ଭୁବନେଶ୍ୱର : ଜୁନ୍ ମାସରୁ ଓଡିଶାକୁ ପିଡିଏସ୍ ଗହମ ଯୋଗାଣ ପାଇଁ କେନ୍ଦ୍ର ମନା କରିଦେବା ପରେ ଏବେ ରାଜ୍ୟରେ ଅଟା ଦର ଧିରେ ଧିରେ ବଢିବା ଆରମ୍ଭ କଲାଣି । ବଜାରରେ ଅଟା କିଲୋ ୪୦ ଟଙ୍କା ଟପିଥିବାବେଳେ ଆଗାମୀ ଦିନରେ ଏହା ଆହୁରି ବଢିବ ବୋଲି ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି ।
କେନ୍ଦ୍ର ସରକାର ଓଡିଶାକୁ ପ୍ରତିମାସରେ ୨୪,୭୦୦ ମେଟ୍ରିକ ଟନ୍ ପିଡିଏସ୍ ଗହମ ଯୋଗାଣ କରୁଥିଲେ । ଏହି ଗହମକୁ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ କିଲୋ ପ୍ରତି ୧ଟଙ୍କା ଦରରେ ଯୋଗାଯାଉଥିଲା । ତେବେ ଗତ କିଛି ଦିନ ହେଲା ଓଡିଶାରେ ବଳକା ଚାଉଳକୁ ନେଇ କେନ୍ଦ୍ର ରାଜ୍ୟ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଯୋଗୁଁ ଓଡିଶାକୁ ଗହମ କୋଟା ହ୍ରାସ ପାଇ ରାଜ୍ୟ ସରକାର କେନ୍ଦ୍ରକୁ କହିଥିଲେ । ଏହାଦ୍ୱାରା ଓଡିଶାରୁ ଅଧିକ ଚାଉଳ ଖାଦ୍ୟ ସୁରକ୍ଷା ଯୋଜନାରେ ଲୋକଙ୍କୁ ଯୋଗାଣ ହେବ ଏବଂ ରାଜ୍ୟ ସରକାରଙ୍କ ନିକଟରେ ମହଜୁଦ ଥିବା ଚାଉଳ କେନ୍ଦ୍ର ସରକାର ଉଠାଣ କରିବେ ।
ତେବେ କେନ୍ଦ୍ର ସରକାର ଏବେ ଗହମର ସଙ୍କଟଜନକ ସ୍ଥିତିକୁ ଦେଖି ଓଡିଶାକୁ ଯୋଗାଣ କରୁଥିବା ଗହମ କୋଟାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଏହା ଫଳରେ ଓଡିଶାର ଯେଉଁ ୩କୋଟିରୁ ଅଧିକ ଲୋକ ଶସ୍ତାରେ ଗହମ ପାଉଥିଲେ ସେମାନେ ଆଉ ଏହା ପାଇବେ ନାହିଁ ଏବଂ ଅଟା ପାଇଁ ଖୋଲା ବଜାର ଉପରେ ନିର୍ଭର କରିବେ ।
ରାଜ୍ୟରେ ରୁଟି ଖାଉଥିବା ଲୋକଙ୍କ ସଂଖ୍ୟା କିଛି କମ୍ ନୁହେଁ । ପିଡିଏସ୍ ବ୍ୟବସ୍ଥାରେ ଚାଉଳ ନେଇଥିବା କିଛି ପରିବାରର ଲୋକେ ଚାଉଳ ସହିତ ଗହମ ବି ନେଉଥିଲେ । କାରଣ ଏବେ ଘରେ ଘରେ ମଧୁମେହ ରୋଗୀ ଥିବାରୁ ଅଟାର ଚାହିଦା ବେଶ୍ ରହିଛି । ହେଲେ କେନ୍ଦ୍ର ସରକାର ହଠାତ୍ ଗହମ ଯୋଗାଣ ଉପରେ କଟକଣା ଲଗାଇବା ଫଳରେ ଏହି ଲୋକମାନେ ଚଢା ଦରରେ ଅଟା କିଣିବାକୁ ବାଧ୍ୟ ହେବେ । ତେବେ ଅନ୍ୟ ପକ୍ଷରେ କେନ୍ଦ୍ର ସରକାର କିନ୍ତୁ ଝାଡଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ଯଦିଓ ପିଡିଏସ୍ ଗହମ କୋଟା ହ୍ରାସ କରିଛନ୍ତି ତେବେ ଓଡିଶା ଭଳି ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିନାହାନ୍ତି ।
ଓଡିଶାକୁ ପିଡିଏସ୍ ଗହମ ଯୋଗାଣ ଫଳରେ ରାଜ୍ୟରେ ଗହମ ଓ ଅଟାର ଦର ନିୟନ୍ତ୍ରଣରେ ଥିଲା । ବଜାରରେ ଗହମ କିଲୋ ୨୫ ରୁ ୩୦ ଟଙ୍କା ମଧ୍ୟମରେ ମିଳୁଥିବାବେଳେ ଅଟା କିଲୋ ୩୫ଟଙ୍କାରେ ଉପଲବ୍ଧ ହେଉଥିଲା । ଏବେ ଶସ୍ତା ଗହମ ଆସିବା ବନ୍ଦ ଖବର ପ୍ରଘଟ ହେବାପରେ ବଜାରରେ ଗହମ କିଲୋ ୩୫ ଟଙ୍କା ହୋଇଗଲାଣି ।
ତଦନୁଯାୟୀ ଅଟା କିଲୋ ବି ୪୦ ଟଙ୍କା ଅତିକ୍ରମ କରିଛି । ଆଗାମୀ ମାସେ ଦୁଇମାସ ମଧ୍ୟରେ ଉଭୟ ଗହମ ଓ ଅଟା ଦର ଆହୁରି ବୃଦ୍ଧି ପାଇବ ବୋଲି ବ୍ୟବସାୟୀମାନେ ଖୋଲାଖୋଲି କହୁଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ବିଭିନ୍ନ ଅଟା ପ୍ୟାକେଟ ଉପରେ ଦେଉଥିବା ରିହାତିକୁ ମଲ୍ ମାନେ ବନ୍ଦକରି ଦେଇଛନ୍ତି । ଆଗାମୀ ଦିନରେ କେବଳ ଅଟା ନୁହେଁ, ଗହମରୁ ପ୍ରସ୍ତୁତ ସୁଜି, ମଇଦା ସମେତ ପାଉଁରୁଟି ଏପରିକି ଗୋଖାଦ୍ୟ ଦର ବି ବଢିବ ବୋଲି ଆଶଙ୍କା କରାଗଲାଣି । (ତଥ୍ୟ)