ଭୁବନେଶ୍ୱର : ଖୋର୍ଦ୍ଦା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢିବେ ପ୍ରଶାନ୍ତ କୁମାର ଜଗଦ୍ଦେବ । ବିଜେଡିରୁ ଆସି ବିଜେପିରେ ଯୋଗଦେବା ପରେ ତାଙ୍କୁ ଖୋର୍ଦ୍ଧାରୁ ପ୍ରାର୍ଥୀ କରାଯାଇଛି । ଆଜି ବିଜେପି ଆଉ ୮ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବାବେଳେ ସେଥିରେ ଜଗଦ୍ଦେବ ସ୍ଥାନ ପାଇଛନ୍ତି ।
ବିଜେପି ପ୍ରକାଶ କରିଥିବା ୮ଜଣିଆ ତାଲିକାରେ ତେଲକୋଇରୁ ଡକ୍ଟର ଫକୀର ମୋହନ ନାୟକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ଶ୍ରୀ ରବୀନ୍ଦ୍ର ଅଣ୍ଡିଆ, ବାସୁଦେବପୁରରୁ ବାଣୀ କଲ୍ୟାଣ ମହାନ୍ତି, ହିନ୍ଦୋଳରୁ ସୀମାରାଣୀ ନାୟକ, ସାଲେପୁରରୁ ଅରିନ୍ଦମ ରାୟ, କେନ୍ଦ୍ରାପଡାରୁ ଗୀତାଞ୍ଜଳି ସେଠୀ ଓ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ରହିଛନ୍ତି ।
ତେବେ ଏହି ଆଠଜଣିଆ ତାଲିକାରେ ୪ଜଣ ବିଜେପିରୁ ଆସି ବିଜେପିରେ ଯୋଗ ଦେଇଥିବା ପ୍ରାର୍ଥୀ ଅଛନ୍ତି । ଦୁଇ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ସୀମାରାଣୀ ହିନ୍ଦୋଳରୁ ବିଜେଡି ବିଧାୟିକା ଥିବାବେଳେ ଗୀତାଞ୍ଜଳି କେନ୍ଦ୍ରାପଡାରେ ବିଜେଡିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ରହିଥିଲେ । ଏହି ଦୁଇ ମହିଳା ପ୍ରାର୍ଥୀ ବିଜେପିରେ ଯୋଗ ଦେଉ ଦେଉ ବିଧାନସଭା ଟିକଟ ହାତେଇ ନେଇଛନ୍ତି ।
ସେହିଭଳି ଚଳଚିତ୍ର ତାରକା ଅରିନ୍ଦମ ବିଜେଡିରୁ ଆସି ବିଜେପିରେ ଯୋଗଦେଇ ଟିକଟ ହାତେଇ ଥିବାବେଳେ ପ୍ରଶାନ୍ତ ଜଗଦ୍ଦେବ ବିଜେଡିର ଚିଲିକାରୁ ବିଧାୟକ ଥିଲେ । ତେବେ ଗଣ୍ଡଗୋଳ କରିବା କାରଣରୁ ବିଜେଡି ତାଙ୍କୁ ଦଳରୁ ବିଦା କରିଥିଲା ।
ବିଜେପି ଆଜି ୮ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା ପରେ ମୋଟ ଘୋଷିତ ପ୍ରାର୍ଥୀଙ୍କ ସଂଖ୍ୟା ୧୪୦ ରେ ପହଞ୍ଚିଛି । ଦଳ ପକ୍ଷରୁ ଆଉ ୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଥିବାବେଳେ ଏବେ ସମସ୍ତଙ୍କ ନଜର ବେଗୁନିଆ, ଘଷିପୁରା, ବାରବାଟୀ କଟକ ଆସନ ଉପରେ ରହିଛି ।