Home General ଗାନ୍ଧୀ ପୀଠରେ ସ୍ୱାଧୀନତା ଦିବସ

ଗାନ୍ଧୀ ପୀଠରେ ସ୍ୱାଧୀନତା ଦିବସ

ଭୁବନେଶ୍ୱର : ଜାତୀୟ ଓ ରାଜ୍ୟ ରାଜଧାନୀମାନଙ୍କରେ ସରକାରୀ ଭାବେ ସ୍ୱାଧୀନତା ଦିବସ ମହା ଆଡମ୍ବରରେ ପାଳିତ ହୋଇଥିବାବେଳେ ଓଡିଶାର ବିଭିନ୍ନ ଗାନ୍ଧୀପୀଠରେ ବେସରକାରୀ ଭାବେ ଏହି ପବିତ୍ର ଦିବସ କିନ୍ତୁ ବେଶ୍‍ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶରେ ପାଳିତ ହୋଇଥିବା ଜଣାପଡିଛି ।

ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାର ଗୁଣୁପୁର ଅର୍ନ୍ତଗତ କୁଜେନ୍ଦ୍ରୀ ଗାଁରେ ସ୍ୱାଧୀନତା ଦିବସ ପାଳନର ସ୍ୱାଦ ଥିଲା ସମ୍ପୂର୍ଣ୍ଣ ନିଆରା । ୧୯୪୨ର ଭାରତ ଛାଡ ଆନ୍ଦୋଳନ ସମୟରେ ଏହି ପଲ୍ଲୀ ଗାଁର ୨୧ଜଣ ମହିଳାଙ୍କ ସମେତ ୫୬ଜଣ ଗିରଫ ହୋଇ ଦୁଇ ରୁ ଛଅ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଭୋଗିଥିଲେ । ପରବର୍ତ୍ତୀ ସମୟରେ କୁଜେନ୍ଦ୍ରୀ ହୋଇଯାଇଥିଲା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏକ ତୀର୍ଥସ୍ଥଳୀ ।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଟ୍ଟନାୟକ ଏହି ଗାଁରେ ଡେରା ପକାଇ ରଚନାତ୍ମକ କାର୍ଯ୍ୟକ୍ରମ ଓ ସାମାଜିକ ସଂସ୍କାର ଭିତ୍ତିରେ ଯେଉଁ ଗାନ୍ଧୀକାମ ଆରମ୍ଭ କରିଥିଲେ ତାହା ପରବର୍ତ୍ତୀ ସମୟରେ ବିନୋବା ଭାବେ, ଜୟପ୍ରକାଶ ନାରାୟଣ, ଗୋବନ୍ଧୁ ଚୌଧୁରୀ, ରମା ଦେବୀ, ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ, ଆଚାର୍ଯ୍ୟ ହରିହରଙ୍କ ସମେତ ବହୁ ନେତାଙ୍କୁ ଏଠାକୁ ଟାଣି ଆଣିଥିଲା । ଅଗଷ୍ଟ ୧୫ ପ୍ରତ୍ୟୁଷରୁ ଗାଁରେ ଗ୍ରାମ ସଫେଇ ସହ ପ୍ରଭାତଫେରିରେ ପ୍ରାୟତଃ ସବୁ ଗ୍ରାମବାସୀ ସାମିଲ ହୋଇ ପତାକା ଉତ୍ତୋଳନ କରିବା ସଂଗେ ସଂଗେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ ।

ସେହିଭଳି ଜଗତ୍‍ସିଂହପୁର ଜିଲ୍ଲାର ଗାନ୍ଧୀ ଗାଁ ବାଗଲପୁରରେ ସଂଗ୍ରାମୀ ଫୋରମର ସାଥୀମାନେ ଭାବ ଗମ୍ଭୀର ବାତାବରଣରେ ସ୍ୱାଧୀନତା ଦିବସ ପ୍ରତିପାଳନ କରିବା ସଂଗେ ସଂଗେ ଗାଁ ମୁଣ୍ଡରେ ଥିବା ସଂଗ୍ରାମୀ ଗୌରାଙ୍ଗ ଦାସଙ୍କ ସମେତ ୧୮ଜଣ ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଗ୍ରାମସଫେଇ ସହ ପତାକା ଉତ୍ତୋଳନ ଓ ରାଷ୍ଟ୍ରୀୟ ସଙ୍ଗୀତ ଗାନ କାର୍ଯ୍ୟକ୍ରମ ବେଶ୍‍ ଆର୍କଷଣୀୟ ହୋଇଥିଲା ।

