Home Judiciary ଖୁବ୍‍ ଶୀଘ୍ର ଏଜି ନିଯୁକ୍ତି

ଖୁବ୍‍ ଶୀଘ୍ର ଏଜି ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାର ଗଢାଯିବାର ୧୮ଦିନ ବିତି ଯାଇଥିଲେ ମଧ୍ୟ ନୂଆ ଆଡଭୋକେଟ ଜେନେରାଲ (ଏଜି) ଏଯାବତ୍‍ ନିଯୁକ୍ତି ପାଇନାହାନ୍ତି । ତେବେ ଖୁବ୍‍ଶୀଘ୍ର ନୂଆ ଏଜିଙ୍କୁ ସରକାର ନିଯୁକ୍ତ କରିବେ ବୋଲି ସୂଚନା ମିଳୁଛି ।

ଗତ ସରକାର ସମୟରେ ଏଜି ଥିବା ଅଶୋକ ପରିଜା ନୂଆ ସରକାର ଗଠନ ପୂର୍ବରୁ ଇସ୍ତଫା ଦେଇ ସାରିଛନ୍ତି । ତାଙ୍କ ସହିତ ହାଇକୋର୍ଟର ଏଜିଙ୍କ ଦପ୍ତରରେ ନିଯୁକ୍ତି ପାଇଥିବା ସରକାରୀ ପ୍ୟାନେଲର ଅନେକ ଓକିଲ ମଧ୍ୟ ଇସ୍ତଫା ଦେଇଛନ୍ତି । ଏଜି ଇସ୍ତଫା ଦେଇଥିବାରୁ ଅନ୍ୟ ଜଣେ ସରକାରୀ ଓକିଲଙ୍କୁ ଦାୟିତ୍ୱରେ ରଖାଯାଇଛି । ସାଧାରଣତଃ ସରକାର ବଦଳିବା ପରେ ପରେ ତୁରନ୍ତ ନୂଆ ଏଜିଙ୍କୁ ନିଯୁକ୍ତ କରାଯାଇଥାଏ ।

ଏଜି ପଦବୀ ପାଇଁ ଏବେ ବହୁ ଓକିଲଙ୍କ ନାମ ଚର୍ଚ୍ଚାରେ ରହିଛି । ସେହିଭଳି ବିଜେପିର ଆଇନ୍‍ ସେଲ୍‍ ଓ ଅନ୍ୟ ସଂସ୍ଥା ସହ ଜଡିତ ବହୁ ଆଇନ୍‍ଜୀବୀ ମଧ୍ୟ ଏଜିଙ୍କ ପ୍ୟାନେଲରେ ସରକାରୀ ଓକିଲ, ଅତିରିକ୍ତ ସରକାରୀ ଓକିଲ, ଷ୍ଟାଣ୍ଡିଂ କାଉନସେଲ୍‍ ଓ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ୍‍ ଭାବେ ନିଯୁକ୍ତି ପାଇବା ଲାଗି ଅପେକ୍ଷାକରି ରହିଛନ୍ତି । ଏହି ଅପେକ୍ଷାରତ ଆଇନ୍‍ଜୀବୀମାନଙ୍କ ମଧ୍ୟରୁ ଅନେକ ବିଜେପିର ନେତା, ମନ୍ତ୍ରୀ ଓ ପଦାଧିକାରୀମାନଙ୍କ ନିକଟରେ ଲବିକରୁଥିବା ଦେଖିବାକୁ ମିଳୁଛି ।

ତେବେ ବିଭିନ୍ନ ଦିଗକୁ ବିଚାରକୁ ନେଇ ସରକାରଙ୍କ ପକ୍ଷରୁ ଦକ୍ଷତାର ସହ ଯେଉଁମାନେ ହାଇକୋର୍ଟରେ ମାମଲା ପରିଚାଳନା କରିପାରିବେ ସେଭଳି ବଛା ବଛା ଓକିଲଙ୍କୁ ସରକାରୀ ପ୍ୟାନେଲରେ ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀମାନେ କହୁଛନ୍ତି । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରୁ ଫେରିବାପରେ ଆସନ୍ତା ସପ୍ତାହରେ ନୂଆ ଏଜି ନିଯୁକ୍ତ ହେବେ ଏବଂ ପରେ ତାଙ୍କ ସହ ଆଲୋଚନା କରି ପ୍ୟାନେଲର ଅନ୍ୟ ସରକାରୀ ଓକିଲମାନଙ୍କୁ ନିଯୁକ୍ତି ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବବୋଲି କୁହାଯାଉଛି ।

