Home Health ଗୁଜବ ସୃଷ୍ଟିକାରୀଙ୍କୁ ସାବାଡ କର

ଗୁଜବ ସୃଷ୍ଟିକାରୀଙ୍କୁ ସାବାଡ କର

ଭୁବନେଶ୍ୱର : ଯେଉଁ ଗୁଜବ ସୃଷ୍ଟିକାରୀ ଓ ଅସାମାଜିକ ତତ୍ତ୍ୱ ଜାପାନୀ ଏନ୍‌ସେଫାଲାଇଟସ୍‌ ନାମରେ ଜନସାଧାରଣଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରବା ସହ ଆତଙ୍କ ଖେଳାଉଛନ୍ତି, ସେମାନଙ୍କ ପ୍ରତି ସତର୍କ ରହିବା ସହ ଆବଶ୍ୟକ ସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ  ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀ ଡ. ମହାଲିଙ୍ଗ ଆଜି ଅନୁଗୋଳ, ରାୟଗଡ଼ା ଓ ସମ୍ବଲପୁରର ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଭିଡ଼ିଓ କନ୍‌ଫରେନ୍ସିଂ ଯୋଗେ ଜିଲ୍ଲାରେ ଜାପାନୀ ଏନ୍‌ସେଫାଲାଇଟ୍‌ସ, ଡିପ୍‌ଥେରିଆ ଓ ଜଣ୍ଡିସ୍‌ର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ ।

ରାୟଗଡ଼ା ଜିଲ୍ଲାରେ ଚଳିତ ବର୍ଷ ଜୁନ୍‌ ମାସ ୧୭ ତାରିଖରେ ପ୍ରଥମ ଡିପ୍‌ଥେରିଆ କେସ୍‌ ଠାବ ହୋଇଥିଲା । ଏହି ଘଟଣା ପରେ ଜିଲ୍ଲାରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏବେ ୫ ବର୍ଷ ତଳକୁ ପିଲାମାନଙ୍କୁ ଟିକା ଦିଆଯାଉଛି । ୩ଟି ଗ୍ରାମକୁ ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏଥି ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ଏହି ଅଞ୍ଚଳକୁ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଜିଲ୍ଲାରେ ଟ୍ୟାଙ୍କର ଦ୍ୱାରା ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ସହ ଡିପ୍‌ଥେରିଆର ସ୍ଥିିତି ଉପରେ ନଜର ରଖିବା ସହ ଏହା ଯେପରି ଅଧିକ ନ ବ୍ୟାପେ, ସେଥିରେ ଅଙ୍କୁଶ ଲଗାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବଲପୁରରେ ବ୍ୟାପିଥିବା ଜଣ୍ଡିସ୍‌ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏହା କାହିଁକି ହୋଇଛି ଓ କିପରି ବ୍ୟାପିଛି ଓ ଏହାକୁ ରୋକିବାକୁ କ’ଣସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ବିଷୟ ଜାଣିବାକୁ ଚାହିଁଥିଲେ । ବର୍ତ୍ତମାନ ସୁଦ୍ଧା ୮୨ଟି ଜଣ୍ଡିସ୍‌ କେସ୍‌ ସାମ୍‌ନାକୁ ଆସିଛି । ତେବେ ଲଗାତାର ଦୁଇଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । କୌଣସି ନୂଆ କେସ୍‌ ସାମ୍‌ନାକୁ ଆସିନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ପଦାର୍ଥ ଓ ପାନୀୟ ଜଳର ନମୁନା ଯାଞ୍ଚ କରାଯାଉଛି । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା ପାଇପ ସବୁ ବଦଳାଯାଉଛି । ୱାଟ୍‌କୋ ପକ୍ଷରୁ ଘରକୁ ଘର ବୁଲି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲାଇନ୍‌ ସବୁକୁ ତନଖି କରାଯାଇଛି । ତେବେ ଜଣାଯାଉଛି ବହୁତଗୁଡ଼ିଏ ଘରକୁ ବେଆଇନ ଭାବେ ସଂଯୋଗ ହୋଇଥିବା ପାଇପ ଲାଇନ୍‌ ନାଳ ତଳ ଦେଇଯାଇଛି ଏଥିରୁ ସଂକ୍ରମଣ ବ୍ୟାପୁଥିବାର ଜଣାପଡ଼ୁଛି । ତେବେ ଆଗାମୀ ୪ ଦିନ ମଧ୍ୟରେ ଏହି ସବୁ ବେଆଇନ ଓ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଯାଇଥିବା ଘରୋଇ ପାଇପ ସଂଯୋଗକୁ ହଟାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଜଣ୍ଡିସ ନ ବ୍ୟାପିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିରୀକ୍ଷଣ କରାଯାଉଛି । ଲୋକମାନେ ଅଯଥାରେ ଆତଙ୍କିତ ନହେବା ପାଇଁ ମାଇକ୍‌ ଯୋଗେ ସହରସାରା ପ୍ରଚାର କରାଯାଉଛି ।

