Home Cooperation ଗାଁ ଗାଁରେ ଧାନ ବେପାରୀ ସକ୍ରିୟ

ଗାଁ ଗାଁରେ ଧାନ ବେପାରୀ ସକ୍ରିୟ

ଭୁବନେଶ୍ୱର : ରାଜ୍ୟରେ ଏବେ ଧାନ ସଂଗ୍ରହ ଋତୁ ଚାଲିଥିବାବେଳେ ଚାଷୀମାନେ ମଣ୍ଡିକୁ ଯିବା ବଦଳରେ ଦୁଆର ମୁହଁରେ ବେପାରୀଙ୍କ ହାତରେ ଧାନ ଟେକି ଦେବାକୁ ପସନ୍ଦ କରୁଛନ୍ତି । ଏଥିପାଇଁ ପଶ୍ଚିମଓଡିଶା ଠାରୁ ଆରମ୍ଭ କରି ଉପକୂଳ ପର୍ଯ୍ୟନ୍ତ ସବୁଆଡେ ଗାଁ ଗାଁରେ ଧାନ ବେପାରୀମାନେ ଡେରା ପକାଇବା ସହିତ ଟ୍ରକ ଟ୍ରକ ଧାନ ବୋହି ନେଉଛନ୍ତି ।

ଚଳିତ ଖରିଫ ଋତୁରେ ରାଜ୍ୟରୁ ପ୍ରାୟ ୭୦ଲକ୍ଷ ମେଟ୍ରିକ ଟନ୍‍ ଧାନ ସଂଗ୍ରହ ଲକ୍ଷ୍ୟ ନେଇ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲିଛି । ଉପକୂଳ ଜିଲ୍ଲାଗୁଡିକରେ ଏବେ ଧାନ ଅମଳ ଚାଲିଥିବାବେଳେ ମଣ୍ଡିଗୁଡିକ ମଧ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି । ମଣ୍ଡିରେ ଧାନ କୁଇଣ୍ଟାଲ ପିଛା ସରକାରୀ ଦର ହେଉଛି ୨୧୮୩ ଟଙ୍କା । ସଫା ସୁତୁରା ଭଲ କିସମର ଧାନ ଦେଲେ ଚାଷୀଙ୍କୁ ଏହି ଦର ମିଳିବ । ଏଥିପାଇଁ ଚାଷୀମାନେ ନିଜ ଖର୍ଚ୍ଚରେ ଧାନ ନେଇ ମଣ୍ଡିରେ ଦେବେ ।

ଚାଷୀମାନେ ମଣ୍ଡିକୁ ଯିବା ପୂର୍ବରୁ ଏବେ ରାଜ୍ୟ ବାହାରର ବ୍ୟବସାୟୀମାନେ ଗାଁ ଗାଁରେ ଧାନ ସଂଗ୍ରହରେ ଲାଗିଛନ୍ତି । ଉପକୂଳ ଜିଲ୍ଲାରେ ବେପାରୀମାନେ ଧାନ କୁଇଣ୍ଟାଲ ପିଛା ୧୮୦୦ ରୁ ୧୯୦୦ ଟଙ୍କାରେ ଖରିଦ କରୁଛନ୍ତି । ଏହି ବ୍ୟବସାୟୀମାନେ ଧାନକୁ ଚାଷୀଙ୍କ ଦୁଆର ମୁହଁରୁ କିଣି ନେବା ସହିତ ନଗଦ ଅର୍ଥ ପ୍ରଦାନ କରୁଛନ୍ତି । ତେଣୁ ଚାଷୀମାନେ ମଣ୍ଡିକୁ ଯିବା ବଦଳରେ ଏବେ ବ୍ୟବସାୟୀଙ୍କ ହାତରେ ଟେକି ଦେବାରେ ଲାଗିଛନ୍ତି ।

