ଭୁବନେଶ୍ୱର : ଜାତୀୟ ରାଜପଥ ସମେତ ପ୍ରମୁଖ ସଡକ ପାଶ୍ୱର୍ରେ ବଡ ବଡ ଗାଡି ପାର୍କିଂ ସଡକ ଦୁର୍ଘଟଣାର ମୁଖ୍ୟ କାରଣ ପାଲିଟିବାରୁ ଏବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସେଥିପାଇଁ ଟ୍ରକ ସମେତ ଅନ୍ୟାନ୍ୟ ଭାରି ଯାନ ଏବେ ନିକଟରେ ଥିବା ଗାଁ ଗହଳିକୁ ପଳାୟନ କରୁଛନ୍ତି । ଏପରିକି ସହରାଞ୍ଚଳର ବିଭିନ୍ନ ଗଳି କନ୍ଦିରେ ଏବେ ବଡ ବଡ ଯାନ ଛିଡା ହୋଇଥିବାର ଦେଖିବାକୁ ମିଳୁଛି ।
ପରିବହନ ବିଶେଷଜ୍ଞଙ୍କ ମତରେ ରାଜ୍ୟରେ ପ୍ରାୟ ୬୦ହଜାର ଟ୍ରକ ଚଳାଚଳ କରୁଛି । ଏଥି ସହିତ ବସ୍ ଓ ଅନ୍ୟାନ୍ୟ ଭାରିଯାନ ରହିଛି । ହେଲେ ଏତେ ସଂଖ୍ୟକ ଗାଡିମୋଟର ରଖିବାପାଇଁ ସ୍ଥାନ ନାହିଁ । ବସ୍ଗୁଡିକ ନିକଟସ୍ଥ ବସଷ୍ଟାଣ୍ଡ କିମ୍ବା ମାଲିକଙ୍କ ଘର ସାମ୍ନାରେ ଡେରା ପକାଉଥିବାବେଳେ ଟ୍ରକଗୁଡିକ କିନ୍ତୁ ରାସ୍ତାପାଶ୍ୱର୍ରେ ଛିଡା ହେବାକୁ ବାଧ୍ୟ ହେଉଛନ୍ତି । ଫଳରେ ଅନ୍ୟ ଯାନଗୁଡିକ ବେପରୁଆ ଚାଳନା କିମ୍ବା ଅନ୍ୟାନ୍ୟ କାରଣରୁ ଏଥି ସହିତ ପିଟିହେଉଛନ୍ତି ଓ ଧନ ଜୀବନ ହାନି ହେଉଛି ।
ରାଜ୍ୟରେ ଏବେ ଶୂନ ମୃତ୍ୟୁ ସପ୍ତାହ ପାଳନ ହେଉଥିବାବେଳେ ପ୍ରତିଦିନ ଏକାଧିକ ଦୁର୍ଘଟଣା ଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ଏହାର ମୁକାବିଲା ପାଇଁ ଉଭୟ ପରିବହନ ଓ ପୁଲିସ୍ ବିଭାଗ ରାଜପଥ ପାଶ୍ୱର୍ରେ ଆଉ ଗାଡି ଛିଡା କରାଇ ଦେଉନାହାନ୍ତି । ଯିଏ ଛିଡା ହେଉଛି ତାହାଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଛନ୍ତି । ଏଭଳି ବେଆଇନ୍ ପାର୍କିଂକୁ ନେଇ ପରିବହନ, ପୁଲିସ୍ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବାରୁ କାର୍ଯ୍ୟାନୁଷ୍ଠାନ ଜୋର ଧରିଛି ।
