ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ବିଧାୟକ ତଥା ରାଜ୍ୟ ଆଥଲେଟିକ ମହାସଂଘର ସଭାପତି ସୁରେଶ କୁମାର ରାଉତରାୟ ଆଜି କଳିଙ୍ଗ ଷ୍ଟାଡିୟମରୁ ଖେଳ ଦେଖିନପାରି ଫେରିଛନ୍ତି । ଆଜି ଠାରୁ ଆରମ୍ଭ ହେଉଥିବା ୧୭ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ ଖେଳ ଦେଖିବାକୁ ଯାଇଥିବାବେଳେ ସେ ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ।
ଫୁଟବଲ ଖେଳ ଦେଖିବାପାଇଁ ରାଜ୍ୟ ଆଥଲେଟିକ୍ ସଭାପତି ଭାବେ ଶ୍ରୀ ରାଉତରାୟଙ୍କୁ ପାଶ୍ ପ୍ରଦାନ କରାଯାଇଥିଲା । ଆଜି ଉଦ୍ଘାଟନୀ ମ୍ୟାଚ୍ ଥିବାରୁ ଶ୍ରୀ ରାଉତରାୟ ପାଶ୍ ଧରି କଳିଙ୍ଗ ଷ୍ଟାଡିୟମ ପରିସରକୁ ଯାଇଥିଲେ । ହେଲେ ଫୁଟବଲ ମ୍ୟାଚ୍ ହେଉଥିବା ଷ୍ଟାଡିୟମକୁ ପ୍ରବେଶ କରିପାରି ନଥିଲେ ।
ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରାଉତରାୟ କହିଛନ୍ତି ଯେ ଷ୍ଟାଡିୟମ ଭିତରକୁ ପାଶ୍ ଦେଖାଇ ପ୍ରବେଶ କରବା ସମୟରେ ଜଣେ ବିଦେଶୀ ସୁରକ୍ଷାକର୍ମୀ ତାଙ୍କୁ ଟିକଟ ମାଗିଥିଲେ । ସେ ପାଶ୍ ଦେଖାଇବାରୁ ଏଥିରେ ଛଡାଯାଇ ପାରିବନାହିଁ ବୋଲି ଶୁଣାଇବା ସହିତ ତାଙ୍କୁ ସେଠାରୁ ବିଦାକରି ଦେଇଥିଲେ । ତେବେ ରାଜ୍ୟର ସମ୍ମାନ ଦୃଷ୍ଟିରୁ ବିନା ପ୍ରତିବାଦରେ ସେଠାରୁ ଚାଲି ଆସିଥିବା ଶ୍ରୀ ରାଉତରାୟ କହିଛନ୍ତି ।
ଉପସ୍ଥିତ ପୁଲିସ କର୍ମୀମାନେ ଶ୍ରୀ ରାଉତରାୟଙ୍କୁ ଏଭଳି ସ୍ଥିତିରେ ଫେରି ଆସୁଥିବା ଦେଖି ତାଙ୍କୁ ଷ୍ଟାଡିୟମ ଭିତରକୁ ଫେରାଇ ନେବାପାଇଁ ଅନୁରୋଧ କରିଥିଲେ ମଧ୍ୟ ଶ୍ରୀ ରାଉତରାୟ ଅଭିମାନରେ ଆଉ ଖେଳ ଦେଖିବାକୁ ଯାଇନଥିଲେ । ଏଭଳି ସ୍ଥିତି ପାଇଁ ସେ ପ୍ରଶାସନ ଓ ଆୟୋଜକଙ୍କୁ ଦୋଷ ଦେଇଛନ୍ତି ।