Home News in Odia ଗାଡ଼ି ଚାଳକଙ୍କୁ ଜଗିବ ଆଇଏମଏସ୍‍

ଗାଡ଼ି ଚାଳକଙ୍କୁ ଜଗିବ ଆଇଏମଏସ୍‍

ପୁରୀ : ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପବିତ୍ର ଘୋଷଯାତ୍ରା ଅବସରରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା ଆଇଇଏମଏସ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପୁରୀ ମାଳତୀପାଟପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା କହିଛନ୍ତି, ଏହି ବ୍ୟବସ୍ଥା ଦୁର୍ଘଟଣା ହ୍ରାସ ଦିଗରେ ସହାୟକ ହେବ ।

ସଡ଼କ ପଥର ଉନ୍ନତି ସହିତ ଯାନବାହାନ ଚଳାଚଳ ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି । କିନ୍ତୁ ଏପଟେ ବଢ଼ୁଥିବାସଡ଼କ ଦୁର୍ଘଟଣା ଚିନ୍ତାର କାରଣ ସାଜିଛି । ସଡ଼କ ଦୁର୍ଘଟଣାରେ ନିୟନ୍ତ୍ରଣ ପାଇଁ ସଚେତନତା ସହ ନିୟମ ଉଲ୍ଲଙ୍ଘନକାରୀଙ୍କ ମଧ୍ୟରେ ଭୟ ସୃଷ୍ଟିର ମଧ୍ୟ ଆବଶ୍ୟକତା ରହିଛି । ନିୟମ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ କରିବା, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ପର୍ଯ୍ୟାପ୍ତ ମାନବ ସମ୍ବଳ ବ୍ୟବସ୍ଥା କରିବା ସହଜସାଧ୍ୟ ନୁହେଁ । ବିଶେଷକରି, ଜାତୀୟ ରାଜପଥ ଗୁଡ଼ିକରେ ଏହା ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିଲା ।

 ଏହି ସମସ୍ୟାର ସମାଧାନ ପାଇଁ ଭାରତ ସରକାର ବୈଷୟିକ ଜ୍ଞାନ କୌଶଳର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି । ମୋଟର ଯାନ ଆଇନରେ ୨୦୨୧ ମସିହାରେ ପରିବର୍ତ୍ତନ ଆଣି ମୋଟର ଯାନ ଆଇନ ଉଲ୍ଲଙ୍ଘନ କରୁଥିବା ଯାନ ବିରୁଦ୍ଧରେ ଅତ୍ୟାଧୁନିକ ବିଜ୍ଞାନ ପଦ୍ଧତିରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ବ୍ୟବସ୍ଥା କରିଛନ୍ତି । ଆଇଇଏମଏସ ବା ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ହେଉଛି ଏ ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଦ୍ରୁତଗତିରେ ଯାନ ଚଳାଇବା, ବିନା ହେଲମେଟରେ ଯାନ ଚଳାଇବା, ବିପରୀତ ଦିଗରେ ଯାନ ଚଳାଇବା, ବେପରୁଆ ଯାନ ଚଳାଇବା ଇତ୍ୟାଦି ଦୁର୍ଘଟଣାର ମୁଖ୍ୟ କାରଣ ଅଟେ ।

ଏହି ବ୍ୟବସ୍ଥା ଦ୍ୱାରା ଅତ୍ୟାଧୁନିକ କ୍ୟାମେରା, ରାଡାର ଏବଂ ଅନ୍ୟାନ୍ୟ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରାଯାଇ ସ୍ୱୟଂଚାଳିତ ଜ୍ଞାନକୌଶଳରେ ମୋଟର ଯାନ ଆଇନର ଉଲ୍ଲଙ୍ଘନକାରୀମାନଙ୍କୁ ଚିହ୍ନଟ କରାଯାଏ ଏବଂ ସେମାନଙ୍କ ବିରୋଧରେ ତ୍ୱରିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ।

 ଭାରତ ସରକାରଙ୍କ ସହଯୋଗ କ୍ରମେ, ଓଡ଼ିଶା ସରକାର ଏହି ଜ୍ଞାନକୌଶଳ ପ୍ରୟୋଗ ନିମନ୍ତେ ପଦକ୍ଷେପ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥର 548 କିଲୋମିଟର ଦୂରତାକୁ ଆଇଇଏମଏସରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥି ପାଇଁ ଆଗାମୀ ପାଞ୍ଚ ବର୍ଷରେ 88 କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଅଛି ।

ପାଣିକୋଇଲିରୁରାମେଶ୍ୱର, ଭୁବନେଶ୍ୱରଠାରୁ ପୁରୀ, ପୁରୀଠାରୁ କୋଣାର୍କ, କୋଣାର୍କଠାରୁ ପିପିଲି ପର୍ଯ୍ୟନ୍ତ ରାସ୍ତାକୁ ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇଅଛି । ଆଇଇଏମଏସ ବ୍ୟବସ୍ଥାରେ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ସଡ଼କରେ ସମସ୍ତ ଗାଡ଼ିର ଗତିବିଧି ଉପରେ ନଜର ରଖିହେବ । ଯାହା ନିୟମ ଉଲ୍ଲଙ୍ଘନ କରୁଥିବା ଚାଳକମାନଙ୍କୁ ନିୟନ୍ତ୍ରଣ କରିବା ଦିଗରେ ସହାୟତା ପ୍ରଦାନ କରିବ । ଏହି ଅବସରରେ ପରିବହନ କମିସନର ଅମିତାଭ ଠାକୁର, ଅତିରିକ୍ତ ପରିବହନ କମିସନର ଇନ୍ଦ୍ରମଣି ନାୟକ, ଲାଲମୋହନ ସେଠୀ, ଦୀପ୍ତି ରଞ୍ଜନ ପାତ୍ର, ଯୁଗ୍ମ ପରିବହନ କମିସନର ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।