ସହରରେ ଆବଶ୍ୟକ ସ୍ଥଳେ ସ୍ୱଚ୍ଛ ପାନୀୟ ଜଳ ଟ୍ୟାଙ୍କର ମାଧ୍ୟମରେ ଯୋଗାଇ ଦେବା ସହ ହାଲୋଜେନ୍‌ ବଟିକା ବିତରଣ କରିବା ଓ ସମସ୍ତ ବେଆଇନ ପାଣି ସଂଯୋଗକୁ ବିଚ୍ଛିନ୍ନ କରିବା ସହ ମହାନଗର ନିଗମ ଖାଦ୍ୟ ଓ ପାନୀୟ ଜଳର ସ୍ୱଚ୍ଛତା ପରୀକ୍ଷା କରିବା ସହ ଏହାର ଗୁଣବତ୍ତା ବଜାୟ ରଖିବାକୁ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଅନୁଗୋଳ ଜିଲ୍ଲାରେ ଦୁଇଟି ସନ୍ଦିଗ୍ଧ ଘଟଣା ସାମ୍‌ନାକୁ ଆସିଥିବାବେଳେ ସେଥି ମଧ୍ୟରୁ ଜଣଙ୍କର ମୃତୁ୍ୟ ଘଟିଥିବାବେଳେ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ମୃତୁ୍ୟ ହୋଇଥିବା ଶିଶୁଙ୍କଠାରେ ରକ୍ତହୀନତାଜନିତ ଅସୁସ୍ଥତା ଥିବାବେଳେ ଦ୍ୱିତୀୟ ଜଣଙ୍କ ସେପଫିସେମିଆରେ ଆକ୍ରାନ୍ତ ଥିଲେ ଓ ଦୁଇଜଣଯାକ ଅପପୁଷ୍ଟିର ଶିକାର ହୋଇ ସେମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିଲା ।

ଜିଲ୍ଲାରେ ଆଶା ଓ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ପିଲାମାନଙ୍କର ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ବୁଝାଉଛନ୍ତି । ଏହି ଦୁଇଟି ଘଟଣାରେ ଆକ୍ରାନ୍ତ ଶିଶୁଙ୍କର ଘର ପାଖରେ ଘୁଷୁରି ଦଳ ରହୁନଥିବାବେଳେ ମାଟି ମଧ୍ୟ ସନ୍ତସନ୍ତିଆ ନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ପରିସ୍ଥିତିର ଅନୁଧ୍ୟାନ ପାଇଁ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ସମ୍ପୃକ୍ତ ଅଞ୍ଚଳକୁ ଗସ୍ତ କରିଥିଲେ । ତେବେ ଏ ସମ୍ପର୍କିତ ସବିଶେଷ ରିପୋର୍ଟ ହସ୍ତଗତ ହୋଇନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।