ଭୁବନେଶ୍ୱର : ରାଜଧାନୀରେ ଯାନବାହାନ ବୃଦ୍ଧି ଓ ଲୋକଙ୍କ ଯାତାୟତକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ୍ ରାସ୍ତା ଉପରେ ଯାନ ରଖିବାକୁ କଟକଣା ଲଗାଇବା ସହିତ ସେହିସବୁ ରାସ୍ତାକୁ ଚିହ୍ନଟ କରିଛି । ହେଲେ ଏଥି ମଧ୍ୟରୁ ଅଧିକାଂଶ ରାସ୍ତାପାଶ୍ୱର୍ରେ ବିଏମ୍ସି ପକ୍ଷରୁ ଭେଣ୍ଡିଂଜୋନ୍ ନିର୍ମାଣ ସହିତ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଥିବାବେଳେ ଆଉ କିଛି ରାସ୍ତା ପାଶ୍ୱର୍ରେ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ଅଫିସରମାନଙ୍କ ବଙ୍ଗଳା ରହିଛି । ତେଣୁ ଲୋକେ ଗାଡିମୋଟର କେଉଁଠାରେ ରଖି ସେମାନଙ୍କ ନିକଟକୁ ଯିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।
ସହର ମଧ୍ୟରେ ଥିବା ଗୋଟିଏ ପ୍ରମୁଖ ରାସ୍ତା ହେଉଛି ସିଆରପି ଛକରୁ ୮ନମ୍ବର ଡିଏଭି ସ୍କୁଲ ପର୍ଯ୍ୟନ୍ତ । ଏହି ରାସ୍ତାଟି ସଙ୍କୀର୍ଣ୍ଣ ହୋଇଥିବାବେଳେ ଏହାର ଦୁଇ ପଟେ ବିଏମସି ଭେଣ୍ଡିଂଜୋନ ସ୍ଥାପନ କରିଛି । ରାସ୍ତାଉପରେ ଛିଡା ହେଲେ ଲୋକେ ଭେଣ୍ଡିଂଜୋନ୍ରୁ ସାମଗ୍ରୀ କିଣିବେ । ଭେଣ୍ଡିଂ ଜୋନରେ ପୁସ୍ତକ ଦୋକାନ ଠାରୁ ଆରମ୍ଭ କରି ବିରିୟାନୀ, ଫଳ, ପୂଜାସାମଗ୍ରୀ ଆଦି ଦୋକାନ ରହିଛି । ଏହା ନିକଟରେ ପାର୍କିଂ ସ୍ଥାନ ନାହିଁ । ଲୋକେ ଏହିସବୁ ଦୋକାନକୁ ଗଲେ କେଉଁଠାରେ ଗାଡି ରଖିବେ ବୋଲି ପ୍ରଶ୍ନ କଲେଣି ।
ସେହିଭଳି ଆଉ ଗୋଟିଏ ରାସ୍ତା ହେଉଛି ଗୋପବନ୍ଧୁ ଛକ ଠାରୁ କଳ୍ପନାଛକ । ଏହି ରାସ୍ତାରେ ଏଜି ଛକ ଠାରୁ ରାଜମହଲ ପର୍ଯ୍ୟନ୍ତ ଦୁଇ ପାଶ୍ୱର୍ରେ ବିଭିନ୍ନ ବ୍ୟବସାୟ କେନ୍ଦ୍ର ରହିଛି । ଏଜି ଛକ ନିକଟରେ ବିଏମସିର ଭେଣ୍ଡିଂଜୋନ୍ ବି ରସ୍ତାକଡରେ ରହିଛି । କଳ୍ପନାଛକ ନିକଟରେ ଗୋଟିଏ ପାଶ୍ୱର୍ରେ ଫଳ ଦୋକାନ ଖୋଲିବାକୁ ବିଏମସି ଅନୁମତି ଦେଇଛି । ଏହିସବୁ ଦୋକାନକୁ ଯିବାପାଇଁ ଲୋକେ ନିଜ ନିଜ ଗାଡିମୋଟର କେଉଁଠାରେ ରଖିବୋଲି ଏବେ ପଚାରିଲେଣି । ଏଜି ଛକରୁ ରାଜଭବନ ପର୍ଯ୍ୟନ୍ତ ଗୋଟିଏ ପଟ ରାସ୍ତାରେ ବି ବଡ ବଡ ଗାଡିମୋଟର ଛିଡାହେଉଛି ।
