ଭୁବନେଶ୍ୱର : ରାଜ୍ୟ ସଂଗ୍ରହାଳୟରେ ପ୍ରତିଷ୍ଠା ହେଉଥିବା ଗାନ୍ଧୀ ଗ୍ୟାଲେରୀ ପାଇଁ ୧.୨୫ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟବସ୍ଥା ହୋଇଥିବାବେଳେ ଏଥିରୁ ୮୩ଲକ୍ଷରୁ ଅଧିକ ଅର୍ଥ ବ୍ୟୟ କରାଯାଇ ସାରିଲାଣି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଚନ୍ତି ରାଜ୍ୟ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ।
ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ବିଭାଗ ଅଧିନରେ ପରିଚାଳିତ ଓଡିଶା ରାଜ୍ୟ ସଂଗ୍ରହାଳୟରେ ଗାନ୍ଧୀ ଗ୍ୟାଲେରୀ ପ୍ରତିଷ୍ଠା ପାଇଁ ବର୍ତ୍ତମାନ ସୁଦ୍ଧା ୮୩,୨୭,୦୯୩ ଟଙ୍କା ବ୍ୟୟ କରାଯାଇଛି । ଏହି ଗ୍ୟାଲେରୀରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିସ୍ଥାନ ପାଇବା ସଂଗେ ସଂଗେ ଗାନ୍ଧୀଜୀଙ୍କ ୮ଥର ଓଡିଶା ଆଗମନର ମୁରାଲ ପେଣ୍ଟିଙ୍ଗ୍ କରାଯାଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭଳି ମହାପୁରୁଷମାନଙ୍କ ପ୍ରତିଛବି ସ୍ଥାନ ପାଇଛି ।
ଗାନ୍ଧୀ ଗ୍ୟାଲେରୀ ପ୍ରତିଷ୍ଠା ପାଇଁ ଇନ୍ଟାକ୍ ନାମକ ସଂସ୍ଥାକୁ ପ୍ରଥମେ ୧,୪୧,୫୧,୮୮୦ ଟଙ୍କା ବ୍ୟୟରେ ୨୦୨୧ ସେପ୍ଟେମ୍ବର ମାସରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ସଂଶୋଧିତ କରାଯାଇ ୧,୨୫,୩୮,୮୦୬ ଟଙ୍କାକୁ ହ୍ରାସ କରାଯାଇଥିଲା । ଉକ୍ତ ସଂସ୍ଥା ଚଳିତବର୍ଷ ଜାନୁଆରୀ ୨୯ ତାରିଖରେ ଗ୍ୟାଲେରୀ କାର୍ଯ୍ୟ ସମାପ୍ତ କରିଛନ୍ତି । ଗାନ୍ଧୀ ଗ୍ୟାଲେରୀରେ ସ୍ଥାନ ପାଇଥିବା ମହାମନିଷିଙ୍କ ପ୍ରତିମୂର୍ତ୍ତିରେ ଥରେ ମାତ୍ର ଆଂଶିକ ପରିବର୍ତ୍ତନ ହୋଇଛି । ଏ ବାବଦରେ ରାଜ୍ୟ ସରକାରଙ୍କର କୌଣସି ଅର୍ଥ ଅପବ୍ୟୟ ହୋଇନଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)