ଭୁବନେଶ୍ୱର : ବୃହତ ଭିତ୍ତିଭୂମି ପ୍ରକଳ୍ପକୁ ଅଧିକ ପୁଞ୍ଜି ଯୋଗାଣ ଲକ୍ଷ୍ୟରେ ରାଜ୍ୟ ସରକାର ନୂତନ ସରକାରୀ ଘରୋଇ ସହଭାଗିତା (ପିପିପି) ନୀତି ପ୍ରସ୍ତୁତ କରିଛନ୍ତି । ରାଜ୍ୟ କିମ୍ବା ଦେଶର ଆର୍ଥିକ ସ୍ଥିତିର ବିକାଶ ପାଇଁ ଭିତ୍ତିଭୂମିର ବିକାଶ ଓ ଉନ୍ନତ ସେବା ଯୋଗାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଭିତ୍ତିଭୂମି କ୍ଷେତ୍ରରେ ବିନିଯୋଗ ଅଭିବୃଦ୍ଧିର ଅଗ୍ରଦୂତ ଭାବେ କାର୍ଯ୍ୟକରେ ଏବଂ ଏହି ବିନିଯୋଗର ଏକ ମହତ୍ୱପୂର୍ଣ୍ଣ ଅଂଶ ପିପିପି ମୋଡ୍ରେ ଘରୋଇ କ୍ଷେତ୍ରରୁ ଆସିବାକୁ ଯୋଜନା ହୋଇଛି । ଭିତ୍ତିଭୂମି କ୍ଷେତ୍ର ପାଇଁ ପିପିପି ବ୍ୟବସ୍ଥା ସର୍ବୋତ୍କୃଷ୍ଟ କାରଣ ଏହା ସମ୍ବଳ ଯୋଗାଇବା ସହିତ ଏକ ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟିକରେ ଏବଂ ଦକ୍ଷତା ବୃଦ୍ଧି ସହିତ ଖର୍ଚ୍ଚ ହ୍ରାସରେ ସହାୟତା କରିଥାଏ ।
ରାଜ୍ୟର ବିକାଶରେ ଘରୋଇ କ୍ଷେତ୍ରର ସହଯୋଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୫ରେ ଶିଳ୍ପନୀତି ଓ ୨୦୧୭ ରେ ପିପିପି ନୀତି ପ୍ରସ୍ତୁତ କରିଥିଲେ । ବର୍ତ୍ତମାନ ୨୦୨୨ରେ ନୂତନ ଶିଳ୍ପନୀତି କାର୍ଯ୍ୟକାରୀ ହୋଇଥିବାବେଳେ ସରକାର ଏବେ ପୁରୁଣା ପିପିପି ନୀତିରେ ସଂଶୋଧନ କରିବାକୁ ଯାଉଛନ୍ତି । ଏହି ନୀତିର ମୂଳ ଉଦ୍ଦେଶ୍ୟ ହେଉଛି ଭିତ୍ତିଭୂମି ବିକାଶରେ ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ଆକର୍ଷିତ କିରବା ଏବଂ ପିପିପି ପ୍ରକଳ୍ପର କ୍ରୟ ଏବଂ ପ୍ରଶାସନରେ ଦକ୍ଷତା ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ ସହିତ ଶାସନ ବ୍ୟବସ୍ଥାରେ ନୂତନ ଢାଞ୍ଚା ସୃଷ୍ଟି କରିବା ।
ନୂତନ ନୀତି ବିଭିନ୍ନ ପ୍ରକାର ଭିତ୍ତିଭୂମି ବିକାଶ ଯଥା ସଡକ, ସେତୁ, ବାଇପାସ୍, ବନ୍ଦର ଏବଂ ପୋତାଶ୍ରୟ, ବିମାନବନ୍ଦର, କଣ୍ଟେନର ଡିପୋ ଏବଂ ଲଜିଷ୍ଟିକ ହବ୍, ଶିଳ୍ପ ପାର୍କ, ଥିମ ପାର୍କ, ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଏବଂ ସହରାଞ୍ଚଳ, ମୃତ୍ତିକା ବର୍ଜ୍ୟ ପରିଚାଳନା, ବିଦ୍ୟୁତ୍ ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ସହରାଞ୍ଚଳ ଭିତ୍ତିଭୂମି, ପର୍ଯ୍ୟଟନ ପ୍ରକଳ୍ପ, ଜଳସେଚନ, ରେଳବାଇ ଓ ଅନ୍ୟାନ୍ୟର ହୋଇପାରିବ ।
