Home Excise ଗଞ୍ଜେଇ ଚାଷର ନିରାକରଣ କେବେ ?

ଗଞ୍ଜେଇ ଚାଷର ନିରାକରଣ କେବେ ?

ଭୁବନେଶ୍ୱର : ଚୋରା ଗଞ୍ଜେଇ ବେପାର ଘେନି ଓଡିଶା ସାରା ଦେଶରେ ବଦନାମ ହେଉଥିବାବେଳେ ଏହାର ସମ୍ପୂର୍ଣ୍ଣ ନିରାକରଣ ନକରି କେବଳ ଉପର ଠାଉରିଆ ଭାବେ ମଝିରେ ମଝିରେ କିଛି ଗଞ୍ଜେଇ ଜବତ କରି ବିଭାଗୀୟ କର୍ତ୍ତୃପକ୍ଷ ବାହାବା ନେଉଛନ୍ତି ବୋଲି ମଦମୁକ୍ତି ଅଭିଯାନ ପକ୍ଷରୁ ଖୋଲା ଅଭିଯୋଗ ହେଉଛି ।

ସରକାରୀ ହିସାବ ମୁତାବକ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୮୦କୁଇଣ୍ଟାଲ ଭାଙ୍ଗ ଅବକାରୀ ବିଭାଗ କର୍ତ୍ତୃପକ୍ଷ ଜବତ କରିଥିବାବେଳେ ଗତବର୍ଷ ୧୦୦ କୁଇଣ୍ଟାଲରୁ ଅଧିକ ଭାଙ୍ଗ ଜବତ ହୋଇଥିଲା । ସେହିଭଳି ୨୦୨୩-୨୪ ବର୍ଷରେ ଓଡିଶାରେ ପାଖପାଖି ୩୦୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବାବେଳେ ଏବର୍ଷ ଏହି ପରିମାଣ ୨୫୦ କୁଇଣ୍ଟାଲକୁ ଟପି ସାରିଲାଣି ।

ସରକାରୀ ହିସାବ ମୁତାବକ ୨୦୨୪-୨୫ ବର୍ଷରେ ୨୨,୩୨୪ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଏଥିରେ ୨୨ଲକ୍ଷ ୫୧ହଜାରରୁ ଅଧିକ ଗଞ୍ଜେଇ ଗଛ ସରକାର ପଇସା ଖର୍ଚ୍ଚକରି କାଟିଥିବା ଦାବି କରୁଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେଧଡକ ଗଞ୍ଜେଇ ଚାଷ ଚାଲିଥିବାବେଳେ ମୂଳରୁ କ୍ଷେତ୍ର ଅଧିକାରୀ ଓ ଲୋକ ପ୍ରତିନିଧିମାନେ କିଭଳି ଜାଣିପାରୁ ନାହାନ୍ତି ତାହା ବିସ୍ମୟ ସୃଷ୍ଟି କରିଛି ।

