Home Health ଗୁଟ୍‍ଖା କ୍ଷେତ୍ରରେ ନିରବ

ଗୁଟ୍‍ଖା କ୍ଷେତ୍ରରେ ନିରବ

ଭୁବନେଶ୍ୱର : ମଦ ଓ ଅନ୍ୟାନ୍ୟ ନିଶା ବନ୍ଦ ପାଇଁ ନୂଆ ସରକାରଙ୍କ ଉପରେ ସବୁଆଡୁ ଚାପ ପଡୁଥିବାବେଳେ ଖୋଦ୍‍ ରାଜ୍ୟ ସରକାର ନିଷିଦ୍ଧ କରିଥିବା ଅତ୍ୟନ୍ତ କ୍ଷତିକାରକ ଗୁଟ୍‍ଖା ଓ ତମ୍ବାଖୁଯୁକ୍ତ ପାନମସଲା କଥା କିନ୍ତୁ ସେଭଳି ଭାବେ ଉଠୁନାହିଁ । ଏହି କଟକଣାକୁ ୧୦ବର୍ଷ ବିତିଥିଲେ ମଧ୍ୟ ପୂର୍ବାପେକ୍ଷା ଅଧିକ ପରିମାଣରେ ଏହି ସାମଗ୍ରୀ ଓଡିଶାରେ ବେଧଡକ ଭାବେ ବିକ୍ରି ହେଉଛି ।

ଓଡିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୨୦୧୩ ମସିହା ଜାନୁୟାରୀ ୩ ତାରିଖରେ ରାଜ୍ୟରେ ଗୁଟ୍‍ଖା ଉପରେ କଟକଣା ଲଗାଇଥିଲେ । ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଏବଂ ମାନକ କର୍ତ୍ତୃପକ୍ଷଙ୍କ ୨୦୧୧ର ସଙ୍କଳ୍ପ ଅନୁଯାୟୀ ଏହି ବିଜ୍ଞପ୍ତି ଜାରି ହୋଇଥିଲା । ତଦନୁଯାୟୀ ରାଜ୍ୟରେ ଗୁଟ୍‍ଖା ଓ କ୍ଷତିକାରକ ପାନମସଲାର ଉତ୍ପାଦନ, ଗଚ୍ଛିତ ଓ ବିକ୍ରି ଉପରେ କଟକଣା ଲାଗିଥିଲା ।

ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିବା ପରେ ଏହି କ୍ଷେତ୍ରରୁ ଆଦାୟ ଟିକସ ମଧ୍ୟ ଛାଏଁ ଛାଏଁ ବନ୍ଦହୋଇ ଯାଇଥିଲା । ଏ ବାବଦରେ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୫୦୦ କୋଟି ଟଙ୍କାର ଯେଉଁ ଟିକସ ଆଦାୟ କରୁଥିଲେ ତାହା ଆଉ ମିଳିନଥିଲା । ଲୋକେ ଭାବିଥିଲେ ସରକାରଙ୍କର ଏହି ବିଜ୍ଞପ୍ତି ପରେ ରାଜ୍ୟରେ ଆଉ ଗୁଟ୍‍ଖା କିମ୍ବା ତମ୍ବାଖୁ ଆଦି ସାମଗ୍ରୀ ବିକ୍ରି ହେବନାହିଁ ।

ହେଲେ ଏବେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ୨୦୧୩ରେ କଟକଣା ଜାରି ବେଳେ ଯେଭଳି ଭାବେ ଗୁଟ୍‍ଖା ବିକ୍ରି ହେଉଥିଲା ଏବେ ତାହାଠାରୁ ଅଧିକ ପରିମାଣରେ ବିକ୍ରି ହେଉଛି । ଲୋକସେବା ଭବନ ଆଖପାଖ ଠାରୁ ଆରମ୍ଭ କରି ଗାଁ ଗହଳ ପର୍ଯ୍ୟନ୍ତ ଦୋକାନରେ ମାଳ ମାଳ ଗୁଟ୍‍ଖା ଝୁଲିବା ସହିତ ବିକ୍ରି ହେଉଛି । ଛୋଟ ପିଲାଙ୍କ ଠାରୁ ବୟସ୍କମାନେ ଗୁଟ୍‍ଖା ଚୋବାଉଛନ୍ତି । ଫରକ ହେଉଛି ଏତିକି ଯେ କଟକଣା ଲାଗିବାପରେ ଅଭାବର ଆଳ ଦେକାଇ ଗୁଟ୍‍ଖା କମ୍ପାନୀଗୁଡିକ ଏହାର ଦାମ୍‍ ବୃଦ୍ଧି କରିଛନ୍ତି ଏବଂ ଏ ବାବଦରେ ରାଜ୍ୟ ସରକାରଙ୍କୁ ଯେତିକି ଟିକସ ଦେଉଥିଲେ ତାହା ଆଉ ଦେଉ ନାହାନ୍ତି ।

ବର୍ତ୍ତମାନ ମଦ ବନ୍ଦ ନେଇ କୌଣସି ନୀତି କିମ୍ବା ନିଷ୍ପତ୍ତି ହୋଇନଥିବାବେଳେ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ଓ ସାଧାରଣ ଲୋକେ ସମସ୍ତେ ମଦ ବନ୍ଦ ପ୍ରସଙ୍ଗ ଉଠାଇବା ସହିତ ଏହାର ଭୟାବହତା ନେଇ ରାଜ୍ୟରେ ଆଲୋଚନା ହେଉଛି । ହେଲେ ମୁଖଗହ୍ୱର କର୍କଟ ସହିତ ଅନ୍ୟାନ୍ୟ ମାରାତ୍ମକ ରୋଗ ସୃଷ୍ଟିକାରୀ ଗୁଟ୍‍ଖା ବନ୍ଦ ପାଇଁ ସରକାରୀ ବିଜ୍ଞପ୍ତି ଜାରି ହୋଇଥିଲେ ମଧ୍ୟ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାପାଇଁ ଯେଭଳି ସ୍ୱର ଉଠିବାକଥା ତାହା ହେଉନାହିଁ ।

ଯେତେବେଳେ ବି ଗୁଟ୍‍ଖା ବିରୁଦ୍ଧରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ଧର୍ମକୁ ଆଖିଠାର ମାରିଲା ଭଳି କର୍ତ୍ତୃପକ୍ଷ କେତେକ ସ୍ଥାନରେ ଚଢାଉ କରି କିଛି ପରିମାଣରେ ଗୁଟ୍‍ଖା ଜବତ କରୁଛନ୍ତି । ହେଲେ ପରବର୍ତ୍ତୀ ସମୟରେ ଏହା ପୁଣି ବେଧଡକ ଭାବେ ବିକ୍ରି ହେଉଛି । ତେଣୁ ନୂଆ ସରକାର ତୁରନ୍ତ ଭୟାବହ ରୋଗ ସୃଷ୍ଟିକାରୀ ଗୁଟ୍‍ଖାକୁ ସରକାରୀ ବିଜ୍ଞପ୍ତି ଆଧାରରେ ବନ୍ଦ କରିବାପାଇଁ ମତପ୍ରକାଶ ପାଉଛି । (ତଥ୍ୟ)