁ ମାଗଣାରେ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।