ଭୁବନେଶ୍ୱର : ଜଳ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ‘ଅମୃତ ସରୋବର’ ଯୋଜନାରେ ରାଜ୍ୟରେ ୨ହଜାରରୁ ଅଧିକ ପୋଖରୀ ଖୋଳାଯାଇ ସାରିଲାଣି । ଏହି ଯୋଜନାରେ ପୋଖରୀ ଖନନ ପାଇଁ ରାଜ୍ୟରେ ମୋଟ୍ ୪୫୩୭ଟି ସ୍ଥାନ ଚିହ୍ନଟ ହୋଇଥିବା ଜଣାଯାଇଛି ।
ଗତବର୍ଷ ଏପ୍ରିଲ୍ ମାସରେ କେନ୍ଦ୍ର ସରକାର ଅମୃତ ମହୋତ୍ସବ ଯୋଜନା ଆରମ୍ଭ କରିଥିଲେ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛନ୍ତି ଜଳ ସଂରକ୍ଷଣ ସହିତ ଏହାକୁ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟରେ ବ୍ୟବହାର କରିବା । ଏହି ଯୋଜନାରେ ପ୍ରତ୍ୟେକ ଜିଲ୍ଲାରେ ୧୦,୦୦୦ କ୍ୟୁବିକ ମିଟର ଜଳଧାରଣ କ୍ଷମତା ତଥା ଗୋଟିଏ ଏକ ଜମିରେ ୭୫ଟି କରି ପୋଖରୀ ଖୋଳିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଏହି ଯୋଜନା ଚଳିତବର୍ଷ ଅଗଷ୍ଟ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ।
ଏହି ଯୋଜନାକୁ କେନ୍ଦ୍ର ଜଳଶକ୍ତି, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ, ସଂସ୍କୃତି ଆଦି ମନ୍ତ୍ରାଳୟ ମିଳିତ ଭାବେ କାର୍ଯ୍ୟକାରୀ କରୁଛନ୍ତି । ଏଥି ସହିତ ପୋଖରୀ ଖୋଳାରୁ ଯେଉଁ ମାଟି ବାହାରିବ ତାହାକୁ ବ୍ୟବହାର ଲାଗି ରେଳ ଓ ରାଜପଥ ମନ୍ତ୍ରାଳୟକୁ ଏଥି ସହିତ ଜଡିତ କରାଯାଇଛି ।
ତେବେ ଓଡିଶାରେ ଏହି ସରୋବର ପାଇଁ ୪୫୩୭ଟି ସ୍ଥାନ ଚିହ୍ନଟ ହୋଇଥିବାବେଳେ ୩୨୧୫ରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୨୨୬୯ଟି ପୋଖରୀ ଖନନ କାର୍ଯ୍ୟ ସମାପ୍ତ ହୋଇଛି । ଏହି ପୋଖରୀ ଖନନ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଏମ୍ଜିନରେଗାରେ କରାଯାଉଛି । ଯାହା ଫଳରେ ଗାଁ ଗହଳର ଲୋକଙ୍କ ହାତକୁ କାମ ମିଳିବା ସହିତ ଏହି ପୋଖରୀରୁ ପ୍ରତ୍ୟେକ ଚାଷଜମିକୁ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରହିଛି ।
ତେବେ ଅନ୍ୟ ପଡୋଶୀ ରାଜ୍ୟ ତୁଳନାରେ ଓଡିଶାରେ ଅମୃତ ସରୋବର କାର୍ଯ୍ୟ ଢେର ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରପ୍ରଦେଶରେ ଏହି କେନ୍ଦ୍ରୀୟ ଯୋଜନାରେ ୨୦୪୯ଟି ସରୋବର ଖନନ କାର୍ଯ୍ୟ ସମାପ୍ତ ହୋଇଥିବାବେଳେ ଝାଡଖଣ୍ଡରେ ୧୮୬୧ ଓ ପଶ୍ଚିମବଙ୍ଗରେ ମାତ୍ର ୧୯ଟି ସମ୍ପୂର୍ଣ୍ଣ ହୋଇଛି । ତେବେ ସବୁଠାରୁ ଅଧିକ ୧୧,୯୧୩ଟି ସରୋବର ସମ୍ପୂର୍ଣ୍ଣ ହୋଇଛି ଉତ୍ତରପ୍ରଦେଶରେ । ସେଠାରେ ପୋଖରୀ ଖନନ ଲାଗି ୨ଲକ୍ଷରୁ ଅଧିକ ସ୍ଥାନ ଚିହ୍ନଟ ହୋଇଛି ।
ଓଡିଶା ଭଳି ଉପକୂଳବର୍ତ୍ତୀ ରାଜ୍ୟରେ ଏବେ ପ୍ରମୁଖ ନଦୀଗୁଡିକରେ ଜଳସଙ୍କଟ ପରିଲକ୍ଷିତ ହେବା ଏବଂ ବର୍ଷର ଅଧିକାଂଶ ସମୟ ନଦୀ ଶୁଖିଲା ପଡୁଥିବାରୁ ଚାଷ ଠାରୁ ଆରମ୍ଭକରି ପାନୀୟଜଳ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଅମୃତ ସରୋବର ଯୋଜନାରେ ଖନନ ହେଉଥିବା ପୋଖରୀ ବେଶ୍ କାମରେ ଆସିବ ବୋଲି କୁହାଯାଉଛି । ଏହାଦ୍ୱାରା ଭୂତଳ ଜଳ ରିଚାର୍ଜ ହେବା ସହିତ ସବୁଜିବା ବୃଦ୍ଧିରେ ଏହା ସହାୟକ ହେବ । ତେବେ ଅଗଷ୍ଟ ସୁଦ୍ଧା ଚିହ୍ନଟ ସମସ୍ତ ସ୍ଥାନରେ ପୋଖରୀ ଖନନ ସାରିବାପାଇଁ ଜୋରଦାର ଉଦ୍ୟମ ଚାଲିଥିବା ସୂଚନା ମିଳିଛି । (ତଥ୍ୟ)