ଭୁବନେଶ୍ୱର : ସାଧାରଣ ଲୋକଙ୍କ ଅଭିଯୋଗ ଓ ସମସ୍ୟା ଗୁଡିକର ତ୍ୱରିତ ସମାଧାନ ପାଇଁ ତଳୁ ଉପର ପର୍ଯ୍ୟନ୍ତ ସରକାରୀ ସ୍ତରରେ ସକରାତ୍ମକ ବ୍ୟବସ୍ଥା କରାଗଲେ ରାଜ୍ୟର ଆଇନ ଅଦାଲତ ଗୁଡ଼ିକ ଉପର ଯେତେ ମାମଲାର ଚାପ ରହିଛି ତାହାର ପାଖାପାଖି ୫୦ ପ୍ରତିଶତ କମିଯାଆନ୍ତା ବୋଲି ଆଇନ ଓ ପ୍ରଶାସନ ସହ ଜଡିତ ଅଭିଜ୍ଞ ବ୍ୟକ୍ତିମାନେ ମତବ୍ୟକ୍ତ କରୁଛନ୍ତି ।
ସାରା ରାଜ୍ୟରେ ଏବେ ୧୭ଲକ୍ଷରୁ ଅଧିକ ମାମଲାର ବୋଝ ଆଇନ ଅଦାଲତ ଗୁଡିକ ଉପରେ ଅଛି । ଲୋକଙ୍କୁ ପୁଲିସ, ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିମାନେ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ଅବହେଳା ଓ ବିଳମ୍ବ କରୁଥିବାରୁ ମାମଲା ସଂଖ୍ୟା ବୃଦ୍ଧି ପାଉଛି । ବିଶେଷ କରି ଗାଁ ଗହଳରେ ଜମିବାଡ଼ିଠାରୁ ଆରମ୍ଭ କରି ଛୋଟକାଟର ଗଣ୍ଡଗୋଳ ଗୁଡିକର ଆପୋଷ ସମାଧାନ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ ସମ୍ପୃକ୍ତ ଅଞ୍ଚଳର ନିରପେକ୍ଷ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା କରାଯାଇପାରିଲେ ମାମଲା ସଂଖ୍ୟା ହ୍ରାସ ପାଇବା ସଙ୍ଗେ ସଙ୍ଗେ ଗାଁ ଗଣ୍ଡାରେ ଅଶାନ୍ତ ବାତାବରଣ ରୁହନ୍ତା ନାହିଁ ଏବଂ ଥାନା, ଫାଣ୍ଡି ଓ କୋର୍ଟ କଚେରୀରେ ମାମଲା ଲଢି ହଜାର ହଜାର ପରିବାର ବରବାଦ୍ ହୁଅନ୍ତେ ନାହିଁ ବୋଲି ଅଭିଜ୍ଞ ବ୍ୟକ୍ତିମାନେ କହୁଛନ୍ତି ।
ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର ସଚିବାଳୟର ଅମଲାତାନ୍ତ୍ରିକ ପ୍ରକ୍ରିୟାରେ ନ୍ୟାୟ ନପାଇ ସଚିବାଳୟର ବହୁ କର୍ମଚାରୀ ସରକାରଙ୍କ ବିରୋଧରେ ବର୍ଷ ବର୍ଷ ଧରି ମାମଲା ଲଢିବାକୁ ବାଧ୍ୟ ହେଉଛନ୍ତି । ଏହାର ଉଦାହରଣ ଦେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଏକ ଛୋଟିଆ ତ୍ରୁଟି ଯୋଗୁ ଲୋକସେବା ଆୟୋଗ ଓ ରାଜ୍ୟ ପ୍ରଶାସନ ମଧ୍ୟରେ ଟଣାଓଟରା ଚାଲି ଜଣେ ଭିନ୍ନକ୍ଷମ ଯୁବକ ୪ବର୍ଷ ଧରି ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇପାରୁନାହାନ୍ତି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳର ଏହି ଯୁବକ ଜଣକ କୌଣସି ସରକାରୀ ସୁବିଧା ସୁଯୋଗ ନନେଇ ନିଜ ଉଦ୍ୟମରେ ମାତ୍ର ୨୫ବର୍ଷ ବୟସରେ ଓଏଏସ୍ ପରୀକ୍ଷାରେ ୧୩୬୫ ନମ୍ବର ରଖିଥିଲେ ।