ବରଗଡ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ଗାଁ ଭାବେ ଜଣାଶୁଣା ପାଣିମୋରାରେ ସକାଳୁ ପ୍ରଭାତ ଫେରି ସହ ଗ୍ରାମ ସଫେଇ ଓ ରାମଧୂନ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ଦ୍ୱାରା ସମାହିତ ହୋଇଥିଲା । ଗାଁରେ ଥିବା ସ୍ମୃତିଫଳକ ନିକଟରେ ଆବାଳ ବୃଦ୍ଧ ବନିତା ସମବେତ ହୋଇ ତ୍ରିରଙ୍ଗା ଝଣ୍ଡା ଉଡାଇବା ସହ ଦେଶର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବରଗଡର ଗାନ୍ଧୀ ପାଠାଗାର ପରିସରରେ ବି ନିରାଡମ୍ବର ଓ ଭାବଗମ୍ଭୀର ପରିବେଶରେ ସ୍ୱାଧୀନତା ଦିବସ ପାଳିତ ହୋଇଛି ।

କଟକ ମହାନଗରୀର ସଂଗ୍ରାମପୀଠ ସ୍ୱରାଜ ଆଶ୍ରମ ଏବଂ ସନ୍‍ସାଇଟ୍‍ ପଡିଆ ନିକଟବର୍ତ୍ତୀ ଚୌଧୁରୀ ନିବାସରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ବେଶ୍‍ ଚିତ୍ତାକର୍ଷକ ହୋଇଥିଲା । ପୁରୀର ଗାନ୍ଧୀଘାଟ ପରିସରରେ ଥିବା ସର୍ବୋଦୟ ମେଳା କମିଟି, ସାକ୍ଷୀଗୋପାଳର କାଦୁଆ ଆଶ୍ରମ, ଜଗତସିଂହପୁରର ଅଳକା ଆଶ୍ରମ ସମେତ ବେରବୋଇ, ତେଲେଙ୍ଗାପେଣ୍ଠ, ବାଲିଅନ୍ତା, ବରି ସେବାଘର, ଭଦ୍ରକ ଆଶ୍ରମ, ବାଲପଡିଆର ଠକ୍କରବାପା ଆଶ୍ରମ, ସତ୍ୟଭାମାପୁରର ଉତ୍କଳଗୌରବ ମଧୁସୂଦନଙ୍କ ଜନ୍ମସ୍ଥାନ, କେନ୍ଦ୍ରାପଡା ଭଳି ଗାନ୍ଧୀଙ୍କ ସ୍ମାରକୀ ବହନ କରୁଥିବା ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ ହୋଇଥିବାର ଖବର ମିଳିଛି ।

ଏହାଛଡା ଇରମ, ଲୁଣିଆ, ତୁଡିଗଡିଆ, ଖଇରାଡିହି, କାଇପଡା, କଳାମାଟିଆ, ନିମାପଡା, ମାଥିଲି, ପାପଡାହାଣ୍ଡି, ନିଳକଣ୍ଠପୁର, ଆମ୍‍କୋ ସିମ୍‍କୋ ଆଦି ଶହୀଦ ପୀଠଗୁଡିକରେ ସ୍ଥାନୀୟ ଲୋକେ ବିଶେଷକରି ଯୁବକ ଓ ଛାତ୍ରମାନେ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଏହିସବୁ ସ୍ଥାନମାନଙ୍କରେ ସ୍ୱାଧୀନତା ସଂଗ୍ରାମୀ ବିଶେଷକରି ମୁକ୍ତି ଆନ୍ଦୋଳନରେ ବଳିଦାନ ଦେଇଥିବା ଓ କାରାବରଣ କରିଥିବା ସଂଗ୍ରାମୀମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରାଯିବା ସହ କଷ୍ଟଲବ୍ଧ ସ୍ୱାଧୀନତାର ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଛି । (ତଥ୍ୟ)