Home General ଗଡିବ ଆଉ ୨୦୦ ଇ-ବସ୍‍

ଗଡିବ ଆଉ ୨୦୦ ଇ-ବସ୍‍

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ ରାଜ୍ୟରେ ଆଉ ୨୦୦ ଇଭି ଏସି ବସ୍‍ କ୍ରୟ ଏବଂ ଏହାର ସୁପରିଚାଳନା ପାଇଁ ଜେବିଏମ୍‍ ଇକୋ ଲାଇଫ୍‍ ସହିତ ହେବାକୁ ଥିବା ଚୁକ୍ତିନାମାକୁ ଆଜି ଅନୁମୋଦନ କରିଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଶ୍ରୀ ଜେନା କହିଛନ୍ତି ଯେ ୯ ରୁ ୧୦ ମିଟର ଆକାର ଇଲେକ୍ଟ୍ରିକ ବସ୍‍ ଏବଂ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ, ରକ୍ଷଣା ବେକ୍ଷଣ କାର୍ଯ୍ୟ ପାଇଁ ଜିସିସି ମଡେଲ ଆଧାରରେ କିଲୋମିଟର ପିଛା ୬୪.୮୧ ଟଙ୍କା ଲେଖାଏଁ ୧୦ବର୍ଷ ପାଇଁ ଧାର୍ଯ୍ୟ ହୋଇଥିବାବେଳେ ମୋଟ୍‍ ୨୩୩ କୋଟି ୨୬ଲକ୍ଷ ୪୦ହଜାର ଟଙ୍କା ଆକଳନ କରାଯାଇଛି ।

ଉଲ୍ଲେଖନୀୟ ଯେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଜନସାଧାରଣଙ୍କ ଯାତାୟତର ଗତିଶୀଳତା ଏବଂ ପରିବେଶ ସ୍ଥିରତା ବୃଦ୍ଧି ଏବଂ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାପାଇଁ ୨୦୧୮ରେ ୨୦୦ ଡିଜେଲ ଚାଳିତ ବସ୍‍ ସହିତ ୫୫ଟି ମିଡି (ନୂଆ ଓ ପୁରୁଣା) ବସ୍‍କୁ ନେଇ ଶୁଭାରମ୍ଭ ହୋଇଥିଲା ।

ଜୁନ୍‍ ୨୦୨୨ ସୁଦ୍ଧା ଏଥିରେ ଆଉ ୫୦ଟି ବସ୍‍ ଯୋଡି ହୋଇଥିଲା । ୨୦୨୩ ଜାନୁୟାରୀରେ ମୋ ବସ୍‍ ସେବାକୁ ସମ୍ପ୍ରସାରିତ କରି ଆଉ ୧୦୦ ଟି ନୂଆ ଓ ପୁରୁଣା ବସ୍‍ ଯୋଡି ରାଉରକେଲାରେ ମୋ ବସ୍‍ ଚଳାଚଳ ଆରମ୍ଭ ହୋଇଥିଲା ।

ବର୍ତ୍ତମାନ ପୁରୀ, କଟକ, ଭୁବନେଶ୍ୱର ଅଞ୍ଚଳରେ କ୍ରୁଟ୍‍ ପକ୍ଷରୁ ୩୦୫ଟି ମୋ ବସ୍‍ ଚଳାଚଳ କରିବା ସହିତ ରାଉରକେଲାରେ ୧୦୦ଟି ମୋ ବସ୍‍ ଚଳାଚଳ କରୁଛି । ଆଗାମୀ ଦିନରେ ଏହାର ଅଧିକ ଆବଶ୍ୟକତାକୁ ନଜରରେ ରଖି ମୋ ବସ୍‍ ସଂଖ୍ୟାରେ ବୃଦ୍ଧି କରାଯିବାର ଯୋଜନା ଅଛି ।

ସେଥିପାଇଁ ଆଗାମୀ ଦିନରେ ଅତିରିକ୍ତ ୨୦୦ ଇ ବସ୍‍ ଯୋଗ କରି ଏହାର ପରିସରକୁ ବ୍ୟାପକ କରିବାପାଇଁ ଲକ୍ଷ୍ୟ ରହିଛି । ଏହି ବସ୍‍ଗୁଡିକ ପରିବେଶ ଅନୁକୂଳ ହେବା ସହିତ ଆଧୁନିକ ସାଧାରଣ ପରିବହନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ହେବ । ଯାହା ବାୟୁ ପ୍ରଦୂଷଣ, ଗ୍ରିନ୍‍ ହାଉସ୍‍ ଗ୍ୟାସ ନିର୍ଗମନ ଇତ୍ୟାଦିକୁ ହ୍ରାସ କରିବାରେ ସହାୟକ ହେବ ।