Home General ଗସ୍ତ ପାଇଁ ପ୍ରଶାସନ ଚଳଚଞ୍ଚଳ

ଗସ୍ତ ପାଇଁ ପ୍ରଶାସନ ଚଳଚଞ୍ଚଳ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୨୦ ତାରିଖରେ ଓଡିଶା ଗସ୍ତରେ ଆସୁଥିବାବେଳେ ଏହାକୁ ନେଇ କେନ୍ଦ୍ରୀୟ ସଂସ୍ଥା ଓ କାର୍ଯ୍ୟାଳୟଗୁଡିକ ଚଳଚଞ୍ଚଳ ହୋଇ ଉଠିଛନ୍ତି । ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସଂଖ୍ୟାଧିକ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ ହେବାକୁ ଥିବାରୁ ତତ୍ପରତା ପ୍ରକାଶ ପାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଗାମୀ ୨୦ତାରିଖରେ ରାଜ୍ୟରେ ପ୍ରଥମ ବିଜେପି ସରକାରଙ୍କ ବର୍ଷପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ତାଙ୍କର ଗସ୍ତ କାଳରେ ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପଗୁଡିକର ଉଦଘାଟନ ଓ ଶିଳାନ୍ୟାସ ନିମନ୍ତେ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ କର୍ତ୍ତୃପକ୍ଷମାନେ ତତ୍ପରତା ପ୍ରକାଶ କରୁଛନ୍ତି ।

ଶ୍ରୀ ମୋଦୀ ଜନତା ମଇଦାନରେ ବିଶାଳ ସମାବେଶରେ ଉଦବୋଧନ ଦେବା ସଂଗେ ସଂଗେ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବାପାଇଁ ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପ ଯେଭଳି ସହାୟକ ହେବ ସେଥିପାଇଁ ଅଗ୍ରାଧିକାର ଦେବା ଉପରେ ଗୁରୁତ୍ୱାରୋପ କରୁଛନ୍ତି । ତେଣୁ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ଚିଠା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ଏହା ଷଷ୍ଠତମ ଓଡିଶା ଗସ୍ତ । ସେ ଯେତେବେଳେ ରାଜ୍ୟକୁ ଆସିଛନ୍ତି ସେତେବେଳେ କିଛି ନା କିଛି ନୂଆ ପ୍ରକଳ୍ପର ଉଦଘାଟନ କରିବା ସଂଗେ ସଂଗେ ଶୁଭ ଦେଇଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦାୟିତ୍ୱ ନେବା ପରଠାରୁ ଦେଶରେ ବିଭିନ୍ନ ବୃହତ୍‍ ପ୍ରକଳ୍ପ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ଉପୁଜୁଥିବା ଅଚଳାବସ୍ଥାକୁ ଦୂର କରି ଏହାକୁ ତ୍ୱରାନ୍ୱିତ କରିବାପାଇଁ ଯେଉଁ ‘ପ୍ରଗତି’ ବ୍ୟବସ୍ଥା ଆରମ୍ଭ କରିଛନ୍ତି ତାହା ଫଳରେ ସଂଖ୍ୟାଧିକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଖୋର୍ଦ୍ଧା-ବଲାଙ୍ଗିର ରେଳଲାଇନ୍‍ ପ୍ରକଳ୍ପ ବର୍ଷ ବର୍ଷ ଧରି ପଡି ରହିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ‘ପ୍ରଗତି’ ସମୀକ୍ଷା ପରେ ଏହି ରେଳପ୍ରକଳ୍ପର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହୋଇଛି । ସେହିଭଳି ତାଳଚେର ସାର ପ୍ରକଳ୍ପ ନିର୍ମାଣ ଆଗେଇ ଥିବାବେଳେ ଏହାର କାର୍ଯ୍ୟାରମ୍ଭ ପାଇଁ କର୍ତ୍ତୃପକ୍ଷ ଉଦ୍ୟମରତ ଅଛନ୍ତି ।

ସେହିଭଳି ବିଭିନ୍ନ ସଡକ ପ୍ରକଳ୍ପ ତଥା ଜାତୀୟ ରାଜପଥ ବିଶେଷକରି ରାଜ୍ୟରେ ୭୫ହଜାର କିଲୋମିଟର ଦୀର୍ଘ ବିଶ୍ୱସ୍ତରୀୟ ସଡକ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରର ସହାୟତା ଲୋଡିଛନ୍ତି । ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ତାଙ୍କ ଗସ୍ତ ସମୟରେ ରାଜପଥ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଅଧିକ କେନ୍ଦ୍ରୀୟ ସହାୟତା ପାଇଁ ରାଜ୍ୟ ସରକାର ଆଶାନ୍ୱିତ । ଆଦିବାସୀ ଅଧ୍ୟୁଷିତ ଏବଂ ମାଓ ପ୍ରଭାବିତ ଇଲକାରେ ଦୂରସଂଚାର ସେବା ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ନିମେନ୍ତ ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରୁଛନ୍ତି । ତେଣୁ ରାଜ୍ୟରେ ଯେଉଁସବୁ ଇଲାକା ମୋବାଇଲ୍‍ ସେବାରୁ ଅପହଞ୍ଚ ରହିଛି ସେଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସଂଯୋଗ ପାଇଁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ସକ୍ରିୟ ଭାବରେ ଉଦ୍ୟମ କରୁଥିବା ଜଣାଯାଇଛି ।

ତେଣୁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଦପ୍ତର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବୃହତ୍‍ ପ୍ରକଳ୍ପ ଚିହ୍ନଟ କରି ତାହାକୁ ଚୂଡାନ୍ତ ରୂପରେଖ ଦେବା ସକାଶେ ସକ୍ରିୟ ଭାବରେ ନିୟୋଜିତ ଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)