Home Health ଗୁଟ୍‍ଖା ନିୟନ୍ତ୍ରଣ କରିବ କିଏ ?

ଗୁଟ୍‍ଖା ନିୟନ୍ତ୍ରଣ କରିବ କିଏ ?

ଭୁବନେଶ୍ୱର : ମୁଖ୍ୟ ଗହ୍ୱର କର୍କଟ ରୋଗର ଅନ୍ୟତମ କାରଣ ସାଜିଥିବା ଗୁଟ୍‍ଖାକୁ ରାଜ୍ୟ ସରକାର ନିଷେଧ କରିବାକୁ ଇତି ମଧ୍ୟରେ ୧୦ବର୍ଷ ପୂରିଥିବାବେଳେ ଏହାର ବ୍ୟବସାୟ କିନ୍ତୁ ପୂର୍ବବତ୍‍ ଜାରି ରହିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିଷେଧାଦେଶର ବିଜ୍ଞପ୍ତି ଜାରି ହୋଇଥିବାବେଳେ ଏହାର ସେଭଳି ଆଖିଦୃଶିଆ ଧରପଗଡ ହେଉନାହିଁ ।

ଗୁଟ୍‍ଖାରେ ଶରୀର ପ୍ରତି ଅତ୍ୟନ୍ତ କ୍ଷତିକାରଣ ଟବାକୋ ଓ ନିକୋଟିନ୍‍ ଥିବାରୁ ଲୋକଙ୍କ ଏହାଠାରୁ ଦୂରେଇ ରଖିବାପାଇଁ ୨୦୦୬ର ଖାଦ୍ୟ ସୁରକ୍ଷା ଓ ମାନକ ଆଇନ୍‍ ଆଧାରରେ ରାଜ୍ୟରେ ଏହାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହାର ଉତ୍ପାଦନ, ବିକ୍ରି ଓ ଖାଇବା ଉପରେ କଡା କଟକଣା ରହିଛି । ୨୦୧୩ ମସିହା ଜାନୁୟାରୀ ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏହି ବିଜ୍ଞପ୍ତି ଜାରି କରିଥିଲା ।

ଏହାପରେ ସମସ୍ତେ ଭାବିଥିଲେ ରାଜ୍ୟରେ ଆଉ ଗୁଟ୍‍ଖା ଦେଖିବାକୁ ମିଳିବନାହିଁ । ସରକାର ବିଜ୍ଞପ୍ତି ଜାରି କରିବା ପରେ ପରେ କିଛିଦିନ ଏହାର ଧରପଗଡ ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗ ସମେତ ପୁଲିସ୍‍ ବିଭାଗ ବିଭିନ୍ନ ସ୍ଥାନରେ ମିଳିତ ଚଢଉ କରୁଥିଲା । ଫଳରେ ଏହାର କାରବାର ହ୍ରାସ ପାଇଥିଲା । ରାଜ୍ୟ ସରକାର ଏଭଳି ନିଷେଧାଦେଶ ଜାରି କରିବା ପରେ ବାର୍ଷିକ ପ୍ରାୟ ୫୦୦ କୋଟି ଟଙ୍କାର ରାଜସ୍ୱ ହରାଇଥିଲେ ।