ଯେଉଁସବୁ ଜିଲ୍ଲାରେ ଚୋରା ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ବେଆଇନ୍‍ ଭାବେ ହେଉଛି ସେଥିରେ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ମଜୁରିଆ ଭାବେ ଖଟାଯାଉଛି । ଗଞ୍ଜେଇ ପତ୍ରକୁ ଭାଙ୍ଗ ଭାବରେ ଓ ଏହାର ଫୁଲକୁ ଗଞ୍ଜେଇ ଆକାରରେ ବ୍ୟବହାର କରାଯାଇଥାଏ । ପାକଳ ଫୁଲରୁ ବି ଗଞ୍ଜେଇ ମଞ୍ଜି ସଂଗ୍ରହ କରାଯାଇ ବିକ୍ରି ହୋଇଥାଏ । ପୁଲିସ୍‍ ଓ ଅବକାରୀ ବିଭାଗର ଗୁଇନ୍ଦା ସଂସ୍ଥା ଚାରିଆଡେ ଛାଇହୋଇ ରହିଥିବାବେଳେ ଗଞ୍ଜେଇ ଚାଷ ଆରମ୍ଭରୁ କିଭଳି ଖବର ପାଇପାରୁ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସଂଖ୍ୟାଧିକ ସ୍ଥଳରେ ପାହାଡିଆ ଅଞ୍ଚଳର ଜଙ୍ଗଲ ଜମି ଓ ଅନ୍ୟ ସରକାରୀ ଜମିରେ ଗଞ୍ଜେଇଚାଷ ହୋଇଥାଏ । ଅବଶ୍ୟ କେତେକ ସ୍ଥଳରେ ଲୋକଙ୍କ ଜମି ଭାଗରେ ନେଇ ବି ଗଞ୍ଜେଇ ବେପାରୀମାନେ ବେନାମୀ ଗଞ୍ଜେଇ ଚାଷ କରିଥାନ୍ତି । ଗାଁରେ ଥିବା ଗ୍ରାମରକ୍ଷୀଙ୍କ ଠାରୁ ଆରମ୍ଭକରି ରାଜସ୍ୱ ବିଭାଗର କ୍ଷେତ୍ର ଅଧିକାରୀ ଏମିତିକି ଜଙ୍ଗଲ ବିଭାଗର କର୍ମଚାରୀମାନେ ଏସବୁକୁ ଆଖିବୁଜି ଦେଉଛନ୍ତି ନା ଦେଖିକରି କୌଣସି ଚାପ ଯୋଗୁଁ ନିରବ ରହୁଛନ୍ତି ତାହା ମଧ୍ୟ ଏକ ପ୍ରଶ୍ନବାଚୀ । ଏହାଛଡା ୱାର୍ଡମେମ୍ବର, ସରପଞ୍ଚଙ୍କ ଠାରୁ ଆରମ୍ଭକରି ବିଭିନ୍ନ ସ୍ତରର ସ୍ଥାନୀୟ ଲୋକପ୍ରତିନିଧି ଏବଂ ସରକାରୀ ଓ ବିରୋଧିଦଳର କ୍ଷେତ୍ରୀୟ ନେତାମାନେ ଏ ପ୍ରସଙ୍ଗରେ କାହିଁକି ମୂଳରୁ ନିରବ ରହୁଛନ୍ତି ତାହା ବି ସନ୍ଦେହ ସୃଷ୍ଟିକରିବା ସ୍ୱାଭାବିକ । ଏଥିଲାଗି ନିର୍ବାଚିତ ଲୋକପ୍ରତିନିଧି ଓ କ୍ଷେତ୍ର କର୍ମଚାରୀମାନଙ୍କୁ ଉତ୍ତରଦାୟୀ ରଖାଗଲେ ଗଞ୍ଜେଇଚାଷ ସମ୍ପୂର୍ଣ୍ଣ ବନ୍ଦ ହୋଇପାରିବ ବୋଲି ଆଶା କରାଯାଉଛି ।

ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟକରି ଏବଂ ଅନେକ ସମୟ ବରବାଦ କରି ଧର୍ମକୁ ଆଖିଠାର ମାରିବା ଭଳି ଚୋରା ଗଞ୍ଜେଇ ଜବତ ଗଞ୍ଜେଇ ଚାଷ ଉପରେ ଚଢାଉ କରୁଛନ୍ତି ବୋଲି ମଦମୁକ୍ତି ଅଭିଯାନ ଖୋଲା ଅଭିଯୋଗ କରୁଛି । କେବଳ ସେତିକି ନୁହେଁ, ଓଡିଶାର ଅସ୍ମିତା ପ୍ରସଙ୍ଗ ବ୍ୟାପକ ଚର୍ଚ୍ଚିତ ହେଉଥିବାବେଳେ ଦେଶର ବିଭିନ୍ନ ରାଜ୍ୟରେ ଓଡିଶାର ଚାଲାଣ ହେଉଥିବା ଗଞ୍ଜେଇ ଧରାପଡିବା ସମାଚାର ବାରମ୍ବାର ପ୍ରକାଶ ପାଉଛି । ଏମିତିକି ବିଦେଶରୁ ଭାରତକୁ ଓ ଓଡିଶାକୁ ବ୍ରାଉନସୁଗାର, ହେରୋଇନ୍‍, ଅଫିମ ଆଦି ନିଶା ସାମଗ୍ରୀ ଚୋରାରେ ଆସୁଥିବାବେଳେ ଓଡିଶାରେ ଭାଙ୍ଗ ଓ ଗଞ୍ଜେଇ ସମେତ ବିଭିନ୍ନ ନିଶା ସାମଗ୍ରୀର ବ୍ୟବହାର ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିଘେନି ଉଦବେଗପ୍ରକାଶ କରୁଥିବାବେଳେ ଗଞ୍ଜେଇ ଚାଷ କିନ୍ତୁ ଆମ ରାଜ୍ୟରେ ବନ୍ଦ ହୋଇପାରୁ ନାହିଁ । (ତଥ୍ୟ)