ଭୁବନେଶ୍ୱର : କୋଭିଡ୍ ମହାମାରୀରେ ମୃତ୍ୟୁବରଣ କରିଥିବା ନାଗରିକମାନଙ୍କର ପରିବାର ସଦସ୍ୟ ବା ନିକଟତମ ସଂପର୍କୀୟଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତ ଆରମ୍ଭ କରିଛନ୍ତି । ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ଏବଂ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଉନ୍ନୟନ କମିଶନ୍ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନ୍ ପ୍ରଦୀପ କୁମାର ଜେନା ଅନୁକମ୍ପା ମୂଳକ ସହାୟତା ପ୍ରଦାନ ସମନ୍ଧିତ ପ୍ରଶାସନିକ ପ୍ରକ୍ରିୟା ଏବଂ କାର୍ଯ୍ୟ ପଦ୍ଧତି ବିଷୟରେ ସବିଶେଷ ସୂଚନା ଦେଇଥିଲେ । ଶ୍ରୀ ଜେନା ଜଣାଇଥିଲେ ଯେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏବଂ ସରକାରଙ୍କ ନିଷ୍ପତ୍ତି ଅନୁସାରେ କୋଭିଡ୍ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ନିକଟତମ ସଂପର୍କୀୟଙ୍କୁ ୫୦ ହଜାର ଟଙ୍କା ଲେଖାଁଏ ଅନୁକଂପା ମୂଳକ ସହାୟତା ପ୍ରଦାନ କରାଯିବ । ଧନୀ, ଗରିବ ନିର୍ବିଶେଷରେ ସବୁ ବର୍ଗର ଲୋକ ଏହି ସହାୟତା ପାଇପାରିବେ । ଅନ୍ୟ କୌଣସି ଯୋଜନାରେ ସହାୟତା ପାଇଥିବା ବ୍ୟକ୍ତି ବା ପରିବାର ମଧ୍ୟ ଏହି ଅନୁକଂପା ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ ।
ଦରଖାସ୍ତ ଗ୍ରହଣଠାରୁ ଆରମ୍ଭ କରି ଅନୁକଂପା ରାଶି ପ୍ରଦାନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଓ ପର୍ଯ୍ୟାୟକୁ ଲୋକମାନଙ୍କ ନିମନ୍ତେ ସରଳ, ସହଜଲବ୍ଧ ଏବଂ ସହାୟକ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ତହସିଲ୍ଦାର ଏବଂ ପ୍ରକ୍ରିୟା ସହ ସଂପୃକ୍ତ ସମସ୍ତ ବର୍ଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ମୃତ୍ୟୁ ସମ୍ବନ୍ଧିତ କାଗ୍ଜାତ୍ ଓ ପ୍ରମାଣପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ପ୍ରେରଣ ସମ୍ବନ୍ଧିତ ଅଭିଯୋଗ ଓ ଅସୁବିଧା ଆଦିର ତୁରନ୍ତ ସମାଧାନ ନିମନ୍ତେ ଜିଲ୍ଲାସ୍ତରୀୟ କମିଟି ସହୃଦୟତାର ସହ ସକ୍ରିୟ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ସୂଚନା ଓ ପ୍ରଯୁକ୍ତିବଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର କହିଥିଲେ ଯେ ଅନୁଦାନ ପାଇଁ ମୃତ ବ୍ୟକ୍ତିଙ୍କ ପରିବାରଜନ ବା ନିକଟତମ ସଂପର୍କୀୟ ନିର୍ଦ୍ଧାରିତ ଫର୍ମରେ ଜିଲ୍ଲାପାଳମାନଙ୍କୁ ଅନ୍ଲାଇନ୍ ବା ଅଫ୍ଲାଇନ୍ରେ ଦରଖାସ୍ତ ଦେଇପାରିବେ । ଦରଖାସ୍ତକାରୀଙ୍କୁ ଦରଖାସ୍ତ ଗ୍ରହଣର ଏକ ସ୍ୱୀକତି ରସିଦ୍ ଦିଆଯିବ । ସାଧାରଣ ସେବା କେନ୍ଦ୍ର(କମନ୍ ସର୍ଭିସ୍ ସେଣ୍ଟର) ମାନଙ୍କରେ ମଧ୍ୟ ଅନ୍ଲାଇନ୍ ଦରଖାସ୍ତ ଦାଖଲ କରିହେବ ।
