ଭୁବନେଶ୍ୱର : ଜମିଜମା ସମସ୍ୟା ଯୋଗୁଁ ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ସ୍ମାରକୀ ନିର୍ମାଣ କ୍ଷେତ୍ରରେ ବିଳମ୍ବ ଘଟୁଛି । ତେବେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ପ୍ରାୟ ୧୭୭ବର୍ଷ ତଳେ ସତ୍ୟଭାମାପୁର ଗାଁରେ ମଧୁବାବୁଙ୍କ ଜନ୍ମ ହୋଇଥିଲା । କିନ୍ତୁ ଏବେ ଏହି ଗାଁରେ ଥିବା ତାଙ୍କ ପୈତୃକ ଘର ମଧୁବାବୁ କିମ୍ବା ତାଙ୍କର କୌଣସି ପାରିବାରିକ ଉତ୍ତରାଧିକାରୀଙ୍କ ନାମରେ ନାହିଁ । ତେବେ ଦୀର୍ଘବର୍ଷ ଧରି କସ୍ତୁରବା ଗାନ୍ଧୀ ଜାତୀୟ ସ୍ମାରକନିଧିର ପ୍ରାଦେଶିକ ମୁଖ୍ୟ ଦପ୍ତର ଏହି ସ୍ଥାନରେ ଚାଲି ଆସୁଛି ।
ମଧୁବାବୁଙ୍କ ଜନ୍ମସ୍ଥାନ ଥିବା ଏହି ପୈତୃକ ସମ୍ପତ୍ତି ଏକଦା ବିକ୍ରି ହୋଇଯାଇଥାନ୍ତା । ଏହା ଘଟିଥିଲେ ଏବେ ଏହି ସମ୍ପତ୍ତି କୌଣସି ବ୍ୟକ୍ତିଙ୍କ ଘରୋଇ ମାଲିକାନାରେ ଥାଆନ୍ତା । ତେବେ ମଧୁବାବୁଙ୍କ ନିଜ ଝିଆରି ମା’ ରମାଦେବୀଙ୍କ ଅନୁରୋଧକ୍ରମେ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକନିଧିର ତତ୍କାଳୀନ ଅଧ୍ୟକ୍ଷ ତଥା ଲୋକସଭାର ପୂର୍ବତନ ବାଚସ୍ପତି ଶ୍ରୀ ମାଭଲଙ୍କର ଏହି ସମ୍ପତ୍ତିର ସୁରକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ସେତେବେଳେ ଏହା ମା’ ରମାଦେବୀଙ୍କ ନାମରେ କିଣିବାପାଇଁ ପ୍ରସ୍ତାବ ଥିଲା । କିନ୍ତୁ ସ୍ୱାଧୀନତା ଆନ୍ଦୋଳନ ଓ ଭୂଦାନ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ସାରା ଦେଶର ସର୍ବୋଦୟ ଆନ୍ଦୋଳନକୁ ଏକଦା ନେତୃତ୍ୱ ଦେଇଥିବା ମା’ ରମାଦେବୀ ଏହି ସମ୍ପତ୍ତିକୁ ନିଜ ନାମରେ ନକିଣି ଅର୍ଥଦାନ କରିଥିବା କେନ୍ଦ୍ରୀୟ ଗାନ୍ଧୀ ସ୍ମାରକନିଧି ନାମରେ ରଖିବାକୁ ଚାହିଁଥିଲେ ।
ବିକ୍ରି ସମସ୍ୟା ସମାଧାନ କରିବାପରେ ମା’ ରମାଦେବୀଙ୍କ ଆଗ୍ରହକ୍ରମେ ସତ୍ୟଭାମାପୁରର ଏହି ପବିତ୍ର ଗୃହରେ କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକନିଧିର ପ୍ରାଦେଶିକ ମୁଖ୍ୟ ଦପ୍ତର ସ୍ଥାପନ କରାଯାଇ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମହିଳା ଓ ଶିଶୁ କଲ୍ୟାଣ ପାଇଁ ବହୁ କେନ୍ଦ୍ର ଖୋଲାଯାଇଥିଲା । ଏହାଛଡା ଏଠାରେ ବି ଏକ ବାଳାଶ୍ରମ ପ୍ରତିଷ୍ଠା କରାଯିବା ସହିତ ଅଙ୍ଗନବାଡି ସମେତ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା କର୍ମୀମାନଙ୍କ ପାଇଁ ତାଲିମ କେନ୍ଦ୍ର ବି ବହୁବର୍ଷ ଧରି ଏଠି ଚାଲୁଥିଲା ।