ଚିଠା ନୀତି ଅନୁଯାୟୀ ଯେଉଁଠାରେ ପ୍ରକଳ୍ପଗୁଡିକ ବ୍ୟବସାୟିକ ଦୃଷ୍ଟିରୁ ଲାଭଦାୟକ ହେବନାହିଁ ସେଠାରେ ରାଜ୍ୟ ସରକାର କ୍ଷତି ହେଉଥିବା ଅର୍ଥ ପ୍ରଦାନ କରିବେ । ପିପିପି ମୋଡରେ ୫୦୦ କୋଟି କିମ୍ବା ତଦୁର୍ଦ୍ଧ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (ଏଚଏଲସିଏ) ଗଠନ କରାଯିବ । ସେହିଭଳି ପିପିପି ମୋଡରେ ୧୦ କୋଟିରୁ ୫୦୦ କୋଟି ଟଙ୍କା ମଧ୍ୟରେ ଥିବା ଭିତ୍ତିଭୂମି ପ୍ରକଳ୍ପ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକାଧିକ ସଚିବମାନଙ୍କୁ ନେଇ ଗୋଟିଏ କ୍ଷମତାସମ୍ପନ୍ନ ଭିତ୍ତିଭୂମି କମିଟି (ଇସିଆଇ) ଗଠନ ହେବ । ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପକୁ ପିପିପି ନିର୍ଦ୍ଦେଶାଳୟ ତଦାରଖ କରିବ ।
ଏହାବାଦ୍ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପିପିପି କମିଟି ଗଠନ କରାଯିବ ଏବଂ ଏହି କମିଟି ପିପିପି ମୋଡରେ ଭିତ୍ତିଭୂମି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସମନ୍ୱୟ ରକ୍ଷା କରିବ । କେବିକେ, ପଶ୍ଚିମଓଡିଶା ଓ ଖଣି ଭିତ୍ତିକ ଜିଲ୍ଲାଗୁଡିକ ଉପରେ ଅଧିକ ଫୋକସ କରାଯିବ । ସେହିସବୁ ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ୍) ଏବଂ ଓଡିଶା ଖଣିଜ ଅଞ୍ଚଳ ବିକାଶ ନିଗମ (ଓଏମବିଏଡିସି) ଦ୍ୱାରା କାର୍ଯ୍ୟକାରୀ ସଂରଚନାଗୁଡିକ ଖଣି ପ୍ରଭାବିତ ଅଞ୍ଚଳରେ ବ୍ୟବହାର କରାଯିବ ।
ରାଜ୍ୟ ପ୍ରଶାସନ ପୂର୍ବରୁ ଥିବା ଭିତ୍ତିଭୂମିଗୁଡିକର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଚୁକ୍ତି କରିବେ । ଚିଠା ପ୍ରସ୍ତାବରେ ଏହା ମଧ୍ୟ କୁହାଯାଇଛି ଯେ ପିପିପି ମୋଡରେ ଭିତ୍ତିଭୂମି ପ୍ରକଳ୍ପର ବିକାଶ ତଥା କାର୍ଯ୍ୟାନ୍ୱୟନ ପାଇଁ ଯେତେବେଳେ ଆବଶ୍ୟକ ହେବ ସେତେବେଳେ ଏସ୍ପିଭି ଗଠନ କରାଯିବ ଏବଂ ପ୍ରକଳ୍ପକୁ ତ୍ୱରାନ୍ୱିତ ପାଇଁ ଏସ୍ପିପିରେ ଅନୁମୋଦନ ମିଳିବ । (ତଥ୍ୟ)