ସେହିଭଳି ବିଭିନ୍ନ ରାଜସ୍ୱ, ଦେୱାନୀ, ଫୌଜଦାରୀ ଅଦାଲତ ଏବଂ ନ୍ୟାୟାଧିକରଣଗୁଡିକରେ ମଧ୍ୟ ଖୁବ୍‍ଶୀଘ୍ର ପୁରୁଣା ପ୍ୟାନେଲ ବଦଳାଇ ନୂଆ ସରକାରୀ ଓକିଲମାନେ ନିଯୁକ୍ତ ହେବେ । ଏଠାରେ ଉଲ୍ଲେଖନୀୟ ଯେ ଲୋକସେବା ଆୟୋଗ ମାଧ୍ୟମରେ ନିମ୍ନ ଅଦାଲତଗୁଡିକ ପାଇଁ କିଛି ସଂଖ୍ୟକ ସରକାରୀ ଓକିଲ ନିଯୁକ୍ତ ହୋଇଥାନ୍ତି । ଏମାନେ ସରକାରୀ ଚାକିରିରେ ସ୍ଥାୟୀ ଭାବେ ରହୁଥିବାରୁ ସରକାର ବଦଳିଲେ ବି ଏମାନଙ୍କ ଚାକିରି ଯାଏ ନାହିଁ । ତେବେ ବିଭାଗୀୟ କର୍ତ୍ତୃପକ୍ଷ ଏମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟଗୋଟିଏ ସ୍ଥାନକୁ ଆବଶ୍ୟକତା ଅନୁଯାୟୀ ବଦଳି କରିଥାନ୍ତି ।

ଅବସରପ୍ରାପ୍ତ ଜିଲ୍ଲା ଜଜ୍‍ମାନେ କହୁଛନ୍ତି ଯେ ଆୟୋଗ ମାଧ୍ୟମରେ ସରକାରୀ ଚାକିରିରେ ସ୍ଥାୟୀ ନିଯୁକ୍ତି ପାଉଥିବା ଏଭଳି ଓକିଲମାନେ ତୁଳାନାତ୍ମକ ଭାବେ ଭଲ ମାମଲା ପରିଚାଳନା କରିଥାନ୍ତି । ଅବଶ୍ୟ ସରକାର ବଦଳିବାପରେ ଜିଲ୍ଲା କର୍ତ୍ତୃପକ୍ଷଙ୍କ ସୁପାରିଶ୍‍ ଭିତ୍ତିରେ ଯେଉଁମାନଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯାଇଥାଏ ସେମାନଙ୍କ ଭିତରୁ କେତେଜଣ ବି ନିଷ୍ଠାର ସହ ମାମଲା ପରିଚାଳନା କରିବାର ନଜିର ରହିଛି । ଅନ୍ୟ ପକ୍ଷରେ ଦଳୀୟ ଆନୁଗତ୍ୟକୁ ଆଖିଆଗରେ ରଖି ରାଜନୈତିକ ଥଇଥାନ ପାଇଁ ସରକାରୀ ପ୍ୟାନେଲରେ ନିଯୁକ୍ତି ଦିଆଯିବାବେଳେ ଦକ୍ଷତା ପ୍ରତି ଆଖିବୁଜି ଦିଆଗଲେ ସରକାର ନିଜ ମାମଲାରେ ନିଜେ ଅପଦସ୍ତ ହେବାର ବହୁ ନଜିର ରହିଛି ।

ଏବେ ପ୍ରାୟ ସବୁ ଜିଲ୍ଲାରେ ମନ୍ତ୍ରୀ, ବିଧାୟକ ଓ ଦଳୀୟ ପଦାଧିକାରୀମାନେ ସେମାନଙ୍କ ମନ ପସନ୍ଦର ବ୍ୟକ୍ତିମାନଙ୍କୁ ବିଭିନ୍ନ ଅଦାଲତରେ ସରକାରୀ ପ୍ୟାନେଲରେ ରଖିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଏଥିଲାଗି ବିଭାଗୀୟ ମନ୍ତ୍ରୀଙ୍କ ଉପରେ ବି ଚାପ ବଢିବାରେ ଲାଗିଛି । ସରକାରୀ ଓକିଲ ନିଯୁକ୍ତି ଯେତେ ଡେରିହେବ ଚାପ ସେତେ ବଢି ଚାଲିବ ବୋଲି କୁହାଯାଉଛି । (ତଥ୍ୟ)