ସେହିଭଳି ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଲମ୍ବିଛି ଜନପଥ । ଏହାର ଦୁଇ ପାଶ୍ୱର୍ରେ ରହିଛି ରାଜଧାନୀର ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନ । ରାସ୍ତାକଡରେ ବିଏମ୍ସିର ପାର୍କିଂ ସ୍ଥଳ । ଲୋକେ ବିଏମସି ଦ୍ୱାରା ଧାର୍ଯ୍ୟ ସ୍ଥାନରେ ଯାନବାହାନ ରଖି ଦୋକାନକୁ ଯାଇଥାନ୍ତି । ହେଲେ କମିଶନରେଟ ପୁଲିସ୍ ଏବେ ଏହି ରାସ୍ତାରେ ଗାଡିମୋଟର ରଖିବାକୁ ବାରଣ କରିଛି । ଏଥିରେ ବିଏମସିର ସହମତି ରହିଛି କି ନାହିଁ ତାହା ବଡ ପ୍ରଶ୍ନବାଚୀ । କାରଣ ବିଏମସି ଏହିସବୁ ରାସ୍ତାକୁ ପାର୍କିଂ ପାଇଁ ନିଲାମ ଦେଇ ମୋଟା ଅଙ୍କର ରାଜସ୍ୱ ଆଦୟ କରୁଛି ।
କେବଳ ଏହି ଦୁଇ ତିନିଟି ରାସ୍ତା ନୁହେଁ, କମିଶନରେଟ ପୁଲିସ୍ କଟକଣା ଲଗାଇଥିବା ଅଧିକାଂଶ ରାସ୍ତାପାଶ୍ୱର୍ରେ ବିଏମସିର ଭେଣ୍ଡିଂ ଜୋନ ରହିଛି କିମ୍ବା ବିଏମସିର ଗୋଚରରେ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲୁଛି । ଏହିସବୁ ବ୍ୟବସାୟିକ କେନ୍ଦ୍ରଗୁଡିକୁ ନିୟମିତ ଟିକସ ବି ପ୍ରଦାନ କରୁଛନ୍ତି ।
ଅତୀତରେ ଏଭଳି ସମସ୍ୟା ଉପୁଜିବାରୁ ତତ୍କାଳୀନ ବିଏମସି କମିଶନର ରାସ୍ତାପାଶ୍ୱର୍ରେ ଥିବା ଭେଣ୍ଡିଂଜୋନ୍ଗୁଡିକୁ ପାର୍କିଂ ସୁବିଧା ଥିବା ସ୍ଥାନକୁ ନେବାପାଇଁ ଯୋଜନା କରିଥିଲେ । ହେଲେ ସେହି ଯୋଜନାଟି ଶୀତଳଭଣ୍ଡାରରେ ରହିଗଲା । ଭେଣ୍ଡିଂ ଜୋନ୍ ତ ହଟିଲା ନାହିଁ, ବରିଂ ଆଉ କିଛି ନୂଆ ଦୋକାନ ଗଢିଉଠିଲା ।
କମିଶନରେଟ ପୁଲିସ୍ କଟକଣା ଲଗାଇବା ସହିତ ରାସ୍ତା ଉପରେ ଗାଡି ରଖିଲେ ଉଠାଇ ନେବାକୁ ଚେତାବନୀ ଦେଇଛି । ହେଲେ ଲୋକେ କେଉଁଠାରେ ଗାଡିମୋଟର ରଖିବେ ସେ ନେଇ କୌଣସି ସୁଚିନ୍ତିତ ପରାମର୍ଶ ଦେଉନାହିଁ । ବର୍ତ୍ତମାନ ଦୋକାନ ବଜାର ତ ଦୂରରକଥା, କମିଶନରେଟ ପୁଲିସ୍ ଯେଉଁ ରାସ୍ତାକୁ ଚିହ୍ନଟ କରିଛି ସେହିସବୁ ରାସ୍ତାପାଶ୍ୱର୍ରେ ମନ୍ତ୍ରୀ, ବିଧାୟକ ଓ ବଡ ବଡ ଅଫିସରମାନେ ରହୁଥିବାରୁ ସେମାନଙ୍କ ଘରକୁ ଆସୁଥିବା ଲୋକେ ବି ରାସ୍ତାଉପରେ ଗାଡିମୋଟର ରଖିକରି ଯାଉଛନ୍ତି । ତେଣୁ ଏମାନଙ୍କ ଗାଡିକୁ ପୁଲିସ୍ ଉଠାଇବ କି ନାହିଁ ତାହା ଦେଖିବାକୁ ରାଜଧାନୀବାସୀ ଅପେକ୍ଷା କରିଥିବାବେଳେ ଏଭଳି ନିୟମରେ କେବଳ ରାସ୍ତାକଡରୁ ଗାଡି ମୋଟର ଉଠାଇବାକୁ ମୁତୟନ ହୋଇଥିବା ଘରୋଇ ସଂସ୍ଥାମାନେ ଲାଭବାନ ହେବେ ବୋଲି ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)