ଚାଷୀମାନଙ୍କ କହିବାକଥା ଯେ ମଣ୍ଡିରେ କୁଇଣ୍ଟାଲ ପ୍ରତି ୩ ରୁ ୬ କିଲୋ ପର୍ଯ୍ୟନ୍ତ ଧାନ କଟାଯିବା, ଖଳାରୁ ମଣ୍ଡି ପର୍ଯ୍ୟନ୍ତ ଗାଡି ଭଡା ଦେବା, ଧାନ ଲଦିକି ନେବା ଓ ଗାଡିରୁ ଉତାରିବା ପାଇଁ ଶ୍ରମିକ ମୁତୟନ କରିବା ବାବଦରେ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି । ଏହାକୁ ହିସାବ କଲେ ତାହା ବେପାରୀମାନେ ଦେଉଥିବା ଅର୍ଥ ସହିତ ପ୍ରାୟତଃ ସମାନ ରହୁଛି । ସେହିଭଳି ମଣ୍ଡିରେ ଧାନ ଦେଇ ଅର୍ଥ ପାଇବାକୁ ସପ୍ତାହେରୁ ସ୍ଥଳ ବିଶେଷରେ ପନ୍ଦରଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିବାବେଳେ ବ୍ୟବସାୟୀମାନେ ଧାନ ଗାଡିରେ ଲଦି ସାରିବା ପରେ ନଗଦ ଅର୍ଥ ପ୍ରଦାନ କରୁଛନ୍ତି । ତେଣୁ ସରକାରୀ ବ୍ୟବସ୍ଥାର ଝାମେଲାରେ ନପଡିବାପାଇଁ ଚାଷୀମାନେ ବେପାରୀଙ୍କ ହାତରେ ଧାନ ଟେକି ଦେବାକୁ ଉଚିତ୍‍ ମଣୁଛନ୍ତି । ସେହିଭଳି ବିଭିନ୍ନ ମଣ୍ଡିରେ ଅବ୍ୟବସ୍ଥା ଲାଗି ରହୁଥିବାବେଳେ ମଣ୍ଡିକୁ ଠିକଣା ସମୟରେ ମିଲରମାନେ ନଆସିବକୁ ନେଇ ନେଇ ଚାଷୀ ଓ ପ୍ରଶାସନ ମୁହାଁମୁହିଁ ହେଉଛନ୍ତି ।

ତେବେ ବ୍ୟବସାୟୀଙ୍କ ହାତରେ ଚାଷୀମାନେ ଧାନ ବିକ୍ରିକୁ ରୋକିବାପାଇଁ ସରକାର ପଦକ୍ଷେପ ନେବା ସହିତ ପଶ୍ଚିମଓଡିଶାରେ ରାଜ୍ୟ ବାହାରର କେତେକ ଧାନ ଗାଡିକୁ ଜବତ କରିଥିଲେ । ହେଲେ ଚାଷୀମାନେ ଏହାକୁ ପ୍ରବଳ ବିରୋଧ କରିବା ସହିତ ସେମାନେ ଯେଉଁଠୁ ଲାଭ ପାଇବେ ସେଠାରେ ନିଜ ଧାନ ବିକ୍ରି କରିବେ ବୋଲି ସଫା ସଫା କହିଥିଲେ । ଏମିତିକି ମିଲରଙ୍କ କଟ୍‍ନି ଛଟନିର ସାମ୍‍ନା କରି କ୍ଷତି ସହିବା ବଦଳରେ ଘର ଦୁଆର ମୁହଁରେ ଧାନ ବିକ୍ରି କରିବେ ବୋଲି ଶୁଣାଇଥିଲେ ।

ଏଭଳି ସ୍ଥିତି ଜାରି ରହିଲେ ସରକାରଙ୍କ ଧାନ ସଂଗ୍ରହ ଲକ୍ଷ୍ୟ କିଭଳି ପୂରଣ ହେବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । କାରଣ ମିଲରମାନେ ଚାଷୀଙ୍କ ଠାରୁ ଧାନ ନେଇ ସରକାରଙ୍କୁ ଚାଉଳ ପ୍ରଦାନ କରୁଥିବାବେଳେ ଏବେ ଦୈନିକ ହଜାର ହଜାର ଟନ୍‍ ରାଜ୍ୟ ବାହାରର ମିଲ୍‍କୁ ଚାଲିଯିବାରେ ଲାଗିଛି । (ତଥ୍ୟ)