Home Education ଖୋଲିଲା ୪୪ ବନ୍ଦ ବିଦ୍ୟାଳୟ

ଖୋଲିଲା ୪୪ ବନ୍ଦ ବିଦ୍ୟାଳୟ

ଭୁବନେଶ୍ୱର : ଛାତ୍ରଛାତ୍ରୀ ଅଭାବରୁ ନିକଟସ୍ଥ ବିଦ୍ୟାଳୟରେ ମିଶି ଯାଇଥିବା ୪ହଜାରରୁ ଅଧିକ ବିଦ୍ୟାଳୟ ମଧ୍ୟରୁ ୪୪ଟି ବିଦ୍ୟାଳୟ ପୁଣିଥରେ ଖୋଲାଯାଇ ସାରିଲାଣି । ରାଜ୍ୟ ସ୍ତରୀୟ କମିଟି ସବୁଜ ସଙ୍କେତ ଦେବାପରେ ଏହିସବୁ ବିଦ୍ୟାଳୟ ଖୋଲିଥିବା ଜଣାଯାଇଛି ।

ରାଜ୍ୟରେ ଯେଉଁସବୁ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା ହ୍ରାସ ପାଇଥିଲା ଅର୍ଥାତ୍‍ ୨୦ରୁ କମ୍‍ ସ୍ତରକୁ ଆସିଥିଲା ସେହିସବୁ ବିଦ୍ୟାଳୟକୁ ନିକଟରେ ଏକ କିଲୋମିଟର ଦୂରତା ମଧ୍ୟରେ ଥିବା ବିଦ୍ୟାଳୟ ସହିତ ମିଶାଇ ଦେବାପାଇଁ ୨୦୨୦ ମସିହାରେ ସରକାର ନିଷ୍ପତ୍ତି ନେବା ସହିତ ବିଜ୍ଞପ୍ତି ପ୍ରକାଶ କରିଥିଲେ । ତଦନୁଯାୟୀ ବିଭିନ୍ନ ଜିଲ୍ଲାର ୪୬୧୯ଟି ବିଦ୍ୟାଳୟର ନିକଟସ୍ଥ ବିଦ୍ୟାଳୟ ସହିତ ମିଶ୍ରଣ ହୋଇଥିଲା ।

ଏହି ମିଶ୍ରଣ ତାଲିକାରେ ସବୁଠାରେ ଆଗରେ ରହିଛି କଟକ ଜିଲ୍ଲା । ଛାତ୍ରଛାତ୍ରୀ ଅଭାବରୁ ଏହି ଜିଲ୍ଲାର ୩୯୩ଟି ବିଦ୍ୟାଳୟର ମିଶ୍ରଣ ହୋଇଥିବାବଳେ ଗଞ୍ଜାମର ୩୨୬ଟି, ମୟୁରଭଞ୍ଜର ୩୦୮ଟି, ଯାଜପୁରର ୨୮୩ଟି, କୋରାପୁଟର ୨୪୮ଟି, ଗଜପତିର ୨୪୭ଟି, ବରଗଡର ୨୦୩ଟି, କେନ୍ଦ୍ରାପଡାର ୧୯୫ଟି, ଜଗତସିଂହପୁରର ୧୮୯ଟି, ଭଦ୍ରକର ୧୮୩ଟି ଓ କନ୍ଧମାଳର ୧୮୧ ଟି ବିଦ୍ୟାଳୟ ରହିଛି । ପୁରୀ ଜିଲ୍ଲାରେ ଗୋଟିଏ ହେଳେ ବିଦ୍ୟାଳୟ ମିଶ୍ରଣ ତାଲିକାରେ ନଥିବାବେଳେ ସବୁଠାରୁ କମ୍‍ ମାତ୍ର ୪୩ଟି ବିଦ୍ୟାଳୟ ମାଲକାନଗିରି ଜିଲ୍ଲାରେ ରହିଛି ।