ତେଣୁ ଜୋରିମାନାରୁ ବଞ୍ଚିବାପାଇଁ ଏଭଳି ଭାରିଯାନଗୁଡିକ ଏବେ ରାଜପଥ ନିକଟରେ ଥିବା ଗାଁ ଗହଳିକୁ ପଶି ବିଶ୍ରାମ ନେଉଛନ୍ତି । ସହରାଞ୍ଚଳରେ ଏହି ସମସ୍ୟା ଉତ୍କଟ ହେଉଛି । ବିଶେଷକରି ରାଜଧାନୀ ସମେତ ଅନ୍ୟାନ୍ୟ ସହରକୁ ଆସୁଥିବା ଟ୍ରକଗୁଡିକ ଆଉ ସଅଳ ନଫେରି ସହର ଭିତରେ ହିଁ ରାସ୍ତାକଡ ଦଖଲ କରି ଛିଡାହୋଇ ରହୁଛନ୍ତି । ବିଶେଷକରି ରାଜଧାନୀକୁ ମାଛ, ପନିପରିବା ଓ ଫଳ ନେଇ ଆସୁଥିବା ଟ୍ରକଗୁଡିକ ପୂର୍ବରୁ ଯେଭଳି ସହର ଛାଡି ଆଖପାଖ ରାସ୍ତାକଡରେ ଛିଡା ହେଉଥିଲେ ତାହା ବଦଳରେ ସହର ଭିତରେ ରହିବାକୁ ପସନ୍ଦ କରୁଛନ୍ତି ।
କେବଳ ଭାରି ଯାନ ନୁହେଁ, ସହର ଭିତରେ ଥିବା ରାସ୍ତାଗୁଡିକୁ ଏବେ ଛୋଟ ଛୋଟ ଚାରିଚକିଆ ଓ ଆମ୍ବୁଲାନ୍ସ ଭଳି ଗାଡି ଦଖଲ କରି ରଖୁଛନ୍ତି । ଜଣେ ଜଣେ ବ୍ୟକ୍ତି ଏକାଧିକ ଗାଡି ଖରିଦ କରିବା ଓ ବଡ ବଡ ଆପାର୍ଟମେଣ୍ଟ ନିର୍ମାଣ ସମୟରେ ଗାଡି ରଖିବାପାଇଁ ସ୍ଥାନ ନଛାଡିବାରୁ ଏଭଳି ଅବସ୍ଥା ଉପୁଜିଛି । ଏ ସଂକ୍ରାନ୍ତରେ ବିଏମ୍ସି ବାରମ୍ବାର ତାଗିଦ କଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡୁନାହିଁ । ପୂର୍ବରୁ ସହରର ଗଳିକନ୍ଦି ରାସ୍ତାରେ ଛୋଟ ଛୋଟ ଚାରିଚକିଆ ଯାନ ରହୁଥିବାବେଳେ ଏବେ ପୁଲିସ୍, ପରିବହନ ଓ ରାଜପଥ କର୍ତ୍ତୃପକ୍ଷଙ୍କ ଛଢଉରୁ ବର୍ତ୍ତିବାପାଇଁ ବଡ ବଡ ଯାନ ବିଶେଷକରି ଟ୍ରକଗୁଡିକ ସହରର ଗଳିକନ୍ଦିରେ ରାସ୍ତା ଦଖଲ କରିବାରେ ଲାଗିଛନ୍ତି ।
ତେଣୁ ଦୁର୍ଘଟଣାକୁ ରୋକିବାପାଇଁ ଯାଇ ରାଜପଥ ପାଶ୍ୱର୍ରୁ ଯାନବାହାନ ତଡିବା କାମରେ ଲାଗିଥିବା ପୁଲିସ୍ ଓ ପରିବହନ କର୍ତ୍ତୃପକ୍ଷ ଏହି ଯାନଗୁଡିକ କୁଆଡେ ଯାଉଛନ୍ତି ସେଥିପ୍ରତି ଦୃଷ୍ଟି ଦେବା ସକାଶେ ମତପ୍ରକାଶ ପାଉଛି । ନହେଲେ ଏହି ଭାରିଯାନଗୁଡିକ ଯେଭଳି ଗଳି କନ୍ଦିରେ ପ୍ରବେଶ କରୁଛନ୍ତି ସେଠାରେ ମଧ୍ୟ ଦୁର୍ଘଟଣା ଘଟିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । (ତଥ୍ୟ)