ଭୁବନେଶ୍ୱର : ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନ ପରେ ଆସନ୍ତାକାଲି ଭୋଟଗଣନା କାର୍ଯ୍ୟ ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହେବ ବୋଲି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶମତେ ସକାଳ ୮ ଘଟିକା ସମୟରେ ଭୋଟଗଣନା କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା କରାଯିବ ଓ ୮.୩୦ମି. ସମୟରେ ଇଭିଏମ୍ ଭୋଟଗଣନା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି । ଇଭିଏମ୍ ଭୋଟଗଣନା ପାଇଁ ସମୁଦାୟ ୧୪ଗୋଟି ଟେବୁଲର ବ୍ୟବସ୍ଥା କରାଯାଇଥିବାବେଳେ ପୋଷ୍ଟାଲ ବାଲାଟ ଗଣତି ପାଇଁ ରିଟର୍ଣ୍ଣିଂ ଅଧିକାରୀଙ୍କ ପାଖରେ ଅନ୍ୟ ଗୋଟିଏ ଟେବୁଲର ବ୍ୟବସ୍ଥା କରାଯାଇଛି ।
ଭୋଟଗ୍ରହଣ ପରେ ୨୫୨ଗୋଟି ବୁଥ୍ରୁ ଫେରିଥିବା ଇଭିଏମ୍ ଭୋଟଗୁଡ଼ିକୁ ସମୁଦାୟ ୧୮ଟି ରାଉଣ୍ଡରେ ଗଣତି କରାଯିବ ଓ ସବାଶେଷରେ ଭିଭିପ୍ୟାଟ୍ ସ୍ଲିପ୍ଗୁଡ଼ିକୁ ଗଣତି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରକାରର ଗଣତି କାର୍ଯ୍ୟ କରାଯିବ । ପ୍ରତ୍ୟେକ କାଉଣ୍ଟିଂ ଟେବୁଲ୍ ପାଇଁ ଜଣେ କାଉଣ୍ଟିଂ ସୁପରଭାଇଜର ଓ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ନିଯୁକ୍ତ ହୋଇଛନ୍ତି ଓ ଏତଦ୍ବ୍ୟତୀତ ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ମାଇକ୍ରୋ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି, ଯିଏକି ପର୍ଯ୍ୟବେକ୍ଷକଙ୍କୁ ମତଗଣନା ସମୟରେ ସହାୟତା କରିବେ । ଭୋଟଗଣନାର ପ୍ରତ୍ୟେକ ରାଉଣ୍ଡର ଫଳାଫଳ ଜନସାଧାରଣଙ୍କୁ ଜଣାଇବା ପାଇଁ ଡାକବାଜି ଯନ୍ତ୍ର ସହ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇଛି ।
ପ୍ରାର୍ଥୀମାନଙ୍କ ଦ୍ୱାରା ମନୋନୀତ ହୋଇଥିବା ଏଜେଣ୍ଟମାନେ ଭୋଟଗଣନାର ପ୍ରକ୍ରିୟା ନିରୀକ୍ଷଣ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ପ୍ରକାଶ ଥାଉକି ତି୍ରସ୍ତରୀୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗ୍ରୁମ୍ରେ ପୁଲଡ୍ ଇଭିଏମ୍ଗୁଡ଼ିକୁ ରଖାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି । ଭୋଟଗଣନା କେନ୍ଦ୍ରଠାରେ ଫଳାଫଳ ଜାଣିବା ନିମନ୍ତେ ମାଇକ ଦ୍ୱାରା ପ୍ରଚାର କରାଯିବାର ବ୍ୟବସ୍ଥା କରାଯାଇଛି ଓ ଏ ନିର୍ବାଚନ ଫଳାଫଳ ମଧ୍ୟ େୱବ୍ସାଇଟ୍ results.eci.gov.in ମାଧ୍ୟମରେ ଜନସାଧାରଣ ପାଇପାରିବେ ।
ସେହିପରି ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ନିର୍ବାଚନ ଫଳାଫଳ ଜାଣିବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି ।