Home News in Odia ଖୋଜା ପଡିଲେଣି ମହିଳା ପ୍ରାର୍ଥୀ

ଖୋଜା ପଡିଲେଣି ମହିଳା ପ୍ରାର୍ଥୀ

ଭୁବନେଶ୍ୱର : ମହିଳାମାନଙ୍କ ପାଇଁ ବିଧାନସଭା ଓ ସଂସଦରେ ୩୩% ସ୍ଥାନ ସଂରକ୍ଷଣ ଲାଗି ପୁର୍ନବାର ଆଗତ କରାଯାଇଥିବା ବିଲ୍‍ ଯଦି ସଂସଦର ଚଳିତ ସ୍ୱତନ୍ତ୍ର ଅଧିବେଶନରେ ଗୃହୀତ ହୁଏ ତେବେ ଆସନ୍ତା ନିର୍ବାଚନରେ ବିଭିନ୍ନ ଦଳର ବହୁ ନେତାଙ୍କ ଟିକଟ କଟିବ । ଏଥିଘେନି ଅନେକ ନେତା ଏବେ ଆତଙ୍କିତ ଅବସ୍ଥାରେ ଥିବାବେଳେ ଯଦି ସେମାନଙ୍କ ଆସନ ସଂରକ୍ଷିତ ହୁଏ ତେବେ ତାଙ୍କ ସ୍ଥାନରେ ପତ୍ନୀ, ଝିଅ, ବୋହୁ କିମ୍ବା ଅନ୍ୟ କୌଣସି ସମ୍ପର୍କୀୟାଙ୍କୁ ପ୍ରାର୍ଥୀ କରିବାପାଇଁ ଚିନ୍ତା କଲେଣି ।

ଏଠାରେ ଉଲ୍ଲେଖନୀୟ ଯେ ଲୋକସଭା ସହିତ ଓଡିଶା ବିଧାନସଭା ପାଇଁ ନିର୍ବାଚନ ଏକ ସଙ୍ଗେ ଆସନ୍ତା ଏପ୍ରିଲ କିମ୍ବା ମଇ ମାସରେ ହୋଇପାରେ । ତେବେ ଏହା ପୂର୍ବରୁ ଆଗୁଆ ନିର୍ବାଚନ ସମ୍ଭାବନାକୁ ବି ଏଡାଇ ହେବନାହିଁ । ଓଡିଶା ବିଧାନସଭାର ୧୪୭ଟି ଆସନରେ ଏବେ ମାତ୍ର ୧୮ଜଣ ମହିଳା ସଦସ୍ୟ ଅଛନ୍ତି । ରାଜ୍ୟର ୧୯ଟି ଜିଲ୍ଲାରେ କୌଣସି ଦଳର ଜଣେ ହେଲେ ମହିଳା ବିଧାୟିକା ନାହାନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪ଜଣ ମହିଳା ବିଧାନସଭା ସଦସ୍ୟା ଥିବାବେଳେ ବରଗଡ ଭଳି ଛୋଟିଆ ଜିଲ୍ଲାରୁ ୩ଜଣ ଏବଂ ଝାରସଗୁଡା ଓ ଯାଜପୁର ଭଳି ଜିଲ୍ଲାରୁ ୨ଜଣ କରି ମହିଳା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଢେଙ୍କାନାଳ, ବଲାଙ୍ଗିର, କେନ୍ଦ୍ରାପଡା ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏ ମହିଳା ବିଧାନସଭାର ସଦସ୍ୟା ଅଛନ୍ତି । ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଏବେ ୫ଜଣ ମହିଳା ସଦସ୍ୟା ଅଛନ୍ତି । ବରଗଡ ଲୋକସଭା କ୍ଷେତ୍ର ମଧ୍ୟରେ ଥିବା ୭ଟି ବିଧାନସଭା ଆସନରୁ ସର୍ବାଧିକ ୫ଜଣ ମହିଳା ସଦସ୍ୟା ଅଛନ୍ତି । ଅଗ୍ରଣୀ ଜିଲ୍ଲା ବୋଲି କୁହାଯାଉଥିବା ଖୋରଧା, ପୁରୀ, କଟକ, ଜଗତ୍‍ସିଂହପୁର, ବାଲେଶ୍ୱର, ଭଦ୍ରକ ଆଦିରେ ଜଣେ ହେଲେ ମହିଳା ବିଧାୟିକା ନାହାନ୍ତି । ସମ୍ବଲପୁର, ଦେବଗଡ, ଅନୁଗୁଳ, ସୋନପୁର, ଗଜପତି, ନୟାଗଡ, କନ୍ଧମାଳ, ବୌଦ, ନୂଆପଡା, କଳାହାଣ୍ଡି, ନବରନଙ୍ଗପୁର, ରାୟଗଡା, ମାଲକାନଗିରି ଆଦି ଜିଲ୍ଲା ବି ବିଧାନସଭାରେ ମହିଳାଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇନାହିଁ ।

ନାରୀ ଶକ୍ତି ବନ୍ଦନ ଅଧିନିୟମ ବୋଲି କୁହାଯାଉଥିବା ମହିଳା ସଂରକ୍ଷଣ ବିଲ୍‍ ଯଦି ଗୃହୀତ ହୁଏ ତେବେ ଓଡିଶା ବିଧାନସଭାର ୪୯ଟି ଆସନ ଓ ରାଜ୍ୟର ୨୧ଟି ଲୋକସଭା କ୍ଷେତ୍ର ମଧ୍ୟରୁ ୭ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଅବଶ୍ୟ ଏବେ ଲୋକସଭାରେ ଓଡିଶାର ୭ଜଣ ମହିଳା ସଦସ୍ୟା ଅଛନ୍ତି । କେବଳ ସେତିକି ନୁହେଁ, ଏହି ନୂଆ ବିଲ୍‍ ରେ ଥିବା ବ୍ୟବସ୍ଥା ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ଯେତେ ଆସନ ସଂରକ୍ଷିତ ରହିଛି ସେଥିରୁ ବି ଏକ ତୃତୀୟାଂଶ ଉପରୋକ୍ତ ବର୍ଗର ମହିଳାଙ୍କ ଲାଗି ସଂରକ୍ଷିତ ରହିବ । ଅର୍ଥାତ୍‍ ଏହି ଦୁଇଟି ବର୍ଗର ଅନ୍ୟୁନ ୧୯ଜଣ ମହିଳା ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ ବିଧାନସଭାକୁ ଆସିବେ ।

ଏସ୍‍ଟି ଓ ଏସ୍‍ସି ବର୍ଗଙ୍କ ପାଇଁ ଆସନ ସଂରକ୍ଷଣ ବେଳେ କେଉଁ ନିର୍ବାଚନ ମଣ୍ଡଳୀରେ ଏହି ବର୍ଗର ଜନସଂଖା ଅଧିକ ତାହାକୁ ବିଚାରକୁ ନିଆଯାଇଥାଏ । କିନ୍ତୁ ମୋଟାମୋଟି ଭାବେ ଜନସଂଖ୍ୟାର ଅଧା ମହିଳା ଥିବାରୁ କେଉଁ ନିର୍ବାଚନମଣ୍ଡଳୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯିବ ଓ ତାହାର ଆଧାର କ’ଣ ହେବ ସେଥିଘେନି ବିବାଦ ଉପୁଜିବାର ମଧ୍ୟ ସମ୍ଭାବନା ରହିଛି । ତେବେ ଜଣେ ମହିଳା ଚାହିଁଲେ ସେମାନଙ୍କ ପାଇଁ ସଂରକ୍ଷିତ ନଥିବା ଆସନରୁ ବି ପୁରୁଷଙ୍କ ସହ ଲଢି ପାରିବେ । କିନ୍ତୁ ମହିଳାଙ୍କ ପାଇଁ ସଂରକ୍ଷିତ ଆସନ ସମ୍ପୂର୍ଣ୍ଣ ଭାବେ ପୁରୁଷଙ୍କ ପାଇଁ ନିଷିଦ୍ଧ ହେବ । ଏହା ଯୋଗୁଁ ଅନେକ ନେତାଙ୍କୁ ସେମାନଙ୍କ ନିର୍ବାଚନମଣ୍ଡଳୀ ବଦଳାଇବାକୁ ପଡିବ କିମ୍ବା ନିଜ ପରିବାରର କୌଣସି ମହିଳାଙ୍କୁ ଉତ୍ତରାଧିକାରୀ ଭାବେ ଚୟନ କରିବାକୁ ହେବ । (ତଥ୍ୟ)