ଭୁବନେଶ୍ୱର : ରାଜଧାନୀର ଉପକଣ୍ଠରେ ପ୍ରବାହିତ ଗଙ୍ଗୁଆ ଓ ଦୟାନଦୀର ଜଳ ଭୟଙ୍କର ଭାବେ ପ୍ରଦୂଷିତ ହୋଇଥିବାରୁ ତାହାକୁ ପ୍ରଦୂଷଣମୁକ୍ତ କରିବାଲାଗି ବାରମ୍ବାର ଘୋଷଣା କରାଯାଉଥିଲେ ମଧ୍ୟ ଏଯାବତ୍ ଏ ଦିଗରେ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଅନ୍ୟ ପକ୍ଷରେ ଏହି ଦୁଇ ନଦୀର ପ୍ରଦୂଷିତ ଜଳ ଏକ ପ୍ରକାର ବିଷାକ୍ତ ଅବସ୍ଥାରେ ଥିବାରୁ ତାହା ତଳମୁଣ୍ଡରେ ଥିବା ଚିଲିକା ହ୍ରଦକୁ ସଂକ୍ରମିତ କରିପାରେ ବୋଲି ପରିବେଶ ବିଜ୍ଞାନୀମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।
ତିରିଶ ବର୍ଷ ତଳେ ଗଙ୍ଗୁଆ ନଦୀର ଜଳକୁ ଲୋକେ ଗାଧୁଆ ପାଧୁଆ ଠାରୁ ଆରମ୍ଭକରି ରୋଷେଇ କାମରେ ବି ବ୍ୟବହାର କରୁଥିଲେ । ଏହି ନଦୀରେ ବି ଭଲ ମାଛ ମିଳୁଥିଲେ । ଗଙ୍ଗୁଆର ଜଳ ବେଶ୍ ସ୍ୱଚ୍ଛ ଥିଲା । ଏବେ ବସ୍ତୁତଃ ଗଙ୍ଗୁଆ ନଦୀର ପାଣି କିନ୍ତୁ ଭୁବନେଶ୍ୱରର ନର୍ଦ୍ଦମା ଜଳ ଭଳି କଳା ହୋଇଯାଇଛି । ଏହି ପାଣିରେ ମାଛ, କଙ୍କଡା, ଚିଙ୍ଗୁଡି ଆଦି ବଞ୍ଚିବା ମୁସ୍କିଲ ହୋଇ ପଡିଥିବାରୁ ଗଙ୍ଗୁଆରୁ ଆଉ ମାଛ ମିଳୁନାହିଁ । ଏହା ବସ୍ତୁତଃ ମଶା, ଡାଆଁଶଙ୍କ ସମେତ ଅନ୍ୟାନ୍ୟ ରୋଗ ଜୀବାଣୁଙ୍କ ଏନ୍ତୁଡିଶାଳରେ ପରିଣତ ହୋଇଛି ।
ଦୟା ନଦୀର ଜଳ ବି ରାଜଧାନୀ ଯୋଗୁଁ ବର୍ଷକୁ ବର୍ଷ ଅଧିକ ମାତ୍ରାରେ ପ୍ରଦୂଷିତ ହେବାରେ ଲାଗିଛି । ଏମିତିକି ଗଙ୍ଗୁଆ ଭଳି ଦୟା ନଦୀର ଜଳ ବ୍ୟବହାର ଉପଯୋଗୀ ନୁହେଁ ବୋଲି ବାରମ୍ବାର ଗଣମାଧ୍ୟମରେ ତାଗିଦ କରାଯାଉଛି । ଗାଁ ଗହଳର ଲୋକେ ଗଙ୍ଗୁଆ ଭଳି ଦୟା ଜଳରେ ଗାଧୋଇବାକୁ ଆଉ ନିରାପଦ ମଣୁ ନାହାନ୍ତି କିମ୍ବା ଏହାର ପାଣିକୁ ରୋଷେଇ କାମରେ ବି ଲଗାଉ ନାହାନ୍ତି ।
