Home General ଗାନ୍ଧୀ ଗ୍ୟାଲେରୀ କାମ ସରୁନି

ଗାନ୍ଧୀ ଗ୍ୟାଲେରୀ କାମ ସରୁନି

ଭୁବନେଶ୍ୱର : ପର୍ଯ୍ୟାପ୍ତ ପରିମାଣର ଅର୍ଥ ବରାଦ ସହ ରାଜ୍ୟ ସରକାରଙ୍କ ସମସ୍ତ ସହଯୋଗ ସତ୍ୱେ ଓଡିଶା ରାଜ୍ୟ ସଂଗ୍ରହାଳୟରେ ନିର୍ମାଣାଧିନ ଥିବା ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଓ ମହାତ୍ମାଗାନ୍ଧୀ ଗ୍ୟାଲେରୀର କାମ ସରୁନାହିଁ । ଚାରିବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହି ପ୍ରକ୍ରିୟା ଚାଲିଥିଲେ ବି କେବେ ସୁଦ୍ଧା ଏହି ଗ୍ୟାଲେରୀ ଦୁଇଟି ଲୋକାର୍ପିତ ହେବ ସେ ସଂକ୍ରାନ୍ତରେ କେହି କିଛି କହିପାରୁ ନାହାନ୍ତି ।

ରାଜ୍ୟ ସଂଗ୍ରହାଳୟ ପରିସର ମଧ୍ୟରେ ଏହି ଦୁଇଟି ଗ୍ୟାଲେରୀ ପାଇଁ ଦୁଇଟି ପୃଥକ ପୃଥକ ହଲ୍‍ କର୍ତ୍ତୃପକ୍ଷ ଯୋଗାଇ ଦେଇଛନ୍ତି । ଇନ୍‍ଟାକ ଭଳି ଏକ ଖ୍ୟାତିସମ୍ପନ୍ନ ସଂସ୍ଥା ଏହି ଗ୍ୟାଲେରୀ ପ୍ରସ୍ତୁତି ଦାୟିତ୍ୱରେ ରହିଛି । ଏକ ବିଶେଷଜ୍ଞଦଳ ମଧ୍ୟ ଏହି ଗ୍ୟାଲେରୀ ଦୁଇଟିର ତ୍ରୁଟିବିଚ୍ୟୁତି ସଂକ୍ରାନ୍ତରେ ଅନୁଧ୍ୟାନ କରି ବାରମ୍ବାର ରିପୋର୍ଟ ଦେଉଛନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନର ବ୍ୟକ୍ତିଗତ ଭାବେ ଏହି ଗ୍ୟାଲେରୀ ଦୁଇଟି ପରିଦର୍ଶନ କରି ସୀମିତ ସମୟ ମଧ୍ୟରେ ତ୍ରୁଟି ସୁଧାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବି ଗ୍ୟାଲେରୀ ନିର୍ମାଣ କାର୍ଯ୍ୟ ସରୁନାହିଁ ।

ମହାତ୍ମା ଗାନ୍ଧୀ ଗ୍ୟାଲେରୀରେ ଗାନ୍ଧୀଜୀଙ୍କ ଓଡିଶା ଗସ୍ତକୁ ସ୍ଥାନିତ କରାଯାଇଛି । ତେବେ ଏହି ଐତିହାସିକ ଘଟଣାବଳୀ ସଂକ୍ରାନ୍ତରେ ଯେଉଁ ଛବି ଓ ମୂର୍ତ୍ତିମାନ ରହିଛି ସେଥିରୁ ଅଧିକାଂଶ ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ସେଗୁଡିକର ସଂଶୋଧନ ଲାଗି ବାରମ୍ବାର ମତପ୍ରକାଶ ପାଉଛି । ଏମିତିକି ଏଠାରେ ପ୍ରସ୍ତୁତ କରାଯାଇଥିବା ଗାନ୍ଧୀଜୀଙ୍କର ମୂର୍ତ୍ତି ଠିକ୍‍ ଭାବେ ହୋଇନାହିଁ ବୋଲି ବିଶେଷଜ୍ଞଦଳ ଓ ପ୍ରଶାସକମାନେ ଏକାଧିକବାର କହି ଆସୁଛନ୍ତି ।

ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀରେ ରଖାଯାଇଥିବା ବୀର ସୁରେନ୍ଦ୍ରସାଏ, ବକ୍ସି ଜଗବନ୍ଧୁ, ଉତ୍କଳଗୌରବ ମଧୁସୂଦନ ଦାସ, ନେତାଜୀ ସୁଭାଷ ବୋଷ, ଉତ୍କଳମଣି ଗୋପବନ୍ଧୁ ଦାସ, ମା’ରମାଦେବୀ ଚୌଧୁରୀ, ହରେକୃଷ୍ଣ ମହତାବ ଆଦିଙ୍କ ମୂର୍ତ୍ତିଗୁଡିକ ଠିକଣା ଭାବେ ନିର୍ମିତ ହୋଇନାହିଁ ବୋଲି ଅଭିଯୋଗ ହେଉଛି । ଏହାଛଡା ଆମ୍‍କୋ ସିମ୍‍କୋ, ମାଥିଲି, ଇରମ, କାଇପଡା କଳାମାଟିଆ ଆଦି ଗୁଳିକାଣ୍ଡ, ସହିଦ ବାଜିରାଉତ,ରଘୁ ଦିବାକର, ରଣପୁର ପ୍ରଜା ଆନ୍ଦୋଳନ ଆଦି ସଂକ୍ରାନ୍ତରେ ପ୍ରସ୍ତୁତ କରାଯାଇଥିବା ଛବି ଗୁଡିକରେ ବି ବ୍ୟାପକ ତ୍ରୁଟିବିଚ୍ୟୁତି ଥିବା କୁହାଯାଉଛି ।

ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ ଆସିବାପରେ ତତ୍କାଳୀନ ଅତିରିକ୍ତ ମୁଖ୍ୟ ଶାସନ ସଚି ମଦୁସୂଦନ ପାଢୀ ନିର୍ମାଣାଧିନ ଗ୍ୟାଲେରୀର ପରିଦର୍ଶନ କରି ଅସନ୍ତୋଷ ବ୍ୟକ୍ତ କରିବାସହ ଦକ୍ଷ ଓଡିଆ ଶିଳ୍ପୀମାନଙ୍କୁ ନେଇ ଏହି ଗ୍ୟାଲେରୀ ଦୁଇଟିର ପୁନଃ ନିର୍ମାଣ ଉପରେ ଗୁରୁତ୍ୱଆରୋପ କରିଥିଲେ । ବର୍ତ୍ତମାନର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ଗ୍ୟାଲେରୀ ଦୁଇଟି ଦେଖିବା ସଂଗେ ସଂଗେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ କରି ସୀମିତ ସମୟସୀମା ମଧ୍ୟରେ ତ୍ରୁଟି ସଂଶୋଧନ ସହ ଗ୍ୟାଲେରୀ ଲୋକାର୍ପଣ ଲାଗି କହିଥିଲେ ।

ସେତେବେଳର ଉନ୍ନୟନ କମିଶନର ତଥା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନିଜେ ରାଜ୍ୟ ସଂଗ୍ରହାଳୟକୁ ଆସି ଏହି ଗ୍ୟାଲେରୀ ଦୁଇଟିର କାର୍ଯ୍ୟ ତଦାରଖ କରିବା ସଂଗେ ସଂଗେ ନିମ୍ନମାନର ଚିତ୍ର ଓ ମୂର୍ତ୍ତି ଘେନି ଗଭୀର ଅସନ୍ତୋଷ ବ୍ୟକ୍ତ କରି ତୁରନ୍ତ ଠିକଣା ଭାବେ ଗ୍ୟାଲେରୀ ଦୁଇଟିର କାମ ସମ୍ପୂର୍ଣ୍ଣ କରିବାକୁ ମଧ୍ୟ କହିଥିଲେ । ବାରମ୍ବାର ଅଭିଯୋଗ ଆସିବାପରେ ଏବେ କଟକର ଜଣେ ଶିଳ୍ପୀଙ୍କ ମାଧ୍ୟମରେ ନୂଆ ମୂର୍ତ୍ତି ନିର୍ମାଣକାମ ଆରମ୍ଭ ହୋଇଛି । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗ୍ୟାଲେରୀ ଦୁଇଟି ସଂକ୍ରାନ୍ତରେ ବିଶେଷ ଆଗ୍ରହ ରଖିଛନ୍ତି । (ତଥ୍ୟ)