Home Election ଗଣତନ୍ତ୍ରର ସୁରକ୍ଷାପାଇଁ ଭୋଟ ଦେବା ଜରୁରୀ

ଗଣତନ୍ତ୍ରର ସୁରକ୍ଷାପାଇଁ ଭୋଟ ଦେବା ଜରୁରୀ

ଭୁବନେଶ୍ୱର : ଗଣତନ୍ତ୍ରକୁ ସୁରକ୍ଷିତ ରଖିବାପାଇଁ ଆମ ସମସ୍ତଙ୍କୁ ଭୋଟ ଦେବାକୁ ପଡିବ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନମଙ୍ଗଳ ଯୋଜନାଗୁଡିକ କାର୍ଯ୍ୟକାରୀ ହୋଇଥାଏ । ତେଣୁ ଯୁବ ଭୋଟରମାନେ ନିଜେ ଭୋଟ ଦେବା ସହିତ ଅନ୍ୟମାନଙ୍କୁ ଭୋଟ ଦେବାରେ ସହାୟତା କରିବା ପାଇଁ କହିଛନ୍ତି ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତୃଘ୍ନ କର ।

ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଓ ଓଡିଶା ଇଲେକସନ ୱାଚ ପକ୍ଷରୁ ଆୟୋଜିତ “ନାଗରିକ ଶିକ୍ଷା ମାଧ୍ୟମରେ ଯୁବ ସଶକ୍ତିକରଣ : ମତଦାନ ସଂକ୍ରାନ୍ତୀୟ ସୂଚନା ଜ୍ଞାନକୌଶଳ’’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରକୁ ଉଦ୍‍ଘାଟନ କରି ଶ୍ରୀ କର ଉପରୋକ୍ତ ମତ ରଖିଛନ୍ତି । ସେ କହିଛନ୍ତି ଯେ ସମସ୍ତ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ସାମିଲ କରିବା ହେଉଛି ମୁଖ୍ୟ ଲକ୍ଷ୍ୟ । ପୂର୍ବ ନିର୍ବାଚନଗୁଡିକରେ ୨.୮୧ ପ୍ରତିଶତ ନୂଆ ଭୋଟର ସାମିଲ ହେଉଥିବାବେଳେ ଚଳିତବର୍ଷ ସେଥିରେ ଅଭିବୃଦ୍ଧି ହୋଇଛି । ତାଲିକାରେ ସାମିଲ ପାଇଁ ୭୦ହଜାର ଆବେଦନପତ୍ର ପଡିଛି ।

ଶ୍ରୀ କର କହିଥିଲେ ଯେ ଗୋଟିଏ ଭୋଟ ଅତ୍ୟନ୍ତ ମୂଲ୍ୟବାନ୍‍ । ଗୋଟିଏ ଭୋଟ ପାଇଁ ସରକାର ଭାଙ୍ଗିଯିବାର ନଜିର ରହିଛି । ତେଣୁ ପ୍ରତ୍ୟେକ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ଆବଶ୍ୟକ । ମତଦାନ କେବଳ ଅଧିକାର ସାବ୍ୟସ୍ତ କରିନଥାଏ ଏହା ସମାଜରେ ସମାନତା ଆଣିଥାଏ । ରାଷ୍ଟ୍ରପତିଙ୍କ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ଧାଡିରେ ଆସି ଭୋଟ ଦେଇଥାନ୍ତି ।

ତେବେ ଭୁବନେଶ୍ୱରରେ ମତଦାନ ହାର ୫୦ ପ୍ରତିଶତ ଟପୁନଥିବା ସେ କହିଥିଲେ । ତେଣୁ ନୂତନ ମତଦାତାମାନେ ଅଧିକରୁ ଅଧିକ ସଂଖ୍ୟାରେ ଭୋଟ ଦେବାକୁ ଅ।।ଗେଇ ଆସିବା ଆବଶ୍ୟକ । ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସେ ମତଦାତାଙ୍କ ସୂଚନା ପାଇବାପାଇଁ ଥିବା ଆପ୍‍ ସଂକ୍ରାନ୍ତରେ ବୁଝାଇଥିଲେ । ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହିତ ମୃତ ଲୋକଙ୍କ ନାଁରେ ଯଦି କେହି ଭୋଟ ଦେବେ ତେବେ ଆଇନ୍‍ ଅନୁଯାୟୀ ସେ ତୁରନ୍ତ ଗିରଫ ହେବେ ବୋଲି କହିଥିଲେ ।

