Home Excise ଗଞ୍ଜେଇ ଗଛ ରାଜକୋଷ ଉପରେ ବୋଝ

ଗଞ୍ଜେଇ ଗଛ ରାଜକୋଷ ଉପରେ ବୋଝ

ଭୁବନେଶ୍ୱର : ରାଜରେ ଗଞ୍ଜେଇ ଚାଷ ଏବେ ରାଜକୋଷ ଉପରେ ବୋଝ ହେବାରେ ଲାଗିଲାଣି । ନିଶା ବେପାରୀମାନେ କରୁଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବାପାଇଁ ସରକାର ଖର୍ଚ୍ଚ କରୁଥିବା ଅର୍ଥ ବର୍ଷକୁ ବର୍ଷ ବଢିବାରେ ଲାଗିଛି ।

ରାଜ୍ୟର ବିଭିନ୍ନ ଅଞ୍ଚଳ ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିଶା ବେପାରୀମାନେ ଗଞ୍ଜେଇ ଚାଷ କରିବା ସହିତ ତାହାକୁ ବିକି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି । ଓଡିଶା ଗଞ୍ଜେଇ ଏବେ ରାଜ୍ୟ ବାହାରେ ବେଶ୍‍ ଦୁର୍ନାମ ଅର୍ଜନ କରିବାରେ ଲାଗିଛି । ଦେଶରୁ ଯେଉଁଠାରେ ବି ଗଞ୍ଜେଇ ଜବତ ହେଉଛି ତାହାର ଚେର ଓଡିଶା ପର୍ଯ୍ୟନ୍ତ ଲମ୍ବିଥିବା ଜଣାଯାଇଛି ।

ତେବେ ଗଞ୍ଜେଇ ଚାଷକୁ ସମୂଳେ ବିନାଶ ପାଇଁ ରାଜ୍ୟ ସରକାର ଯୁଦ୍ଧଂ ଦେହି ଡାକରା ଦେବା ସହିତ ପ୍ରତିବର୍ଷ ଦଳବଳ ସହ ଗଞ୍ଜେଇ ଗଛ ନଷ୍ଟ କରିବାରେ ଲାଗିଛନ୍ତି । ଏଥିପାଇଁ ରାଜକୋଷରୁ ବିପୁଳପରିମାଣ ଅର୍ଥ ବି ଶ୍ରାଦ୍ଧ ହେଉଛି । ଚଳିତବର୍ଷ ଫେବୃୟାରୀ ୧୨ ସୁଦ୍ଧା ସରକାରୀ ହିସାବରେ ୨ କୋଟି ୧୭ଲକ୍ଷରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରିଥିବା ରେକର୍ଡ ହୋଇଛି । ବିଗତ ବର୍ଷ ତୁଳନାରେ ଏହା ସର୍ବକାଳୀନ ରେକର୍ଡ । ୨୦,୪୪୧ ଏକର ଜମିରୁ ଏହି ଗଞ୍ଜେଇ ଗଛ ନଷ୍ଟ ହୋଇଥିବା ସରକାରୀ ଭାବେ କୁହାଯାଇଛି ।

ତେବେ ଗଞ୍ଜେଇ ଗଛ ନଷ୍ଟ ପାଇଁ ସରକାର ବି ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରୁଛନ୍ତି । ଚଳିତବର୍ଷ ଏ ବାବଦରେ ଦେଢ କୋଟିରୁ ଅଧିକ ଅର୍ଥ ମଞ୍ଜୁର ହୋଇଛି । କେବଳ କନ୍ଧମାଳ ଜିଲ୍ଲାକୁ ଏଥିପାଇଁ ୧୪ ଲକ୍ଷ ଟଙ୍କା ଦିଆଯାଇଛି । ଗଞ୍ଜେଇ ଗଛ ଓପାଡିବା ଖର୍ଚ୍ଚ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୨୦୨୩-୨୪ ବର୍ଷରେ ସରକାର ଏଥିପାଇଁ ୬୧ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରିଥିବାବେଳେ ୨୦୨୪-୨୫ ବର୍ଷରେ ଏଥିପାଇଁ ୧କୋଟି ୪୭ ଲକ୍ଷ ଟଙ୍କା ଦେଇଥିଲେ ।

ଅବକାରୀ ଓ ପୁଲିସ୍‍ ବିଭାଗ ପକ୍ଷରୁ ଗଞ୍ଜେଇ ଗଛ ନଷ୍ଟ ସମୟରେ ବିଭିନ୍ନ ପ୍ରକାର ଘୋଷଣା ହେଉଛି । କେତେ ହେକ୍ଟରରେ ଗଞ୍ଜେଇ ଗଛ ନଷ୍ଟ କରାଯାଉଛି ଓ ଏହି କାର୍ଯ୍ୟପାଇଁ ଡ୍ରୋନର ସହାୟତା ନିଆଯାଉଥିବା କୁହାଯାଉଛି । ହେଲେ ଗଞ୍ଜେଇ ଚାଷ କମିବା ବଦଳରେ ବର୍ଷକୁ ବର୍ଷ କିଭଳି ବଢୁଛି ସେ ସଂକ୍ରାନ୍ତରେ କିନ୍ତୁ ଏହି ଦୁଇ ବିଭାଗ ନିରବ ।

ଯେଉଁ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଛି ସେଠାରେ ଅବକାରୀ ଥାନା ସହିତ ପୁଲିସ୍‍ ଥାନା ବି ରହିଛି । ଏଠାରେ ବେଆଇନ୍‍ ନିଶା କାରବାରକୁ ରୋକିବା ଦାୟିତ୍ୱ ହେଉଛି ଏହି ଦୁଇ ବିଭାଗର । ହେଲେ ବିପୁଳ ପରିମାଣର ଗଞ୍ଜେଇ ଚାଷ ପାଇଁ ସମ୍ପୃକ୍ତ ଅଞ୍ଚଳର ଅବକାରୀ ବିଭାଗ କିମ୍ବା ପୁଲିସ୍‍ ବିଭାଗ, କାହାରିକୁ ହେଲେ ଉତ୍ତରଦାୟୀ କରାଯାଉ ନାହିଁ । ଯେଉଁଠାରେ ବି ଗଞ୍ଜେଇ ଚାଷ ଠାବ ହେଉଛି ତାହାକୁ ଦୁର୍ଗମ ଅଞ୍ଚଳ କହି ସଫେଇ ଦିଆଯାଉଛି ।

ପ୍ରତିବର୍ଷ ଯେଭଳି ଭାବେରେ ଗଞ୍ଜେଇ ଚାଷ ସହ ତାଳଦେଇ ଏହାକୁ ନଷ୍ଟ କରିବା ବାବଦୀୟ ଖର୍ଚ୍ଚ ବଢିବାରେ ଲାଗିଛି ତାହା ଆଗାମୀ ଦିନରେ ରାଜକୋଷ ପାଇଁ ବଡ ବୋଝ ପାଲଟିବ ବୋଲି କୁହାଗଲାଣି । ତେଣୁ ଯେଉଁସବୁ ଅଞ୍ଚଳରେ ଗଞ୍ଜେଇଚାଷ ଠାବ ହେଉଛି ତାହାର ନଷ୍ଟ ପାଇଁ ହେଉଥିବା ବ୍ୟୟ ସମ୍ପୃକ୍ତ ଅଞ୍ଚଳର ଅବକାରୀ ଓ ଥାନା ବାବୁମାନଙ୍କ ଠାରୁ ଆଦାୟ କରିବାପାଇଁ ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । (ତଥ୍ୟ)