ଭୁବନେଶ୍ୱର : ରାଜ୍ୟରେ ଥିବା କଚ୍ଚା ଘରକୁ ପକ୍କାଘର କରିବାପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ମୋ ଘର’ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ଆଜି ଏହି ଯୋଜନା ଉପରେ ମୋହର ମାରିଛି ।
ଯୋଜନା ସଂକ୍ରାନ୍ତରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ପଞ୍ଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନି ଗଣମାଧ୍ୟମକୁ ମୋ ଘର ଯୋଜନା ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।
ତଦନୁଯାୟୀ ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାନଦଣ୍ଡ ଦ୍ୱାରା ବାଦ୍ ପଡିଥିବା ପରିବାର ନୂତନ ଯୋଜନାରେ ଉପୃକତ ହୋଇପାରିବେ । ସେହିଭଳି ବିଗତ ବର୍ଷରେ ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ମଧ୍ୟ ଏହି ଯୋଜନା ମାଧ୍ୟମରେ ନିଜ ଗୃହର ସମ୍ପ୍ରସାରଣ କରିପାରିବେ ।
ତେବେ ଏହି ଯୋଜନାରେ ହିତାଧିକାରୀ ଋଣ ନେଇ ଗୃହ ନିର୍ମାଣ କରିବେ ଓ ରାଜ୍ୟ ସରକାର ଋଣ ଉପରେ ସବସିଡ୍ ପ୍ରଦାନ କରିବେ । ଏଥିରେ ହିତାଧିକାରୀ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ । ପ୍ରଥମ ବର୍ଷକୁ ବାଦ୍ ଦେଇ ଏହା ପରଠାରୁ ୧୦ବର୍ଷ ପର୍ଯ୍ୟନ୍ତ ଋଣ ପରିଶୋଧ ପାଇଁ ସମୟ ମିଳିବ । ଏଥିରେ ଏକ ଲକ୍ଷ, ଦେଢ ଲକ୍ଷ, ୨ଲକ୍ଷ ଓ ୩ଲକ୍ଷ ଟଙ୍କାର ଋଣ ବ୍ୟବସ୍ଥା ରହିଛି ।
ଏହି ଯୋଜନାରେ ଋଣ ପାଇବାକୁ ହେଲେ ହିତାଧିକାରୀଙ୍କର କଚ୍ଚା ଘର କିମ୍ବା ଗୋଟିଏ ବଖରା ଛାତ ଘର ଥିବ । ହିତାଧିକାରୀ ଯଦି ପୂର୍ବରୁ ସରକାରଙ୍କ ଠାରୁ ଗୃହ ନିର୍ମାଣ ଯୋଜନାରେ ସହାୟତା ପାଇନଥିବେ କିମ୍ବା ୭୦ହଜାରରୁ କମ୍ ସହାୟତା ପାଇଥିବେ । ପରିବାରର ମାସିକ ଆୟ ୨୫ହଜାର ଟଙ୍କାର କମ୍ ଥିବ ଏବଂ ବ୍ୟକ୍ତିଗତ ବ୍ୟବହାର ପାଇଁ ଅଣବ୍ୟବସାୟିକ ଚାରିଚକିଆ ଯାନ ନଥିବ ତେବେ ସେ ଏହି ଯୋଜନାରେ ଋଣ ପାଇବାକୁ ଯୋଗ୍ୟ ହେବେ ।
ସେହିଭଳି ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ ହୋଇଥିବେ କିମ୍ବା ପେନ୍ସନ ପାଉଥିବେ, ୫ଏକରରୁ କମ୍ ଜଳସେଚିତ କିମ୍ବା ୧୫ଏକରରୁ କମ୍ ଅଣଜଳସେଚିତ ଜମି ଥିବ ସେମାନେ ଯୋଜନାରେ ସାମିଲ ହେବେ ।
ଘର ତିଆରି ପରେ ସରକାର ସମସ୍ତ ହିତାଧିକାରୀଙ୍କୁ ଋଣର ପରିମାଣ ଅନୁଯାୟୀ ସବସିଡ୍ ପ୍ରଦାନ ମିଳିବ । ଏକ ଲକ୍ଷ ଟଙ୍କା ଋଣ ଉପରେ ସାଧାରଣ ବର୍ଗଙ୍କୁ ୩୦ହଜାର ଓ ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମମାନଙ୍କୁ ୪୦ହଜାର ଟଙ୍କା ସବସିଡ୍ ମିଳିବ । ସେହିଅନୁଯାୟୀ ଦେଢ ଲକ୍ଷ, ୨ଲକ୍ଷ ଓ ୩ଲକ୍ଷ ଟଙ୍କାର ଋଣ ଉପରେ ସମ୍ପୃକ୍ତ ବର୍ଗଙ୍କୁ ଯଥାକ୍ରମେ ୪୫ହଜାର, ୬୦ହଜାର, ୬୦ହଜାର ଏବଂ ୫୫ହଜାର, ୭୦ହଜାର, ୭୦ହଜାର ଟଙ୍କାର ସବସିଡ୍ ପ୍ରଦାନ କରାଯିବ ।
ସବସିଡ୍ ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ଯିବ ଏବଂ ଏହା ମାସିକ କିସ୍ତି ପ୍ରଦାନରେ ସହାୟକ ହେବ । ଋଣ ପ୍ରଦାନ ପାଇଁ ବ୍ୟାଙ୍କ୍ କର୍ତ୍ତୃପକ୍ଷ କୌଣସି ପ୍ରକ୍ରିୟାକରଣ ଦେୟ ଆଦାୟ କରିବେ ନାହିଁ ।
ଋଣ ପାଇବାପାଇଁ ବନ୍ଧକ ସମୟରେ ଆବଶ୍ୟକ ପଞ୍ଜିକରଣ ଶୁଳ୍କ ଏବଂ ଷ୍ଟାମ୍ପ ଡ୍ୟୁଟି ସମେତ ଆବଶ୍ୟକ ଦସ୍ତାବିଜ୍ର ନକଲ ବାହାର କରିବାର ଦେୟକୁ ମଧ୍ୟ ସରକାର ଛାଡ କରିଛନ୍ତି । ଋଣ ଆବେଦନ ପାଇଁ ଆଇନ୍ ପରାମର୍ଶଦାତାଙ୍କ ଦେୟ ବାବଦକୁ ସର୍ବାଧିକ ହଜାରେ ଟଙ୍କା ରାଜ୍ୟ ସରକାର ବହନ କରିବେ ।
ଏହି ଯୋଜନାରେ ଋଣ ପାଇବାପାଇଁ ହିତାଧିକାରୀଙ୍କୁ http://rdodisha.gov.in/moghara କାର୍ଯ୍ୟକ୍ଷମ କରାଯାଇଛି । ଆସନ୍ତା ଜୁନ୍ ୧୬ ତାରିଖରୁ ଏହା ଜରିଆରେ ଆବେଦନ ଗ୍ରହଣ କରାଯିବ । ଆବେଦନକାରୀ ନିଜେ କିମ୍ବା ମୋ ସେବା କେନ୍ଦ୍ର ଜରିଆରେ ଆବେନଦ କରିପାରିବେ ।