ଏହି ଦୁଇ ନଦୀର ଦଳ ଏଭଳି ବିଷାକ୍ତ ହେଉଛି ଯେ ନଦୀ ପାର ହୋଇ ଲୋକେ କୃଷି କ୍ଷେତକୁ ଯିବା ଆସିବା କଲେ ବିଭିନ୍ନ ଚର୍ମ ରୋଗରେ ସଂକ୍ରମିତ ହେଉଛନ୍ତି । କେବଳ ସେତିକି ନୁହେଁ, ଏହି ଦୁଇ ନଦୀ ଅବବାହିକାରେ ଥିବା ଗାଁ ଗୁଡିକର କୂଅ ଓ ନଳକୂଅର ଜଳ ମଧ୍ୟ ବେଶ୍ ପ୍ରଦୂଷିତ । ଭୂତଳ ଜଳ ସଙ୍କଟ ପ୍ରଦୂଷିତ ହେଉଥିବା ପରିପ୍ରେକ୍ଷୀରେ ଗଙ୍ଗୁଆ ଓ ଦୟା ଅବବାହିକାରେ ବସବାସ କରୁଥିବା ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ବଢି ଚାଲୁଥିବା କୁହାଯାଉଛି ।
ଗଙ୍ଗୁଆ ନଦୀର ନର୍ଦ୍ଦମା ଜଳ ତଳମୁଣ୍ଡରେ କଣ୍ଟିକାଜ ନିକଟରେ ଦୟାରେ ମିଶୁଛି । ଏହାର ତଳ ମୁଣ୍ଡକୁ ଦୟାର ଯେଉଁସବୁ ଶାଖାନଦୀମାନ ରହିଛି ସେଗୁଡିକ ଚିଲିକା ହ୍ରଦରେ ମିଶିଛନ୍ତି । ଏହି ନଦୀର ହ୍ରଦ ମୁହାଣ ନିକଟରୁ ସଂଗ୍ରହ କରାଯାଉଥିବା ଜଳର ପରୀକ୍ଷଣରୁ ସ୍ପଷ୍ଟ ଜଣାପଡୁଛି ଯେ ଏହା ଅତି ମାତ୍ରାରେ ପ୍ରଦୂଷିତ ରହୁଛି । ଯଦି ତୁରନ୍ତ ଏହି ସ୍ଥିତିର ନିୟନ୍ତ୍ରଣ କରାନଯାଏ ତେବେ କ୍ରମଶଃ ଚିଲିକା ହ୍ରଦର ଜଳ ପ୍ରଦୂଷିତ ହୋଇ ମାଛ, କଙ୍କଡା, ଚିଙ୍ଗୁଡି ଆଦି ସମ୍ପଦ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ଯାହା ଉକ୍ତ ହ୍ରଦକୁ ଜୀବନ ଜୀବିକା କରି ବଞ୍ଚୁଥିବା ମତ୍ସ୍ୟଜୀବୀମାନଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ଭାଙ୍ଗିଦେବ ।
କେବଳ ସେତିକି ନୁହେଁ, ଚିଲିକାର ପର୍ଯ୍ୟଟନ କ୍ଷେତ୍ର ଉପରେ ବି ଏହି ପ୍ରଦୂଷଣ ବେଶ୍ ଭାରି ପଡିପାରେ ବୋଲି ପରିବେଶବିତ୍ମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ତେଣୁ ସୀମିତ ସମୟସୀମା ମଧ୍ୟରେ ଗଙ୍ଗୁଆ ଓ ଦୟାନଦୀର ଜଳକୁ ପ୍ରଦୂଷଣମୁକ୍ତ କରାଇବା ସହିତ ଚିଲିକା ହ୍ରଦର ସ୍ୱାସ୍ଥ୍ୟ ରକ୍ଷା ଦିଗରେ ଧ୍ୟାନ ଦେବାକୁ ବିଭିନ୍ନ ମହଲରୁ ଦାବି ଉଠୁଛି । (ତଥ୍ୟ)