ତେବେ ତାଙ୍କ ପ୍ରାର୍ଥିତ୍ୱକୁ ଅଗ୍ରାହ୍ୟ କରାଯାଇ ଅଣସିଂରକ୍ଷିତ ବର୍ଗରେ ୧୩୦୨ ଓ ଭିନ୍ନକ୍ଷମ ବର୍ଗର ୧୦୬୫ ନମ୍ବର ରଖିଥିବା ପ୍ରାର୍ଥୀ ୨୦୧୯ ମସିହାରେ ନିଯୁକ୍ତି ପାଇଲେ । ସେବେଠାରୁ ଏହି ଭିନ୍ନକ୍ଷମ ପ୍ରାର୍ଥୀ ଜଣକ ନ୍ୟାୟ ପାଇଁ ବିଭିନ୍ନ ମହଲରେ ନିବେଦନ କରୁଥିବାବେଳେ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସମ୍ପୃକ୍ତ ଯୁବକ ଜଣକ ଅଣସଂରକ୍ଷିତ ପ୍ରାର୍ଥୀ ଭାବେ ଆଇନ ଅନୁଯାୟୀ ନିଯୁକ୍ତି ପାଇବାକୁ ହକ୍ଦାର ବୋଲି ବାରମ୍ବାର ଆୟୋଗକୁ ଜଣାଉଥିଲେ ମଧ୍ୟ ଆଇନ ଅଦାଲତର ରାୟ ନଆସିବା ପର୍ଯ୍ୟନ୍ତ ତାଙ୍କୁ ନିଯୁକ୍ତି ଦେବା ସମ୍ଭବପର ନୁହେଁ ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି ।
ସେହିଭଳି ପ୍ରୋଗେସ୍ ଆସିଷ୍ଟାଣ୍ଟ ଚାକିରି ଛାଡି ସଚିବାଳୟରେ ପିଏସ୍ସି ମେଧା ତାଲିକା ଆଧାରରେ ଏଏସ୍ଓ ଭାବେ ପଞ୍ଚାୟତିରାଜ ବିଭାଗରେ ନିଯୁକ୍ତି ପାଇଥିବା ଅନ୍ୟଜଣେ କର୍ମଚାରୀଙ୍କ କାହାଣୀ । ସଚିବାଳୟରେ ନିଯୁକ୍ତି ପାଇଥିବାରୁ ସେ ପରବର୍ତ୍ତୀ ସମୟରେ ଓଡ଼ିଶା ସିଭିଲ୍ ସର୍ଭିସ୍ରେ ଯୋଗ ଦେଇନଥିଲେ । ତେବେ ବୟସାତିକ୍ରାନ୍ତ ଜଣେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାପାଇଁ ସୁଧୀର ରଞ୍ଜନ ସାହୁ ନାମକ ଏହି ଏଏସ୍ଓଙ୍କୁ ଚାକିରିରୁ ବିଦା କରିବା ପାଇଁ ସରକାର ନୋଟିସ୍ ଜାରି କରିଛନ୍ତି । ତେବେ ଯେଉଁ ବୟସାତିକ୍ରାନ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାପାଇଁ ସରକାର ଆଦେଶ ଦେଇଥିଲେ ଉକ୍ତ ପ୍ରାର୍ଥୀ ନିଯୁକ୍ତିପତ୍ର ପାଇଥିବା ସତ୍ତ୍ୱେ ମଧ୍ୟ ଏଏସ୍ଓ ପଦବୀରେ ଯୋଗ ନେଲେନାହିଁ । କାରଣ ସେ ଅଧିକ ବେତନ ପାଉଥିବା ଏକ ଉଚ୍ଚ ପଦବୀରେ ଇତିମଧ୍ୟରେ କାମ କରୁଛନ୍ତି । ଏକଥା ଗୃହ ବିଭାଗ ଏବଂ ଆୟୋଗ ଜାଣିଥିଲେ ମଧ୍ୟ ସମ୍ପୃକ୍ତ ଏଏସ୍ଓଙ୍କୁ ଚାକିରୀରେ ଯୋଗ ଦେଉନଥିବା ଅନ୍ୟଜଣେ ଅନିଚ୍ଛୁକ ପ୍ରାର୍ଥୀଙ୍କ ଲାଗି ବହିଷ୍କାର କରିବା ପାଇଁ ନୋଟିସ୍ ଦେବାରୁ ସେ ସରକାରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଛନ୍ତି ।
ସେହିଭଳି ଅମଲାତାନ୍ତ୍ରିକ କାରସାଦିରୁ ୬୧ଜଣ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ବିଭାଗରେ ଦେଇପାରୁନଥିଲେ । ଆଇନ ଅଦାଲତଙ୍କ ରାୟ ପାଇଁ ଦୀର୍ଘ ୫ବର୍ଷ ଧରି ଲଢିବା ପରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଜଳସମ୍ପଦ ବିଭାଗ ଦାୟିତ୍ୱରେ ଥିବାବେଳେ ସେମାନଙ୍କୁ ୨୦୧୯ ମସିହାରେ ନିଯୁକ୍ତି ଦିଆଯାଇଥିଲା । ତେବେ ଅନୁରୂପ ଭାବେ ପଞ୍ଚାୟତିରାଜ ବିଭାଗରେ କନିଷ୍ଠ ଯନ୍ତ୍ରୀ ପଦବୀରେ ଯୋଗ ଦେଇନପାରି ୯ବର୍ଷ ଧରି କେତେକ ପ୍ରାର୍ଥୀ ମାମଲା ଲଢୁଛନ୍ତି । ନିଯୁକ୍ତି, ପଦୋନ୍ନତି, ପେନ୍ସନ୍ ଆଦି ପ୍ରସଙ୍ଗରେ ମଧ୍ୟ ପ୍ରଶାସନ କଳର ନକାରାତ୍ମକ ମନୋବୃତ୍ତି ଅନେକଙ୍କୁ ବିପୁଳ ଅର୍ଥ ଖର୍ଚ୍ଚ କରି ବର୍ଷ ବର୍ଷ ଧରି ମାମଲା ଲଢିବାକୁ ପଡୁଛି । (ତଥ୍ୟ)