ବିଦ୍ୟାଳୟ ମିଶ୍ରଣ ପରେ ବିଭିନ୍ନ ଜିଲ୍ଲାରେ ଅସନ୍ତୋଷ ପ୍ରକଟ ପାଇବା ସହିତ ଯେଉଁସବୁ ବିଦ୍ୟାଳୟରେ ଧାର୍ଯ୍ୟ ମାନଠାରୁ ଅଧିକ ପିଲା ଆସୁଛନ୍ତି ତାହାକୁ ପୁଣିଥରେ ଖୋଲିବାକୁ ମତପ୍ରକାଶ ପାଇଥିଲା । ଏହାକୁ ନେଇ ଲୋକେ ନିଜ ନିଜ ଲୋକପ୍ରତିନିଧିଙ୍କ ଉପରେ ଚାପ ପକାଇବାରେ ଲାଗିଥିଲେ । ବିଶେଷକରି ଯେଉଁସବୁ ସ୍ଥାନରେ ଏକ କିଲୋମିଟର ସୀମା ମଧ୍ୟରେ ବିଦ୍ୟାଳୟ ମିଶ୍ରଣ ହୋଇଥିଲା ଏବଂ ପିଲାମାନେ ପ୍ରମୁଖ ରାସ୍ତା ପାରହୋଇ ସେହିସବୁ ବିଦ୍ୟାଳୟକୁ ଯାଉଥିଲେ ସେଠାରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିଲା ।

ଏହାଛଡା ଯେଉଁସବୁ ବିଦ୍ୟାଳୟଗୁଡିକରେ ତାଲା ଝୁଲିଲା ସେଠାରେ ଅସାମାଜିକଙ୍କ ଆଡ୍ଡା ମଧ୍ୟବଢିବାରେ ଲାଗିଛି । କାରଣ ପ୍ରାୟତଃ ସମସ୍ତ ବିଦ୍ୟାଳୟରେ ଛାତ ଘର ସହିତ ମଧ୍ୟାହ୍ନଭୋଜନ ପାଇଁ ରୋଷଘର, ଶୌଚାଳୟ ଆଦି ନିର୍ମାଣ ହୋଇଛି । ବିଦ୍ୟାଳୟରେ ତାଲା ପଡିବାପରେ ସ୍ଥାନୀୟ ଯୁବକଙ୍କ ସହିତ ନିଶାଡିମାନେ ସେଠାରେ ଆଡ୍ଡା ଜମାଇବାରେ ଲାଗିଛନ୍ତି । ତେଣୁ ଏହାକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ତେବେ ଲୋକଙ୍କ ଅସନ୍ତୋଷକୁ ଦେଖି ସରକାର ନିୟମ କହିଥିଲେ ଯେ ବନ୍ଦ ସ୍କୁଲକୁ ଖୋଲିବାପାଇଁ ପ୍ରସ୍ତାବ ହସ୍ତଗତ ହେଲେ ପ୍ରଥମେ ଜିଲ୍ଲାସ୍ତରୀୟ କମିଟି ରାଜ୍ୟ ଏହାର ଯାଞ୍ଚ କରାଯାଇ ରାଜ୍ୟସ୍ତରୀୟ କମିଟିର ମତାମତ ପାଇଁ ପଠାଯିବ । ରାଜ୍ୟସ୍ତରୀୟ କମିଟିର ସୁପାରିଶ୍‍ କ୍ରମେ ବନ୍ଦ ବିଦ୍ୟାଳୟଗୁଡିକ ପୁନଃ ଖୋଲାଯିବ । ଏହି ଫର୍ମୁଲାରେ ଏବେ ରାଜ୍ୟରେ ମିଶ୍ରଣ ହୋଇଥିବା ୪୪ଟି ବିଦ୍ୟାଳୟ ଖୋଲିଛି । ଏହି ୪୪ଟି ବିଦ୍ୟାଳୟଗୁଡିକ ବରଗଡ, ଦେବଗଡ, ଢେଙ୍କାନାଳ ଯାଜପୁର ଓ ଖୋରଧା ଜିଲ୍ଲାରେ ରହିଛି । ଯାଜପୁର ଜିଲ୍ଲାରେ ୩ଟି ବିଦ୍ୟାଳୟ ଖୋଲିଥିବାବେଳେ ଖୋରଧା ଜିଲ୍ଲାରେ ୨ଟି ବିଦ୍ୟାଳୟ ଖୋଲିଛି । (ତଥ୍ୟ)