ଓଡିଶା ଇଲେକସନ ୱାଚର ସଂଯୋଜକ ରଞ୍ଜନ କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରି ଆଲୋଚନାଚକ୍ରର ଉଦ୍ଦେଶ୍ୟ ସଂକ୍ରାନ୍ତରେ କହିଥିଲେ । ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ ପୂର୍ବତନ ପୁଲିସ୍‍ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ ଅଧ୍ୟକ୍ଷତା କରି କହିଥିଲେ ଯେ ଭୋଟ ଦେବା ହେଉଛି ଆମର ଅଧିକାର । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୂଆ ଭୋଟରଙ୍କୁ ଭୋଟଦାନ ପାଇଁ ପ୍ରୋତ୍ସାହିତ କରିବା ।

ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାପନ ବିଭାଗର ପୂର୍ବତନ ମୁଖ୍ୟ ଡକ୍ଟର ସୂର୍ଯ୍ୟ ନାରାୟଣ ମିଶ୍ର କହିଥିଲେ ଯେ ନାଗରିକମାନଙ୍କୁ ମତଦାନ ସଂକ୍ରାନ୍ତରେ ଠିକଣା ଶିକ୍ଷା ମିଳୁନଥିବାରୁ ସେମାନେ କେବଳ ଢାଞ୍ଚା ବିଷୟରେ ଜାଣୁଛନ୍ତି, ହେଲେ ନିଜର କ୍ଷମତା ବିଷୟରେ ଜାଣିପାରୁ ନାହାନ୍ତି । ଫଳରେ ସେମାନଙ୍କର ଗଣତନ୍ତ୍ର ପ୍ରତି ଆବେଗ ଓ ମତଦାନ ପ୍ରତି ଆଗ୍ରହ ରହୁନାହିଁ ।

ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ପୂର୍ବତନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସେବା ମହାପାତ୍ର କହିଥିଲେ ଯେ ଭଲ ପ୍ରାର୍ଥୀ ବାଛିବାର ଶୈଳୀ ଆମ ଉପରେ ନିର୍ଭର କରେ । ତେଣୁ ଠିକ୍‍ ଲୋକଙ୍କୁ କିଭଳି ଚୟନ କରାଯିବ ସେ ସଂକ୍ରାନ୍ତରେ ଯୁବ ଭୋଟରମାନେ ଲୋକଙ୍କୁ ବୁଝାଇବା ଦରକାର । ଆଲୋଚନାଚକ୍ରରେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ମତଦାନ ବ୍ୟବସ୍ଥାରେ ଲୋକଙ୍କୁ ସୂଚନା ଦେବା ସହ ସଚେତନ କରିବାପାଇଁ ଥିବା ବିଭିନ୍ନ ୱେବସାଇଟ୍‍ ଓ ଆପ୍‍ ସଂକ୍ରାନ୍ତରେ ସୂଚନା ଦେଇଥିବାବେଳେ ବରିଷ୍ଠ ସାମ୍ବାଦିକ ଯତୀନ୍ଦ୍ର ଦାଶ ଓ ଡକ୍ଟର ସୌମ୍ୟା ପରିଡା ଯୁବ ଭୋଟରମାନେ ନିଜେ ସଚେତନ ହେବା ସହିତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରର ସତ୍ୟାସତ୍ୟ ବୁଝି ଅନ୍ୟମାନଙ୍କୁ ସଚେତନ କରିବା ଉପରେ ଜୋର ଦେଇଥିଲେ ।

ଏହି ଆଲୋଚନାଚକ୍ରରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଯୋଗ ଦେଇଥିବା ଶତାଧିକ ଛାତ୍ରଛାତ୍ରୀ ଭୋଟର ତାଲିକାରେ ନିଜର ନାମ ଦରଜ, ଭୋଟରକାର୍ଡ, ନୋଟା ଆଦି ସଂକ୍ରାନ୍ତରେ ଏକାଧିକ ପ୍ରଶ୍ନମାନ ପଚାରିଥିବାବେଳେ ଉପସ୍ଥିତ ଅତିଥିମାନେ ଗୋଟି ଗୋଟି କରି ଉତ୍ତର ମାଧ୍ୟମରେ ସେମାନଙ୍କ ସଂଶୟ ଦୂର କରିଥିଲେ ।