Home General ଗାନ୍ଧୀଙ୍କ ବିଚାର ଓ ମୋଦିଙ୍କ କାମ

ଗାନ୍ଧୀଙ୍କ ବିଚାର ଓ ମୋଦିଙ୍କ କାମ

ଭୁବନେଶ୍ୱର : “ମୁଁ ଗାନ୍ଧୀଙ୍କ ବିଚାରକୁ ପଢ଼େ ଓ ମୋଦିଙ୍କ ବିଚାର ଅନୁଯାୟୀ କାମ କରେ”- ଏ ବକ୍ତବ୍ୟ ହେଉଛି ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ାଙ୍କର । ପଣ୍ଡିତ ନୀଳକଣ୍ଠ ଦାସଙ୍କ ଏକ ପ୍ରତିମୂର୍ତ୍ତି ଅନାବରଣ ସହିତ ଲବଣ ସତ୍ୟାଗ୍ରହର ସ୍ମୃତିଚାରଣ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଭାରତର ସ୍ୱାଧୀନତା ଆନ୍ଦୋଳନ ଏବଂ ଦେଶର ଆର୍ôଥକ ଓ ସାମାଜିକ ବିକାଶ ପାଇଁ ମହାତ୍ମା ଗାନ୍ଧୀଙ୍କ ଅବଦାନର ପ୍ରଶଂସା କରିଛନ୍ତି ।

ଲବଣ ତୀର୍ଥ କୁହୁଡ଼ିଠାରେ ଆୟୋଜିତ ଏକ ସମାବେଶରେ ଉଦ୍‍ବୋଧନ ଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଗ୍ରାମ ସ୍ୱରାଜ ପ୍ରତିଷ୍ଠା ସହ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଜାତିର ଜନକ ଗାନ୍ଧୀଜୀଙ୍କର ଯେଉଁ ପରିକଳ୍ପନା ଥିଲା ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଷରେ ଅକ୍ଷରେ ପ୍ରତିପାଳନ କରୁଛନ୍ତି । ଓଡ଼ିଶା ସମେତ ସାରା ଦେଶରେ ଲକ୍ଷଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହେବା ଏହାର ଏକ ଉଦାହରଣ ବୋଲି ସେ କହିଛନ୍ତି ।

ଦେଶର କଷ୍ଟଲବ୍ଧ ସ୍ୱାଧୀନତାକୁ ସୁରକ୍ଷିତ ରଖିବା ସଂଗେ ସଂଗେ ବାହ୍ୟ ଶତ୍ରୁ ଆକ୍ରମଣର ପ୍ରତିରୋଧ ପାଇଁ ଜାତି, ଧର୍ମ, ଦଳ, ବର୍ଣ୍ଣ ନିର୍ବିଶେଷରେ ସାରା ଦେଶବାସୀ ପହଲଗାମ୍‍ ଘଟଣା ପରେ ଯେପରି ଏକତାର ନିଦର୍ଶନ ଦେଲେ ଏବଂ ଭାରତୀୟ ସେନା ଉଚିତ୍‍ ଜବାବ ଦେବା ସହିତ ଏହି ଅଭିଯାନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦକ୍ଷ ନେତୃତ୍ୱ ଯେଭଳି ପରିଚାଳନା କଲା ତାହା ଅଦ୍ୱିତୀୟ । ମହାତ୍ମା ଗାନ୍ଧୀ ପ୍ରାସଂଗିକ ଥିଲେ, ପ୍ରାସଂଗିକ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ପ୍ରାଂସଗିକ ରହିବେ ବୋଲି ସେ ଦୃଢ଼ତାର ସହ କହିଛନ୍ତି ।

ଏହି ସମାବେଶରେ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଗାନ୍ଧୀ ଦର୍ଶନର ଅନ୍ୟତମ ଚିନ୍ତକ ପ୍ରହଲ୍ଲାଦ କୁମାର ସିଂହ କହିଛନ୍ତି ଯେ ହଜାର ହଜାର ସଂଗ୍ରାମୀଙ୍କ ବଳିଦାନ ଏବଂ ଲକ୍ଷଲକ୍ଷ ସତ୍ୟାଗ୍ରହୀଙ୍କ କାରା ଓ ନିର୍ଯାତନା ବରଣ ପୃଷ୍ଠଭୂମିରେ ଯେଉଁ ସ୍ୱାଧୀନତା ଆସିଛି ତାହାକୁ ସମୃଦ୍ଧ ଓ ସୁରକ୍ଷିତ ରଖିବା ପାଇଁ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ସତ୍ୟ, ଅହିଂସା, ସେବା, ମିତବ୍ୟୟିତା, ସାଧୁତା, ସାମ୍ପ୍ରଦାୟିକ ସଦ୍‍ଭାବ, ସ୍ୱାବଲମ୍ବନ, ସ୍ୱାଭିମାନ ସହିତ ଗ୍ରାମ ସ୍ୱରାଜର ରୂପାୟନ ହେବା ଆବଶ୍ୟକ । ଲବଣ କର ଉଚ୍ଛେଦ ପରିବର୍ତ୍ତେ ଆଜିର ଦିନରେ ଦେଶବାସୀ ଲୁଣ ଉପରେ ଟିକସ ଦେବା ଏବଂ ଲବଣ ସତ୍ୟାଗ୍ରହ ସମୟରେ ଓଡ଼ିଶାର ସ୍ଥାନ ଦେଶରେ ଦ୍ୱିତୀୟ ଥିବାବେଳେ ରାଜ୍ୟର ୪୮୦ କିଲୋମିଟର ଦୈର୍ଘ୍ୟର ସାମୁଦ୍ରିକ ବେଳାଭୂମି ଓ ୧୧୦୦ ବର୍ଗ କିଲୋମିଟର ପରିମିତ ଚିଲିକା ହ୍ରଦ ଥାଇ ମଧ୍ୟ ଏଠାରେ ଲୁଣ ମରାଯାଉନଥିବାରୁ ଅନ୍ୟ ରାଜ୍ୟରୁ ଲୁଣ ଉତ୍ପାଦନ କରି ବଡ଼ବଡ଼ କମ୍ପାନୀମାନେ ଓଡ଼ିଶାରୁ କୋଟି କୋଟି ଟଙ୍କା ଲୁଟୁଛନ୍ତି ।

ସେହିଭଳି କପଡ଼ା, ତେଲ, ଚିନି, ଆଳୁ, ପିଆଜ, ଔଷଧ ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଉତ୍ପାଦନ ଲାଗି ଓଡ଼ିଶାରେ ଭିତ୍ତିଭୂମି ଥିବାବେଳେ ଏହାର ଉପଯୋଗ କରାଯାଉନଥିବାରୁ ଆର୍ôଥକ କ୍ଷେତ୍ରରେ ଓଡ଼ିଶା ପଛରେ ରହିବା ସହିତ ବେକାରୀ ଓ ବେଜରୋଗାରୀ ବଢ଼ଛି । ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗକୁ ସରକାରୀ ଓ ବେସରକାରୀ ସ୍ତରରେ ଅନୁସରଣ କରିବା ପାଇଁ ମତବ୍ୟକ୍ତ କରିବା ସହିତ ସେ ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଶାର ଯୋଗଦାନ ଓ ବଳିଦାନ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ରଖିଥିଲେ ।

ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ଅସ୍ତରଙ୍ଗ ଓ କାକଟପୁରର ପଞ୍ଚାୟତ ସମିତି ଅଧ୍ୟକ୍ଷ, ପୁରୀ ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ବେହେରା, ସୂଚନା ଓ ଲୋକ ସଂପର୍କ ବିଭାଗ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଏବଂ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ସଭାପତି ଅମୀୟ ପଟ୍ଟନାୟକ ପ୍ରମୁଖ ଐତିହାସିକ ସଂଗ୍ରାମୀ ସ୍ମୃତିପୀଠ କୁହୁଡ଼ିର ୯୫ତମ ଲବଣ ସତ୍ୟାଗ୍ରହ ସ୍ମାରକୀର ସ୍ମୃତି ରୋମନ୍ଥନ କରିଥିଲେ ।(ତଥ୍ୟ)