ସତ୍ୟଭାମାପୁରରେ ସମାଜସେବା କାର୍ଯ୍ୟର ପ୍ରାଣକେନ୍ଦ୍ର ଚଳାଇବା ସହିତ ମଧୁବାବୁଙ୍କ ପୈତୃକ ବାସଗୃହ ଓ ସେ ନିଜେ କିଣିଥିବା ଜମି ଉପରେ ନିର୍ମିତ ଘରକୁ ସେବେଠାରୁ କସ୍ତୁରବା ଟ୍ରଷ୍ଟ ରକ୍ଷଣା ବେକ୍ଷଣ କରିଆସୁଛି । ଏହାଛଡା ରମାଦେବୀଙ୍କ ଉଦ୍ୟମରେ ମଧୁସ୍ମୃତି ନାମରେ ଏକ ସଂଗଠନ ବି ଗଢାଯାଇଛି । ଏ ସମସ୍ତ କାମ ପାଇଁ ନିକଟରେ ଥିବା ଆଉକିଛି ସରକାରୀ ଜମିକୁ ଟ୍ରଷ୍ଟ ସରକାରଙ୍କ ଠାରୁ ଲିଜ୍ ସୂତ୍ରରେ ନେଇଥିଲା ।
ଗତ ବିଧାନସଭା ନିର୍ବାଚନ ପୂର୍ବରୁ ସେତେବେଳର ୫-ଟି ସଚିବ ଭି କେ ପାଣ୍ଡିଆନ ସତ୍ୟଭାମାପୁର ଗସ୍ତରେ ଆସି ଏଠାରେ ଉତ୍କଳଗୌରବଙ୍କ ସୁଦୃଶ୍ୟ ସ୍ମାରକୀ ନିର୍ମାଣ ହେବବୋଲି ଘୋଷଣା କରିବା ସହିତ ଏଥିଲାଗି ରାଜ୍ୟ ସରକାର ମଧ୍ୟ ଅର୍ଥ ବ୍ୟବସ୍ଥା କରିଥିଲେ । ଏହା ପୂର୍ବରୁ ଟ୍ରଷ୍ଟର ସ୍ୱୀକୃତି କ୍ରମେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏଠି ମଧ୍ୟ କେତେକ ସଂରକ୍ଷଣ ଓ ବିକାଶ କାମ କରିଥିଲେ । ତେବେ ଅର୍ଥ ବ୍ୟବସ୍ଥା ହେବାର ଦୀର୍ଘଦିନ ପରେ ବି ଜମି ଜମା ସମସ୍ୟା ଯୋଗୁଁ ଏଠାରେ କାମ ଆଗେଇ ପାରିନଥିଲା । ଇତି ମଧ୍ୟରେ କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକୀନିଧି, ମଧୁସ୍ମୃତି ଓ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକନିଧି ଉକ୍ତ ଜମିରେ ରାଜ୍ୟ ସରକାର ମଧୁବାବୁଙ୍କ ସ୍ମାରକୀ ନିର୍ମାଣ କଲେ ସେମାନଙ୍କର କିଛି ଆପତ୍ତି ନାହିଁ ବୋଲି ଲିଖିତ ଭାବେ ଜଣାଇ ଦେଇଛନ୍ତି । ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଏପ୍ରିଲ ପହିଲାରେ ସତ୍ୟଭାମାପୁରରେ ସ୍ମାରକୀ ନିର୍ମାଣର ଶୁଭ ଦେଇଛନ୍ତି । ଖୁବଶୀଘ୍ର ଏହି ପ୍ରକଳ୍ପ କାମ ଚାଲିବ ବୋଲି ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । (ତଥ୍ୟ)