ମିଳିଥିବା ସମସ୍ତ ଦରଖାସ୍ତକୁ ଓକାକ୍ ଦ୍ୱାରା ପ୍ରସ୍ତୁତ ହେଉଥିବା ସଫଟ୍ଓୟାର ବ୍ୟବସ୍ଥା ମାଧ୍ୟମରେ ପ୍ରକ୍ରିୟା କରଣ କରାଯିବ । ଏହାଦ୍ୱାରା ପ୍ରକ୍ରିୟା ତ୍ୱରାନ୍ୱିତ ଏବଂ ତୃଟିମୁକ୍ତ ହେବ । ଜଣେ ମୃତକଙ୍କ ପାଇଁ ଏକାଧିକ ବ୍ୟକ୍ତି ଦରଖାସ୍ତ କଲେ ତାହା ଜଣାପଡ଼ିବ । କୋଭିଡ୍ ମୃତ୍ୟୁ ସମ୍ବନ୍ଧିତ ଦସ୍ତାବିଜ୍, ପ୍ରମାଣପତ୍ର ଆଦିର ଯାଞ୍ଜ ମଧ୍ୟ ସହଜ ଓ ନିର୍ଭର ଯୋଗ୍ୟ ହେବ । ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇ ଘରୋଇ ପୃଥକ ବାସରେ ମୃତ୍ୟୁବରଣ କରିଥିବା ଓ ହସ୍ପିଟାଲ୍ରେ ଚିକିତ୍ସାଧିନ ଥିବାବେଳେ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତି ଏହି ସହାୟତା ପାଇଁ ଦରଖାସ୍ତ କରିପାରିବେ । ପଜିଟିଭ୍ ଚିହ୍ନଟ ହେବାର ୩୦ ଦିନ ମଧ୍ୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଏହି ସହାୟତା ପାଇବେ । ଦରଖାସ୍ତ ଗ୍ରହଣ, ତନଖି, ପ୍ରକ୍ରିୟାକରଣ, ମଞ୍ଜୁରୀ ଏବଂ ସହାୟତା ପ୍ରଦାନ ଆଦି ସମସ୍ତ କାର୍ଯ୍ୟ ଜିଲ୍ଲା ସ୍ତରରେ କରାଯିବ । ଏଥିପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଅଧ୍ୟକ୍ଷମାନଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଛନ୍ତି ।
ପ୍ରକ୍ରିୟା ସହିତ ସଂପୃକ୍ତ ସମସ୍ତ ଅଧିକାରୀ, କର୍ମଚାରୀ ଏବଂ କମନ୍ ସର୍ଭିସ୍ ସେଣ୍ଟରର କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ୍ ଦିଆଯିବା ଉପରେ ଉନ୍ନୟନ କମିଶନ ଶ୍ରୀ ଜେନା ଗୁରୁତ୍ୱ ଆରୋପ କରିଥିଲେ । ଜନସାଧାରଣଙ୍କ ଅବଗତି ନିମନ୍ତେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଲୋକମାନଙ୍କଠାରୁ ଦରଖାସ୍ତ ଗ୍ରହଣ ନିମନ୍ତେ ସ୍ୱତନ୍ତ୍ରଭାବେ ବିଜ୍ଞପ୍ତି ପ୍ରକାଶ ପାଇଁ ମଧ୍ୟ ବୈଠକରେ ସ୍ଥିର ହୋଇଥିଲା ।
ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ଭେଷଜ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶକ ଡାକ୍ତର ସି.ବି.କେ. ମହାନ୍ତି, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର. ଅତିରିକ୍ତ ରିଲିଫ୍ କମିଶନ କମଳକାନ୍ତ ମିଶ୍ରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।