ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜାତି ନାମରେ “ମୋଦି” (ତେଲି) ଓବିସି ବର୍ଗର ଗୋଟିଏ ଜାତି ନାମରେ ଗାଳି କରିଛନ୍ତି ରାହୁଳ ଗାନ୍ଧୀ । ଏହା ଦେଶର ଓବିସି ବର୍ଗଙ୍କୁ ଅତ୍ୟନ୍ତ ମର୍ମାହତ କରିଛି । ଏଭଳି ମନ୍ତବ୍ୟ ଓବିସି ବର୍ଗ ପ୍ରତି ତାଙ୍କର ହୀନ ମାନସିକତାର ପ୍ରମାଣ ଦେଇଛି । ଏହା ବିରୁଦ୍ଧରେ ଆସନ୍ତା ଏପ୍ରିଲ ୬ ତାରିଖ ବିଜେପି ପ୍ରତିଷ୍ଠା ଦିବସରୁ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯ ଦିନ ଧରି ଓବିସି ମୋର୍ଚ୍ଚା ତରଫରୁ “ଗାଁ ଗାଁ ଚାଲ; ଘର ଘର ଚାଲ” ଅଭିଯାନ ଚାଲିବ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ।
ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଓଡିଶାରେ ଦୀର୍ଘ ୨୩ ବର୍ଷ ଧରି ନିରନ୍ତର ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ଆଦୌ ଦରଦ ନାହିଁ ଏବଂ ତାଙ୍କୁ ବିକାଶ ଧାରାରୁ ବଂଚିତ ରଖୁଛନ୍ତି । ରାଜ୍ୟ ସରକାର ବିଭିନ୍ନ ବାହାନାବାଜି କରି କଥାକୁ ବୁଲେଇବାଲେଇ ୫୪ଭାଗ ଓବିସି ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରୁଛନ୍ତି ।
ଗତ ବିଧାନସଭାରେ ରାଜ୍ୟ ସରକାର ଓବିସି ମାନଙ୍କ ପାଇଁ ଏକ ସଂଶୋଧିତ ବିଲ୍ ଆଗତ କରିବାପାଇଁ କାର୍ଯ୍ୟସୂଚୀରେ ସ୍ଥାନିତ କଲେ । କିନ୍ତୁ ଏହି ସଂଖ୍ୟାଧିକ ବର୍ଗଙ୍କ ସ୍ୱାର୍ଥ ଓ ଅଧିକାର ରାଜ୍ୟ ସରକାରଙ୍କ ପାଇଁ ଏତେ ଗୌଣ ଯେ, ତାହାକୁ ଶେଷ ମୁହୂର୍ତରେ ପ୍ରତ୍ୟାହାର କରିନେଲେ । ଏହା ରାଜ୍ୟ ସରକାରଙ୍କ ଓବିସି ବର୍ଗ ପ୍ରତି ମନୋବୃତିର ପ୍ରମାଣ । ଓବିସି ବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏତେ ଉଦାସୀନତା କାହିଁକି? ଶେଷ ମୁହୂର୍ତରେ ଆଗତ ହୋଇଥିବା ବିଲ୍କୁ କାହିଁକି ପ୍ରତ୍ୟାହାର କଲେ? ଓ ଏତେ ବୈମାତୃକ ମନୋଭାବ କଣ ପାଇଁ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ଓଡିଶାରେ ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗ । ଯାହାଙ୍କର ବିକାଶ ସହିତ ଦେଶର ପ୍ରଗତି ନିର୍ଭର କରୁଛି । ସାମଗ୍ରିକ ବିକାଶ ପାଇଁ ଏହି ୫୪ଭାଗ ଲୋକଙ୍କର ଶୈକ୍ଷିକ, ରାଜନୈତିକ, ସାମାଜିକ ବିକାଶର ଆବଶ୍ୟକତା ଜରୁରୀ ବୋଲି କମିଶନ ସୁପାରିଶ କଲେ, ସମ୍ବିଧାନ ତାଙ୍କୁ ଅଧିକାର ଦେଲା ଓ ସୁପ୍ରିମକୋର୍ଟ ତାଙ୍କୁ ସ୍ୱୀକାର କଲେ । କିନ୍ତୁ ଓଡିଶା ସରକାର ଯେତେ ବିଳମ୍ବିତ ପ୍ରକ୍ରିୟା କଲେ ଓବିସି ବର୍ଗ ତାଙ୍କର ସାମ୍ବିଧାନିକ ଅଧିକାର ନପାଇପାରିବେ ସେଥିପ୍ରତି ଯତ୍ନବାନ ଅଛନ୍ତି । ତେଣୁ ଗତ ପଂଚାୟତ ପୌର ନିର୍ବାଚନରେ ମଧ୍ୟପ୍ରଦେଶ ଓ ଉତରପ୍ରଦେଶ ସମାନସ୍ଥିତିରେ ସଂରକ୍ଷଣ ସୁନିଶ୍ଚିତ କରିଥିବା ବେଳେ ଓଡିଶା ସରକାର ଜାଣି ଜାଣି ଓବିସି ବର୍ଗଙ୍କ ୨୭ପ୍ରତିଶତ ସଂରକ୍ଷଣକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ଓବିସିବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କଲେ ।
ରାଜ୍ୟ ସରକାର ଭାବୁଛନ୍ତି ଯାହାକଲେ ଚଳିବ ଏହି ବର୍ଗ ସଂଗଠିତ ନୁହେଁ ଓ ସ୍ୱର ଉତୋଳନ କରିପାରିବେ ନାହିଁ । ଏହି ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ୫୪ଭାଗ ଲୋକଙ୍କ ମଧ୍ୟରେ ଜନଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓ ସାମ୍ବିଧାନିକ ଅଧିକାର ବିଷୟରେ ସେମାନଙ୍କୁ ମନେ ପକାଇଦେବା ପାଇଁ ସ୍ୱର ଉଠାଇବା ଜରୁରୀ । ଏହି ଦୃଷ୍ଟିରୁ ବିଜେପି ଓବିସି ମୋର୍ଚ୍ଚା ବର୍ତମାନ “ଗାଁ ଗାଁ ଚାଲ; ଘର ଘର ଚାଲ” ଅଭିଯାନରେ ସାରା ରାଜ୍ୟରେ ଡାକରା ଦେଇଛି । ଆସନ୍ତା ଏପ୍ରିଲ ୬ ତାରିଖ ବିଜେପି ପ୍ରତିଷ୍ଠା ଦିବସରୁ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯ ଦିନ ଧରି ଓବିସି ମୋର୍ଚ୍ଚା ତରଫରୁ “ଗାଁ ଗାଁ ଚାଲ; ଘର ଘର ଚାଲ” ଅଭିଯାନ ଚାଲିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।