Home Administration ଖୋଲିବ ଏଆଇ ସେଲ୍‍

ଖୋଲିବ ଏଆଇ ସେଲ୍‍

ଭୁବନେଶ୍ୱର : ରାଜ୍ୟରେ ପ୍ରଶାସନିକ କାର୍ଯ୍ୟରେ ଏବେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ (ଏଆଇ) ର ପ୍ରଚଳନ ହେବ । ଏଥିପାଇଁ ଏଆଇ ସେଲ୍‍ ଖୋଲିବାକୁ ଯୋଜନା ପ୍ରସ୍ତୁତ ହେଉଛି । ପ୍ରଶାସନରେ ବିଭିନ୍ନ ଆହ୍ୱାନର ମୁକାବିଲା ଏବଂ ଜନସେବାକୁ ସୁଗମ କରିବା ପାଇଁ ଏଆଇର ପ୍ରଭାବଶାଳୀ ବ୍ୟବହାର ଉପରେ ସରକାର ଗୁରୁତ୍ୱ ଦେଉଥିବାରୁ ଏଭଳି ପଦକ୍ଷେପ ନିଆଯାଉଛି ।

ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ନିକଟରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ନିଜ ନିଜ ବିଭାଗର ସେବା ପ୍ରଦାନରେ ଏଆଇ ଓ ଟେକ୍ନୋଲୋଜିର ବ୍ୟବହାର କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପରାମର୍ଶ ଦେଇଥିଲେ ।
ଶ୍ରୀ ଆହୁଜା କେନ୍ଦ୍ରରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସଚିବ ଥିବା ସମୟରେ କୃଷକମାନଙ୍କୁ ସହାୟତା କରିବା ପାଇଁ ଏବଂ କୃଷି କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ଆହ୍ୱାନର ମୁକାବିଲା ପାଇଁ ଅନେକ ଏଆଇ ଭିତ୍ତିକ ପଦ୍ଧତି ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି ।

ପିଏମ କିଷାନ ସମ୍ମାନ ନିଧି ଯୋଜନା ବିଷୟରେ କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ପ୍ରମୁଖ ଏଆଇ ଟେକ୍ନୋଲୋଜି ହେଉଛି ‘କିଷାନ ଇ-ମିତ୍ର\’ । ଏହା ଏକାଧିକ ଭାଷାକୁ ବୁଝିବା ଏବଂ ଅନ୍ୟ ସରକାରୀ କାର୍ଯ୍ୟକ୍ରମରେ ସହାୟତା କରିବା ପାଇଁ ବିକଶିତ ହୋଇଛି ।

ସେହିଭଳି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉତ୍ପାଦିତ ଫସଲର କ୍ଷୟକ୍ଷତିର ମୁକାବିଲା ପାଇଁ ଜାତୀୟ କୀଟ ନିରୀକ୍ଷଣ ବ୍ୟବସ୍ଥା । ଏହି ପ୍ରଣାଳୀ ଫସଲ ସମସ୍ୟା ଚିହ୍ନଟ କରିବା ପାଇଁ ଏଆଇ ଏବଂ ମେସିନ୍ ଲର୍ଣ୍ଣିଂ ବ୍ୟବହାର କରିଥାଏ, ଯାହା ଉନ୍ନତ ଫସଲ ପାଇଁ ସଠିକ୍ ସମୟରେ ସୂଚନା ପ୍ରଦାନ କରିଥାଏ ।

ଧାନ ଏବଂ ଗହମ ଫସଲ ପାଇଁ ଉପଗ୍ରହ, ପାଣିପାଗ ଏବଂ ମୃତ୍ତିକା ଆର୍ଦ୍ରତା ଡାଟାସେଟ୍ ବ୍ୟବହାର କରି ଫସଲ ସ୍ୱାସ୍ଥ୍ୟ ଆକଳନ ଏବଂ ଏହାର ନିରୀକ୍ଷଣ ଲାଗି କ୍ଷେତ୍ର ଫଟୋଗ୍ରାଫ୍ ପାଇଁ ଏଆଇ ଆଧାରିତ ବିଶ୍ଳେଷଣ ବ୍ୟବହାର କରାଯାଉଛି ।
ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍‌) ଅମଳ ପରବର୍ତ୍ତୀ ଜ୍ଞାନକୌଶଳ, ଉତ୍ପାଦ ଏବଂ ଯନ୍ତ୍ରପାତି ବିଷୟରେ କୃଷକମାନେ ସଠିକ ସୂଚନା ପାଇବାରେ ସାହାଯ୍ୟ କରିବା ପାଇଁ ‘ମାଇଁ ସିଫେଟ୍‌\’ ମୋବାଇଲ୍ ଆପ୍ଲିକେସନ୍ ମଧ୍ୟ ଆରମ୍ଭ କରିଥିଲେ ।

ରାଜ୍ୟ ବିଭିନ୍ନ କ୍ଷେତ୍ରରେ କିଛି ଏଆଇ ଭିତ୍ତିକ ପଦ୍ଧତି ମଧ୍ୟ ଆରମ୍ଭ କରିଛି । ଚଳିତ ବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷା ଓ ରଥଯାତ୍ରାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସରକାର ଏଆଇ ସଂଯୁକ୍ତ କ୍ୟାମେରା ଟେକ୍ନୋଲୋଜିର ବ୍ୟବହାର କରିଛନ୍ତି । ଉଭୟ କ୍ଷେତ୍ରରେ ବେଶ୍‍ ସଫଳତା ମିଳିଛି । ଏହିସବୁକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ଏଆଇ ସେଲ୍ ଖୋଲିବାକୁ ପଦକ୍ଷେପ ନିଆଯାଇଛି । (ତଥ୍ୟ)