ହେଲେ ଦଶବର୍ଷ ପରେ ଏବେ ଯଥା ପୂର୍ବଂ ତଥା ପରଂ । ରାଜ୍ୟରେ ବେଧଡକ ଗୁଟ୍‍ଖାର କାରବାର ଚାଲିଛି । ଗାଁ ଠାରୁ ସହର ପର୍ଯ୍ୟନ୍ତ ଲୋକେ ପୂର୍ବାପେକ୍ଷା ଅଧିକ ମାତ୍ରାରେ ଗୁଟ୍‍ଖା ଖାଉଥିବା ଦେଖିବାକୁ ମିଳୁଛି । ବୟସ୍କଙ୍କ ଠାରୁ ଆରମ୍ଭ ଛାତ୍ରଛାତ୍ରୀ ଏପରିକି ଛୋଟ ଛୋଟ ପିଲା ଗୁଟ୍‍ଖା ନିଶାରେ ପଡୁଛନ୍ତି । ଗୁଟ୍‍ଖା କମ୍ପାନୀମାନେ ପୂର୍ବରୁ ଗୋଟିଏ ପ୍ୟାକେଟରେ ଛାଡୁଥିବାବେଳେ ବର୍ତ୍ତମାନ କେତେକ କମ୍ପାନୀ ଗୋଟିଏ ପ୍ୟାକେଟ୍‍ ସହିତ ଆଉଗୋଟିଏ ମାଗଣାରେ ଦେଉଛନ୍ତି । ଗୁଟ୍‍ଖା ନିଶାରେ ପଡିଥିବା ଲୋକେ ଏକାଥରକେ ଦୁଇଟି ଖାଇବାକୁ ବାଧ୍ୟ ହେଉଛନ୍ତି । ଏହା ଫଳରେ ବିଭିନ୍ନ କମ୍ପାନୀର କାରବାର ବି ପୂର୍ବାପେକ୍ଷା ବଢିବାରେ ଲାଗିଛି ।

ଯେହେତୁ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ଗୁଟ୍‍ଖାକୁ ରାଜ୍ୟରେ ନିଷେଧ କରିଛନ୍ତି ତେଣୁ ରାଜ୍ୟ ସରକାର ଏବେ ଆଉ ଏଥିରୁ ଟଙ୍କାଟିଏର ଟିକସ ପାଉନାହାନ୍ତି । ଓଡିଶାରେ ବିକ୍ରି ହେଉଥିବା ବିଭିନ୍ନ କମ୍ପାନୀର ଗୁଟ୍‍ଖା ମୁଖ୍ୟତଃ ରାଜ୍ୟବାହାରୁ ଆସୁଥିବାବେଳେ ସରକାରଙ୍କ କଟକଣା ସତ୍ୱେ ଏହା କିଭଳି ରାଜ୍ୟ ଭିତରକୁ ପ୍ରବେଶ କରୁଛି ତାହାର ଉତ୍ତର କାହା ପାଖରେ ନାହିଁ । ସେହିଭଳି ଏହା ବିରୁଦ୍ଧରେ ଧରପଗଡ ପାଇଁ ଉଭୟ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ୍‍ ପ୍ରଶାସନ କର୍ମଚାରୀ ଅଭାବ ଦେଖାଇ ହାତ ଟେକି ଦେଉଛନ୍ତି । ଯେତିକି ବି କାର୍ଯ୍ୟାନୁଷ୍ଠାନ ହେଉଛି ଆଖିଦୃଶିଆ ଦଣ୍ଡବିଧାନ ହେଉନଥିବାରୁ ବ୍ୟବସାୟୀମାନେ ବି ସରକାରୀକଳକୁ ଖାତିକର କରୁନାହାନ୍ତି ।

ରାଜ୍ୟର ଅନ୍ୟ ଅଞ୍ଚଳତ ଦୂରରକଥା ଖୋଦ୍‍ ରାଜଧାନୀ ଏପରିକି ରାଜ୍ୟ ଲୋକସେବାଭବନର ଚାରିପଟେ ଗୁଟ୍‍କା ବ୍ୟବସାୟ ଚାଲିଥିବାବେଳେ ତାହାକୁ କେହି ରୋକୁ ନାହାନ୍ତି । ରାଜ୍ୟ ପ୍ରଶାସନର ଏଭଳି କୋହଳ ପଣ ଦେଖି ଗୁଟ୍‍ଖା ବ୍ୟବସାୟୀ ଓ ବିକ୍ରେତା ଉତ୍ସାହିତ ହେଉଥିବାବେଳେ କମ୍ପାନୀମାନେ ବି କାରବାର ବଢାଇବାପାଇଁ ଭିନ୍ନ ନାମରେ ବିଜ୍ଞାପନ ଦେଇ ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି । ତେଣୁ କର୍କଟ ସୃଷ୍ଟିକାରୀ ଗୁଟ୍‍ଖା ବିରୁଦ୍ଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ଜାରି କରିଥିବା ନିଷେଧାଦେଶକୁ ପ୍ରତ୍ୟାହାର କରିନିଅନ୍ତୁ ବୋଲି ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)